ରାଜ୍ୟ ବିଜେପିରେ ଝଡ଼

ଭୁବନେଶ୍ୱର : ରାଜ୍ୟ ବିଜେପିରେ ଏବେ ଅସନ୍ତୋଷର ଲଘୁଚାପ ଦାନା ବାନ୍ଧି ସାରିଲାଣି । ନୂଆ ସରକାର ଆସିବା ପରେ କେବଳ ପ୍ରଶାସନିକ କଳ ହିଁ ତତ୍ପର ହୋଇଛି । ମନ୍ତ୍ରୀ ଓ ବିଧାୟକମାନେ ହିଁ କ୍ଷମତାର ସ୍ୱାଦ ଚାଖିଛନ୍ତି । କିନ୍ତୁ ଦଳର ଶହେ ସରିକି ଆଗଧାଡ଼ିର ନେତାମାନେ କିନ୍ତୁ ପରିବର୍ତ୍ତନ କ’ଣ ତାହା ଦେଖିପାରୁନାହାନ୍ତି । କେବଳ ରାସ୍ତାଘାଟରେ ସବୁଜ ବିଲ୍ବୋଡର଼୍ ବଦଳରେ ଗେରୁଆ ବିଲ୍ ବୋଡର଼୍ ହିଁ ବଦଳିଛି । ଦଳ କ୍ଷମତାକୁ ଆସିବା ପରେ ସେମାନଙ୍କ ଭବିଷ୍ୟତ କିନ୍ତୁ ବଦଳି ପାରିନାହିଁ । ରାଜ୍ୟ ବିଜେପିରେ ଝଡ଼ ସୃଷ୍ଟି ହେବା ଘଟଣା ଏବେ ନେତା ଓ କର୍ମୀଙ୍କୁ ଚିନ୍ତାରେ ପକାଇ ଦେଇଛି ।
ରାଜ୍ୟରେ ସରକାର ଗଢ଼ିବା ପରେ ଆଗଧାଡ଼ିର ବିଜେପି ନେତାମାନେ ଖୁସି ହୋଇଯାଇଥିଲେ । ନୂଆ ସରକାର ଶପଥ ନେବା ପରଠାରୁ ଦଳୀୟ କାର୍ଯ୍ୟାଳୟରେ ସେମାନଙ୍କ ଭିଡ଼ ଜମୁଥିଲା । ନୂଆ ଜାମା ଯୋଡ଼ ପିନ୍ଧି ଟହଲ ମାରୁଥିଲେ । ବିଧାୟକ ନହେଲେ ନାହିଁ, ନିଗମ ଅଧ୍ୟକ୍ଷ ପଦ ମିଳିବାଟା ଥୟ । ଜୁଲାଇରୁ ହିଁ ସେମାନେ ଲବି ଆରମ୍ଭ କରିଦେଇଥିଲେ । କିନ୍ତୁ ମାସ ପରେ ମାସ ବିତିଯାଇଛି ସିନା ନିଗମ ଅଧ୍ୟକ୍ଷ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି । କେବେ ହେବ ସେନେଇ କେହି ପଦୁଟିଏ ବି କହିପାରୁନାହାନ୍ତି ।
ଖାଲି ସେତିକିନୁହେଁ, ମହିଳା କମିଶନ ଠାରୁ ନେଇ ସୂଚନା ଅଧିକାର, ଖାଦ୍ୟ କମିଶନ ଭଳି ଅନେକ କମିଶନ ରହିଛି । ସେଥିରେ ବି ଥଇଥାନ ହେବାକୁ ଅନେକ ନେତା ଆଶା ବାନ୍ଧି ବସିଥିଲେ । ଯେଉଁ ବିଧାୟକମାନେ ମନ୍ତ୍ରୀ ହୋଇପାରିନାହାନ୍ତି ସେମାନେ ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ପଦବୀ ଉପରେ ଆଖି ପକାଇଥିଲେ । ହେଲେ ବିଧାୟକମାନଙ୍କୁ ବି ନିରାଶ ହେବାକୁ ପଡ଼ିଛି । ଦଳୀୟ କର୍ମୀମାନେ ସରକାରୀ ଏପିପି ହେବାକୁ ବି ଧାଡ଼ି ଲଗାଇଥିଲେ । ସେହି ପ୍ରକ୍ରିୟା ବି ଏବେ ଶୀତଳ ଭଣ୍ଡାରରେ ରହିଛି । ଦଳ ଓ ସରକାର ମଧ୍ୟରେ ତାଳମେଳ ଓ ସମନ୍ୱୟ ରହୁନଥିବାରୁ ବିଜେପି ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଲାଣି ।
ବିଜେଡ଼ି ଅମଳରେ ନବୀନ ଉଭୟ ସରକାର ଓ ଦଳର ମୁଖ୍ୟ ଥିଲେ । କିନ୍ତୁ ବିଜେପିରେ ଅବସ୍ଥା ଭିନ୍ନ । ଦଳୀୟ ଦୃଷ୍ଟିରୁ ମନମୋହନ ସାମଲଙ୍କ ହାତରେ ପାୱାର ରହିଛି । ସରକାର ହିସାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ କ୍ଷମତା ଅଛି । ଏସବୁ ଭିତରେ ରାଜ୍ୟ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନଙ୍କର ପାୱାରକୁ ବି ନଜରଅନ୍ଦାଜ କରାଯାଇପାରିବ ନାହିଁ । ଖାଲି ସେତିକିନୁହେଁ ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବାରୁ ସେ ବି ପତିଆରା ଜାହିର କରିବାର ସୁଯୋଗକୁ ହାତଛଡ଼ା କରୁନାହାନ୍ତି । ଏବେ କ୍ଷମତା ପାଇଁ ପତିଆରା ଲଢେ଼ଇ ଚାଲିଥିବାରୁ ନେତା ଓ କର୍ମୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ନୂଆବର୍ଷରୁ ବିଜେଡ଼ି ଆକ୍ରମଣାତ୍ମକ ରଣନୀତି କରୁଥିବାବେଳେ ବିଜେପି ନେତାଙ୍କ ମଧ୍ୟରେ ଏଭଳି ଅସନ୍ତୋଷ ବଢ଼ିଲେ ଦଳ ଘାଟାରେ ପଡ଼ିବ ବୋଲି କୁହାଯାଉଛି ।