ନବୀନ ନିବାସରେ ଫଟୋ ସେସନ : ସ୍ମାଇଲ୍‌ ପ୍ଳିଜ୍‌

Biju Janata Dal

ନବୀନ ନିବାସରେ ଫଟୋ ସେସନ : ସ୍ମାଇଲ୍‌ ପ୍ଳିଜ୍‌

ଭୁବନେଶ୍ୱର : ନିଜକୁ ନିଜେ କୁତୁକୁତୁ କରି ହସିବାକୁ ଚେଷ୍ଟା କରୁଛି ବିଜୁ ଜନତା ଦଳ  । ଦଳ କାହିଁକି ହାରିଲା ସାଢେ଼ ତିନି ମାସ ପରେ ବି ସମୀକ୍ଷା ହେଲାନି  । ନୂଆ ଟିମ୍‌ ବି ଗଢ଼ା ହୋଇପାରିଲାନି  । ଆଗକୁ ଦଳର ରଣନୀତି ଓ ଭବିଷ୍ୟତ କ’ଣ ହେବ ? ସେହି ପ୍ରଶ୍ନ କର୍ମୀ ଓ ନେତାମାନଙ୍କୁ ଛନ୍ଦି ସାରିଲାଣି  । ସେପଟେ କିନ୍ତୁ ନବୀନ ନିବାସରେ ଚାଲିଛି ଫଟୋ ସେସନ୍‌  । ସ୍ମାଇଲ୍‌ ପ୍ଳିଜ୍‌ ଫଟୋଟା ସିନା ହସୁଛି, ହେଲେ ନେତାଙ୍କ ମରମ କିନ୍ତୁ ବିନ୍ଧୁଛି  । ନବୀନ ନିବାସର ଚଷୁକୁଟା ରଣନୀତି ଏବେ ବିଜେଡ଼ି ଅଳିନ୍ଦରେ ବେଶ୍‌ ଚର୍ଚ୍ଚା ସୃଷ୍ଟିକରିଛି  ।

ନିର୍ବାଚନରେ ହାରିବା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରେ ସମୀକ୍ଷା ବୈଠକ କରିଥିଲେ  । ବରିଷ୍ଠ ନେତାମାନଙ୍କ ମନରେ ନବୀନ ସାହାସ ଦେଇଥିଲେ  । ଆମେ ଏବେବି ରାଜ୍ୟର ଏକ ନମ୍ବର ଦଳ ଅଛୁ, ବିଜେପି ସଂଖ୍ୟା ଗରିଷ୍ଠତାରୁ ଅଳ୍ପ କିଛି ଅଧିକ ଆସନ ପାଇଛି  । କେନ୍ଦ୍ରରେ ବି ସଂଖ୍ୟାଲଘୁ ସରକାର ଅଛି  । ତେଣୁ ସମୟକୁ ଅପେକ୍ଷା କର ବୋଲି ନବୀନ କହିଥିଲେ  । ପରେପରେ ନବୀନ ବିଜେଡ଼ିର ପୂରା ଟିମ୍‌ ଭାଙ୍ଗି ଦେଇଥିଲେ  । ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ଗଠନ କରାଯାଇଥିଲା  । ଯେଉଁ କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଅରୁଣ କୁମାର ସାହୁ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ ଜେନା, ଶାରଦା ପ୍ରସାଦ ନାୟକ,  ସୁଦାମ ମାରାଣ୍ଡି, ମନୋହର ରାନ୍ଧାରୀ, ସ୍ନେହାଗିନୀ ଛୁରୀଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ପ୍ରମୁଖ ସଭ୍ୟ ରହିଥିଲେ  । କିନ୍ତୁ ଇତିମଧ୍ୟରେ ପ୍ରାୟ ଦେଢ଼ ମାସ ବିତିଗଲାଣି  । ଦଳ କିନ୍ତୁ ସାଂଗଠନିକ ପୁନର୍ବିନ୍ୟାସ କରିନାହିଁ  । ଯାହାକୁ ନେଇ ଦଳୀୟ ଅଳିନ୍ଦରେ ତୀବ୍ର ଅସନ୍ତୋଷ ବି ପରିଲକ୍ଷିତ ହେଉଛି  । ସେପଟେ ପ୍ରତିଦିନ ଜିଲ୍ଲାୱାରୀ ବୈଠକ ଡକାଯାଉଛି  । ହାରିଥିବା ପ୍ରାର୍ଥୀ ହୁଅନ୍ତୁ କି ଜିତିଥିବା ବିଧାୟକମାନେ ଆସି ନବୀନଙ୍କୁ ସାକ୍ଷାତ କରି ଆଲୋଚନା କରୁଛନ୍ତି  । ଏଥିପାଇଁ ନେତାମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭୁବନେଶ୍ୱର ଆସୁଛନ୍ତି  । ନିଜ ଚେଲାଚାମୁଣ୍ଡାଙ୍କୁ ଧରି କେବଳ ତେଲମରା କଥା ହିଁ କହୁଛନ୍ତି  । ଏହାପରେ ଫଟୋ ସେସନରେ ହିଁ ସବୁ କିଛି ଶେଷ ହୋଇଯାଉଛି  । ବିଜେଡ଼ିର ୨୪ ବର୍ଷର ସଫଳତାର ରାଗିଣୀ ଶୁଣି ସେମାନେ ଘରକୁ ଫେରୁଛନ୍ତି  ।

