ଏଚ୍‌ବିଓ ଆଣ୍ଡ କେବୁଲ୍‌ଭିଜନ୍‌ର ସ୍ରଷ୍ଟା ଚାର୍ଲ୍ସ ଡୋଲାନ୍‌ଙ୍କ ପରଲୋକ

HBO And Cablevision Founder Charles Dolan Dies

ଏଚ୍‌ବିଓ ଆଣ୍ଡ କେବୁଲ୍‌ଭିଜନ୍‌ର ସ୍ରଷ୍ଟା ଚାର୍ଲ୍ସ ଡୋଲାନ୍‌ଙ୍କ ପରଲୋକ
ଏଚ୍‌ବିଓ ଆଣ୍ଡ କେବୁଲ୍‌ଭିଜନ୍‌ର ସ୍ରଷ୍ଟା ଚାର୍ଲ୍ସ ଡୋଲାନ୍‌ଙ୍କ ପରଲୋକ

ୱାଶିଂଟନ୍‌: ଏଚ୍‌ବିଓ ଏବଂ କେବୁଲଭିଜନ୍‌ ସଂସ୍ଥାର ସ୍ରଷ୍ଟା ତଥା ଆମେରିକାର ବିଶିଷ୍ଟ ବ୍ୟବସାୟୀ ଚାର୍ଲ୍ସ ଡୋଲାନ୍‌ଙ୍କ ଶନିବାର ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ତାଙ୍କୁ ଶେଷ ବିଦାୟ ଦେବା ନିମନ୍ତେ ତାଙ୍କ ମୃତଦେହ ନିକଟରେ ପରିବାର ବର୍ଗଙ୍କ ସମେତ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । କେବୁଲ୍‌ ଟିଭିର ଆରମ୍ଭ କରି ସେ ଟିଭି ଦୁନିଆରେ ନୂତନ ପରିବତ୍ତ️ର୍ନ ଆଣିଥିଲେ । ଏହି ସୁବିଧାକୁ ଲୋକେ ବିଶେଷ ଭାବେ ପସନ୍ଦ କରିବା ଯୋଗୁ ଡୋଲାନ୍‌ଙ୍କ ପ୍ରତି ଲୋକପ୍ରିୟତା ମଧ୍ୟ ବଢ଼ିଥିଲା । ଦୂରଦୃଷ୍ଟି ସମ୍ପନ୍ନ ଡୋଲାନ୍‌ ପରେ କେବୁଲଭିଜନ୍‌ ସିଷ୍ଟମ କର୍ପୋରେସନ୍‌ ନାଁରେ ନୂଆ କମ୍ପାନୀ ଖୋଲି ଲୋକଙ୍କୁ ଏହାର ସୁବିଧା ଯୋଗାଇ ଦେଇଥିବା ବେଳେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କମ୍ପାନୀମାନେ ପଛରେ ପଡ଼ି ଯାଇଥିଲେ ।

ଧିରେ ଧିରେ ଲୋକପ୍ରିୟତା ହାସଲ କରୁଥିବା କେବୁଲଭିଜନ୍‌ କମ୍ପାନୀକୁ ଆହୁରି ସୁଦୃଢ଼ କରିବା ପାଇଁ ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ କରିଥିଲେ । ଆଉ ଏଥିପାଇଁ ଜାତୀୟସ୍ତରର ବହୁ ସଂସ୍ଥାନମାନେ ସମ୍ମତି ଦେଇଥିଲେ । ଅପରପକ୍ଷେ କମ୍ପାନୀର ଲୋକପ୍ରିୟତା ବୃଦ୍ଧି ପାଇବା ଯୋଗୁଁ ୧୯୭୩ରେ ନ୍ୟୁୟର୍କସ୍‌ର ଲଙ୍ଗ୍‌ ଆଇଜ୍‌ଲାଣ୍ଡରେ ଏହି କମ୍ପାନୀ ପାଖାପାଖି ୧୫୦୦ ଗ୍ରାହକଙ୍କୁ ସେବା ଯୋଗାଇଥିଲା । ସେହି ବର୍ଷରୁ ତାଙ୍କ ବ୍ୟବସାୟ ଟ୍ରାକ୍‌କୁ ଆସିଥିଲା । ପରେ କମ୍ପାନୀର ତିନିଚତୁର୍ଥାଂଶ ନିର୍ଦ୍ଦେଶକ ଡୋଲାନ୍‌ଙ୍କ ସପକ୍ଷରେ ଭୋଟ୍‌ ଦେବାରୁ ୧୯୮୬ରେ କମ୍ପାନୀ ଉପରେ ନିଜର ସତ୍ତ️୍ୱାଧିକାର ପାଇଥିଲେ ଡୋଲାନ୍‌ । ଆଉ ସେହି ବର୍ଷ ପ୍ରଥମଥର ପାଇଁ ୨୪ଘଣ୍ଟିଆ ପ୍ରସାରିତ ହେଉଥିବା ଆଞ୍ଚଳିକ ନ୍ୟୁଜ୍‌ ଚ୍ୟାନେଲ୍‌ ଭାବେ କେବୁଲ୍‌ଭିଜନ୍‌ କମ୍ପାନୀ ନ୍ୟୁୟର୍କସ୍‌ର ଲଙ୍ଗ୍‌ଆଇଜ୍‌ଲାଣ୍ଡରେ ନିଜର ପରିଚୟ ପାଇଥିଲା । 

୨୦୧୫ ବେଳକୁ କେବୁଲ୍‌ଭିଜନ୍‌ ନ୍ୟୁୟର୍କ ସିଟିରେ ୨.୬ ମିଲିୟନ୍‌ ସବ୍ରସ୍କ୍ରାଇବର୍‌ ବୃଦ୍ଧି କରିସାରିଥିଲା । କିନ୍ତୁ ସେହିବର୍ଷ ଆମେରିକାରେ ନେଦରଲାଣ୍ଡ୍‌ସର ‘ଆଲ୍‌ଟିନ୍‌ ଏନ୍‌ଭି’ କେବୁଲ୍‌ ଟେଲିଭିଜନ୍‌ ୧୭.୭ ବିଲିୟନ୍‌ ଡଲାର୍‌ ଖର୍ଚ୍ଚ କରି ୪ର୍ଥ ବୃହତ୍ତ️ମ କେବୁଲ ଟିଭି ସେବାଯୋଗାଣକାରୀ ସଂସ୍ଥା ଭାବେ ଉଭା ହୋଇଥିଲା । ଆଉ ୪ ଦଶନ୍ଧି ଧରି ଆମେରିକାବାସୀଙ୍କୁ କେବୁଲ୍‌ ଟିଭି ସେବା ଯୋଗାଣ କରୁଥିବା ଡୋଲାନ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିଲା । ତେବେ ଡୋଲାନ୍‌ ୨୦୨୦ ପର୍ଯ୍ୟନ୍ତ ଏଏମ୍‌ସି ନେଟୱର୍କ୍ସର ଏକ୍‌ଜିକ୍ୟୁଟିଭ୍‌ ଚେୟାର୍‌ମ୍ୟାନ୍‌ ରହିଥିଲେ । ବ୍ଲୁମ୍‌ବର୍ଗର ଧନୀକଶ୍ରେଣୀ ମାନକ ତାଲିକା ଅନୁଯାୟୀ ୨୦୨୧ ସୁଦ୍ଧା ଡୋଲାନ୍‌ ୫.୬ କୋଟି ଡଲାର୍‌ର ମାଲିକ ଥିଲେ ।