ବିଜେପି ନେତାଙ୍କୁ ବଦଳି ଝଟ୍କା

ଭୁବନେଶ୍ୱର : ‘ବଦଳି ଓ ପୋଷ୍ଟିଂ ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ’ । ମୁଖ୍ୟ ଶାସନ ସଚିବଙ୍କ ଏହି ପଦିଏ କଥା ସରକାରୀ କର୍ମଚାରୀଙ୍କୁ ଯେତିକି ଝଟକା ଦେଇଛି ତା’ଠୁ ବେଶୀ ଝଟକା କିଛି ମାମଲତକାର ବିଜେପି ନେତାଙ୍କୁ ଦେଇଛି । ଆଉ ମୁଖ୍ୟ ସଚିବଙ୍କ ଚିଠି ଏବେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଆଶ୍ୱସ୍ତ କରିଦେଇଛି ।
ବିଜେପି ସରକାରକୁ ଆସିବା ପରେ ବହୁଦିନ ଧରି କ୍ଷମତା ଭୋକରେ ଥିବା କିଛି ବିଜେପି ନେତା ବେଶ୍ ଉତପାତ ଆରମ୍ଭ କରିଦେଇଥିଲେ । କିଏ କହିଲେ ମୁଁ ଅମୁକ ମନ୍ତ୍ରୀଙ୍କ ସାଙ୍ଗ ତ କିଏ କହିଲେ ଅମୁକ ମନ୍ତ୍ରୀଙ୍କ ଆଗଧାଡ଼ିର କର୍ମୀ । ଆଉ କେତେକ ମଣ୍ଡଳ ଓ ଜିଲ୍ଲା ସଭାପତିମାନେ ବି ପତିଆରା ବିସ୍ତାର କରିବାରେ ଲାଗିପଡ଼ିଲେ । ସେମିତି କିଛି ପଦପଦବୀ କି କ୍ଷମତାରେ ନଥିଲେବି ଗାଡ଼ି ଆଗରେ ଅମୁକ ମୋର୍ଚ୍ଚା ସଭାପତି, ସମୁକ ମୋର୍ଚ୍ଚା ସମ୍ପାଦକ ବୋଲି ବଡ଼ ବଡ଼ ନେମପ୍ଳେଟ ବି ମାରିଚାଲିଲେ । ବିଜେପି ସରକାର ଆସୁଆସୁ କିଛି ନେତାଙ୍କ ଗାଡ଼ି ଆଗରେ ପଦ୍ମଫୁଲ ପତାକା ଓ ଷ୍ଟିକର ବି ଲାଗିଲା । ସେହିପରି ସାଧାରଣରେ ସରକାର ଓ ଦଳ ପକ୍ଷରୁ ଗୋଟିଏ ଭିନ୍ନ ଧାରଣା ଦିଆଗଲା । ଏଣିକି ଆଉ ବାବୁରାଜ୍ ନୁହେଁ ଏଣିକି ଚାଲିବ ନେତାଙ୍କ ଶାସନ । ଅର୍ଥାତ୍ ବାବୁଙ୍କ ପାଖରେ ଆଉ କିଛି କାମ ନାହିଁ । ନେତାଙ୍କୁ ଧରିଲେ କାମ ଶହେ ପ୍ରତିଶତ ହେବା ଥୟ ବୋଲି ଗୋଟିଏ ଧାରଣା ବି ତିଆରି ହେଲା । ସରକାର ବଦଳିଛି ଓ ଢାଞ୍ଚା ବଦଳିଛି ବୋଲି ସ୍ପଷ୍ଟ ହେବାପରେ ଛୋଟମୋଟ ସବୁ ନେତା ନିଜ ନିଜ ପତିଆରା ବିସ୍ତାର ଆରମ୍ଭ କରିଦେଇଛନ୍ତି ।
କିଏ ସିଧାସଳଖ ଠିକାଦାରୀ ଆରମ୍ଭ କଲେଣି ତ ଆଉ କିଏ ଚାନ୍ଦା ଆଦାୟରେ ଲାଗି ପଡ଼ିଛନ୍ତି । ଆଉ କିଏ ବଦଳି ଓ ପୋଷ୍ଟିଂ ପାଇଁ ସରକାରୀ କର୍ମଚାରୀଙ୍କ ଠାରୁ ମାଲ୍ ପକାଇ ଲବି କରିବାରେ ବ୍ୟସ୍ତ ରହିଲେ । କେତେକ ବିଧାୟକ ବି ଏହି କାମରେ ଲାଗିପଡ଼ିଲେ । ବଦଳି ଓ ପୋଷ୍ଟିଂ ପାଇଁ ସିଧାସଳଖ ଚାପ ପକାଇଲେ । ମୁଁ ଅମୁକ ଏମଏଲଏ କହୁଛି, ମୁଁ ସମୁକ ସଭାପତି କହୁଛି, ଆମ କାମଟା ନକଲେ ସିଧା ସିଏମ, ଡେପୁଟି ସିଏମ ଓ ମିନିଷ୍ଟରଙ୍କୁ କହିବି କହି ଡରାଇବାକୁ ବି ଚେଷ୍ଟା କଲେ । ପ୍ରତିଦିନ ମନ୍ତ୍ରୀଙ୍କ ପାଖକୁ ଏତେ ଦାବି ଆସିଲାଯେ, ସେମାନେ ଅସ୍ତବ୍ୟସ୍ତ ହୋଇଗଲେ । ନିଜ ବିଭାଗ କଥା ବୁଝିବେ ନାଁ କର୍ମୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ବଦଳି ଓ ପୋଷ୍ଟିଂ କଥା ବୁଝିବେ । ଏସବୁ ନେଇ ମନ୍ତ୍ରୀ ଓ ପ୍ରଶାସନ ବିଚଳିତ ହୋଇଯିବା ପରେ ମୁଖ୍ୟ ଶାସନ ସଚିବଙ୍କୁ ବଦଳି ଓ ପୋଷ୍ଟିଂ ନେଇ ଚିଠି ବାହାର କରିବାର ଯୋଜନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ବିନା ଅଗୋଚରରେ ଏକଥା ହୋଇନାହିଁ । ଏଭଳି କରିବା ଦ୍ୱାରା ମନ୍ତ୍ରୀଙ୍କ ଠାରୁ ନେଇ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି । ଏଣିକି ବଦଳି ଓ ପୋଷ୍ଟିଂ ନେଇ ଯେଉଁମାନେ ଆସିବେ ସେମାନଙ୍କୁ ମୁଖ୍ୟସଚିବଙ୍କ ପତ୍ର ହିଁ ଦେଖାଇ ଦେଇହେବ । ପ୍ରଶାସନ କଟକଣା ଲଗାଇଥିବାରୁ ହୋଇପାରୁନି ବୋଲି ସଂକ୍ଷିପ୍ତ ଉତ୍ତର ବି ଦେଇହେବ । ଏହାଦ୍ୱାରା କର୍ମୀ ବି ବୁଝିପାରିବେ ଓ ବିଧାୟକ ଏବଂ ମନ୍ତ୍ରୀମାନେ ଆଶ୍ୱସ୍ତ ହୋଇପାରିବେ ।