ସେପଟେ ବିଜେଡ଼ିକୁ କୋରି ଖାଇବା ପାଇଁ ଅମିତ ଶାହା ବଡ଼ ରଣନୀତି କରିଛନ୍ତି  । ଦୁଇ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ଯୋଗ ଦେଇସାରିଲେଣି  । କେତେକ ସ୍ଥାନରେ ବିଜେପି ବିଧାୟକମାନେ ବିଜେଡ଼ି ସମର୍ଥିତ ସରପଞ୍ଚମାନଙ୍କ ହାତରେ ପଦ୍ମଫୁଲ ଧରାଇ ଦେଇଛନ୍ତି  । ଗାଏମୋଟ୍‌ କହିଲେ ଦଳ ସରକାରରେ ଥିବାବେଳେ ଯେଉଁ ଫର୍ମୁଲାରେ ଚାଲିଥିଲା ଏବେ ବିରୋଧୀ ଦଳରେ ଥିବାବେଳେ ବି ସମାନ ଫର୍ମୁଲାରେ ଚାଲିଛି  । ଯାହାକୁ ନେଇ ଅନେକ ନେତା ପ୍ରଶ୍ନ ଉଠାଉଛନ୍ତି  ।

ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କୁ ନେଇ ଏବେ ଦଳରେ ଅସନ୍ତୋଷ ତେଜିବାରେ ଲାଗିଛି  । ନିକଟରେ ଶଙ୍ଖ ଭବନରେ ‘ବନ୍ଦ’ ପ୍ରସ୍ତୁତି ବୈଠକ ବେଳେ ଅମରେଶ ଜେନା, ବିରଞ୍ôଚ ମହାସୁପକାର ବନାମ ଅଶୋକ ପଣ୍ଡା ଓ ଅନନ୍ତ ନାରାୟଣ ଜେନାଙ୍କ ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳିଥିଲା  । ଗୋଟିଏ ପଟେ ଅମରେଶ ଓ ବିରଞ୍ôଚ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ବର୍ଷିଛନ୍ତି  । ଅପରପକ୍ଷରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଶୋକ ଓ ବୁନୁ ଦାବି କରିଛନ୍ତି  । ଯାହାକୁ ନେଇ ଦଳ ଦୋଛକିରେ ପଡ଼ିଯାଇଛି  । ସେହିପରି ଭୁବନେଶ୍ୱରରେ କେବଳ କର୍ପୋରେଟରମାନେ ସଂଗଠନ କରୁଛନ୍ତି କି ବୋଲି ପ୍ରଶ୍ନ ଉଠୁଛି  । କାହିଁକିନା ଅନ୍ୟ ନେତାମାନଙ୍କୁ ଗୁରୁତ୍ୱ ମିଳୁନାହିଁ  । ବିଜେଡ଼ି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ସଂଗଠନକୁ ମଜବୁତ କରିବାକୁ ଚାହୁଁଥିଲେବି ଦେବୀ ମିଶ୍ର ବେଶୀ ମାମଲତି କରୁଥିବା କୁହାଯାଉଛି  ।