ବିଜେଡ଼ି ଚଳାଇବେ କିଏ ?

Biju Janata Dal, Naveen Patnaik

ବିଜେଡ଼ି ଚଳାଇବେ କିଏ ?

ଆଉ ସକ୍ରିୟ ରାଜନୀତି କରିବେ ନାହିଁ ଭିକେ ପାଣ୍ଡିଆନ୍‌  । ଏଥିରୁ ସେ ସନ୍ନ୍ୟାସ ନେଇସାରିଛନ୍ତି  । ତେଣୁ ଏବେ ବିଜେଡ଼ିର ହାନିଲାଭ ବୁଝିବେ କିଏ ? ଦଳୀୟ ଅଳିନ୍ଦରେ ଏବେ ଏମିତି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ବିଜେଡ଼ିର ସାଂଗଠନିକ ସମ୍ପାଦକ ଅଛନ୍ତି ପ୍ରଣବ ପ୍ରକାଶ ଦାସ  । ଏକଦା ଦଳରେ ସେ ଥିଲେ ନବୀନଙ୍କ ପରେ ନମ୍ବର ଟୁ  । ଗତ କିଛି ବର୍ଷ ଧରି ସେ ବିଜେଡ଼ିରେ ବେଶ ପ୍ରଭାବ ବିସ୍ତାର କରୁଥିଲେ  । ଦଳୀୟ ନେତା ଓ ବିଧାୟକମାନେ ପୋଷ୍ଟରରେ ନବୀନଙ୍କ ସହ ବବିଙ୍କ ଫଟୋ ଲଗାଉଥିଲେ  । ତେବେ ପାଣ୍ଡିଆନ୍‌ ବିଜେଡ଼ି ରାଜନୀତିରେ ସକ୍ରିୟ ହେବାପରେ ବବିଙ୍କ ପତିଆରା କମିଯାଇଥିଲା  । ନବୀନଙ୍କ ସହ ପାଣ୍ଡିଆନଙ୍କ ଫଟୋ ହିଁ ଝଲସିଥିଲା  । ତେବେ ନିର୍ବାଚନରେ ବିଜେଡ଼ିର ବିପର୍ଯ୍ୟୟ ପାଇଁ ଉଭୟ ପାଣ୍ଡିଆନ୍‌ ଓ ବବିଙ୍କୁ ହିଁ ଦାୟୀ କରାଯାଇଛି  । ଗୋଟିଏ ପଟେ ପାଣ୍ଡିଆନ୍‌ ଏକାକୀ ମଞ୍ଚ ଉପରେ ରହିବାରୁ ବିଜେପି ଓଡ଼ିଆ ଅସ୍ମିତା ପ୍ରସଙ୍ଗ କଥା ଉଠାଇ ସଫଳ ହୋଇଥିଲା  । ସେପଟେ ବବି ପ୍ରତି ନିର୍ବାଚନମଣ୍ଡଳୀରେ ଦୁଇ ତିନି ଆଶାୟୀଙ୍କୁ ପ୍ରତିଶ୍ରୁତି ଦେଇଥିବାରୁ ନିର୍ବାଚନରେ ଗୋଷ୍ଠୀକନ୍ଦଳର ପ୍ରଭାବ ବି ପଡ଼ିଥିଲା  । ଗାଏମୋଟ କହିଲେ ଉଭୟ ପାଣ୍ଡିଆନ ଓ ବବିଙ୍କୁ ନେଇ ଅସନ୍ତୋଷ କୁହୁଳିଥିବା ଦେଖିବାକୁ ମିଳୁଛି  । ବିଜେଡ଼ିର ବିପର୍ଯ୍ୟୟ ପାଇଁ ଉଭୟ ନେତାଙ୍କୁ ମଧ୍ୟ ଦଳୀୟ କର୍ମୀମାନେ ଦାୟୀ କରୁଛନ୍ତି  । ତଥାପିବି ନବୀନଙ୍କ ଗୁଡ଼ବୁକରେ ଉଭୟ ପାଣ୍ଡିଆନ୍‌ ଓ ବବି ରହିଛନ୍ତି  । ତେବେ ଆଗାମୀ ଦିନରେ ଦଳ ସାଂଗଠନିକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି  । ଅରୁଣ ସାହୁ, ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ବିକ୍ରମ କେଶରୀ ଆରୁଖ, ରବୀନ୍ଦ୍ର ଜେନା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ଅନେକ ନେତାଙ୍କୁ ନେଇ ଗୋଟିଏ ଟିମ୍‌ ଗଠନ କରାଯିବ  । ନେତାମାନଙ୍କୁ ବିଭିନ୍ନ କ୍ଳଷ୍ଟରର ଦାୟିତ୍ୱ ଦିଆଯିବ  । ସମସ୍ତଙ୍କୁ ପ୍ରାୟ ସମାନ କ୍ଷମତା ଦିଆଯିବା ସହ କେବଳ ନବୀନଙ୍କୁ ହିଁ ସେମାନେ ରିପୋର୍ଟ କରିବେ  । ପ୍ରତି ମାସରେ ଦଳର ସମୀକ୍ଷା ବୈଠକ କରାଯିବ  । ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କୁ ଘେରିବା ପାଇଁ ଦଳ ରଣନୀତି କରିବ  । ସେହିପରି ପ୍ରତି ମାସରେ କୌଣସି ଏକ ପ୍ରସଙ୍ଗକୁ ନେଇ ବିଜେଡ଼ି ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବ  । ଖୁବଶୀଘ୍ର ପରାଜୟର କାରଣ ଖୋଜିବାକୁ ଦଳ କମିଟି ଗଠନ କରିବା ସହ ସମୀକ୍ଷା କରିବ  । ଜୁଲାଇରୁ ହିଁ ବିଜେଡ଼ି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବ ବୋଲି ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି  ।