ମୋଦିଙ୍କୁ ନବୀନଙ୍କ ଜବାବ ‘ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ’
Naveen Patanaik, Odisha
ଷଷ୍ଠ ଥର ସରକାର ଗଢ଼ିବ ବିଜେଡ଼ି
ଓଡ଼ିଶାର ବରପୁତ୍ର କ’ଣ ଭାରତ ରତ୍ନ ପାଇଁ ଯୋଗ୍ୟ ନୁହଁନ୍ତି
ନିର୍ବାଚନ ବେଳେ ଓଡ଼ିଶାକୁ ମନେ ପକାଇ କିଛି ଲାଭ ନାହିଁ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ ଜାରି ରଖିଥିବାବେଳେ ଆଜି ଏହାର ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ । ଜୁନ୍ ୧୦ରେ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ । ଷଷ୍ଠ ଥର ପୁଣି ବିଜେଡ଼ି ସରକାର ଗଢ଼ିବ ବୋଲି ସେ କହିବା ସହ ମୋଦିଙ୍କୁ ଲକ୍ଷ୍ୟ କରି ଅନେକ ପ୍ରଶ୍ନବାଣ ଛାଡ଼ିଛନ୍ତି ।
ଜୟ ଜଗନ୍ନାଥ, ମୋର କ’ଣ ମନେଅଛି କି ନାହିଁ । ହେଲେ ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲଭାବେ ଜାଣିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେ ରଖିଛନ୍ତି ? ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲେବି ଆପଣ ଓଡ଼ିଆ ଭାଷାକୁ ଭୁଲିଗଲେ । ସଂସ୍କୃତକୁ ହଜାରେ କୋଟି ହେଲେ ଓଡ଼ିଆ ଭାଷାକୁ ଶୂନ୍ୟ । ଆପଣ ଓଡ଼ିଶୀ ନୃତ୍ୟକୁ ଭୁଲିଗଲେ । ମୁଁ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ମୁଁ ଦୁଇଥର ପ୍ରସ୍ତାବ ଦେଇଛି । ହେଲେ ଆପଣ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଓଡ଼ିଶାରେ ବହୁ ବୀରପୁତ୍ର ଅଛନ୍ତି । କେତେ ନାଁ ଆପଣ ଆଜିବି କହିଲେ । ହେଲେ କେହିଜଣେ କ’ଣ ଭାରତ ରତ୍ନ ପାଇଁ ଠିକ ଲାଗିଲେନି ? ଆପଣ ଭାରତ ରତ୍ନ ବାଣ୍ଟିବା ବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ । ଆପଣ ଚାଷୀମାନଙ୍କ ପାଇଁ ଏମଏସପି ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆପଣ ତାହାକୁ ବି ଭୁଲିଗଲେ । ଓଡ଼ିଶା ଲୋକଙ୍କୁ ମନେ ରଖିକି କୋଷ୍ଟାଲ ହାଇୱେ କରିବାର ଥିଲା, ସେଇଟା ବି ଭୁଲିଗଲେ । ଓଡ଼ିଶାର ସମ୍ପଦ କୋଇଲା ଆପଣ ନେଉଛନ୍ତି । ରୟାଲଟି ବଢ଼ାଇବା ପାଇଁ ୧୦ ବର୍ଷ ହେଲା ଭୁଲିଗଲେ । କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ନାହିଁ । ୨୦୧୪ ଓ ୨୦୧୯ରେ ନିଜେ କରିଥିବା ପ୍ରତିଶ୍ରୁତିକୁ ମନେ ରଖିଛନ୍ତି କି ? ଆପଣ କହିଥିବା ଦରଦାମ ବୃଦ୍ଧି କମାଇବା, ୨ କୋଟି ଚାକିରୀ ଦେବା, ଏଲପିଜି, ଡିଜେଲ ଓ ପେଟ୍ରୋଲ ଦର କମାଇବା, ମୋବାଇଲ ସଂଯୋଗ କରିବା, ଜିଏସଟି ଛାଡ଼ କରିବା ସବୁ ଓଡ଼ିଶାବାସୀ ମନେ ରଖିଛନ୍ତି । ଜୁନ୍ ୧୦ରେ ନୁହେଁ, ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବ ନାହିଁ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜୁ ଜନତା ଦଳ ୬ଷ୍ଠ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ।