ୟୁପିଏସସି ଶତାଦ୍ଦୀ ସମାରୋହ : ସମ୍ବିଧାନ ନିର୍ମାତାଙ୍କ ବିଜ୍ଞତା ପ୍ରତି ଶ୍ରଦ୍ଧାଞ୍ଜଳି:  ଡ. ପି.କେ ମିଶ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ନୂଆଦିଲ୍ଲୀରେ ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ବିଗତ ୧୦୦ ବର୍ଷ ଧରି ୟୁପିଏସସି ଦେଶର ସବୁଠାରୁ ସମ୍ମାନିତ ସାମ୍ବିଧାନିକ ସଂସ୍ଥା ଭାବରେ ମର୍ଯ୍ୟାଦା ଏବଂ ଭରସାଯୋଗ୍ୟତା ବଜାୟ ରଖିବା ସହିତ ଯୋଗ୍ୟତା, ନିରପେକ୍ଷତା, ଉତ୍କର୍ଷତା ଏବଂ ବିଶ୍ୱସନୀୟତାକୁ ବଜାୟ ରଖିଛି । ଡକ୍ଟର ପି.କେ. ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ, ଏହି ଅବସର ସମ୍ବିଧାନର ପ୍ରତିଷ୍ଠାତା ଏବଂ ଆୟୋଗର ଗଠନମୂଳକ ବର୍ଷଗୁଡ଼ିକରେ ମାର୍ଗଦର୍ଶନ କରିଥିବା ଦୂରଦ୍ରଷ୍ଟା ବ୍ୟକ୍ତିଙ୍କ ବିଚକ୍ଷଣତା ପ୍ରତି ଶ୍ରଦ୍ଧାଞ୍ଜଳି। ୟୁପିଏସସିର ସମସ୍ତ ଅଧ୍ୟକ୍ଷ, ସଦସ୍ୟ, ଅଧିକାରୀ ଏବଂ କର୍ମଚାରୀଙ୍କ ଅବଦାନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଯେଉଁମାନେ ବିଭିନ୍ନ ଆହ୍ୱାନ ସତ୍ତେ୍ୱ ସ୍ୱଚ୍ଛତା ଏବଂ ଯୋଗ୍ୟତାକୁ ନିଶ୍ଚିତ କରି ପାରିଥିଲେ । 

   

     ଭାରତର ବିବିଧତା ପରିଧିରୁ ଆସିଥିବା ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ପିଢ଼ି ପ୍ରାୟତଃ ସ୍ୱୀକୃତି ବିନା କର୍ତ୍ତବ୍ୟ, ନିରପେକ୍ଷତା ଏବଂ ରାଷ୍ଟ୍ର ସେବାର ଆଦର୍ଶକୁ ଆଗକୁ ବଢ଼ାଇଛନ୍ତି, ଅନୁଷ୍ଠାନ ଗଢିଛନ୍ତି, ସ୍ଥିରତା ରକ୍ଷା କରିଛନ୍ତି, ସଂସ୍କାର କାର୍ଯ୍ୟକାରୀ କରିଛନ୍ତି ଏବଂ ସାମ୍ବିଧାନିକ ନୈତିକତାକୁ ବଜାୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ । ଅନେକ ଦଶନ୍ଧି ଧରି ୟୁପିଏସସିର ପରୀକ୍ଷା ବ୍ୟବସ୍ଥା ଆଧୁନିକ ପ୍ରଶାସନ ସହିତ ବିକଶିତ ହୋଇଛି ଏବଂ ନିରପେକ୍ଷତା, ଯୋଗ୍ୟତା ଏବଂ ସମାନତା ବଜାୟ ରଖିଛି । ନିଯୁକ୍ତି ବ୍ୟତୀତ, ୟୁପିଏସସି ପଦୋନ୍ନତି, ଡେପୁଟେସନ୍‌ ଏବଂ ଶୃଙ୍ଖଳାଗତ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶଦାତା ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଥିଲେ । ଡକ୍ଟର ମିଶ୍ର ସାମ୍ପ୍ରତିକ ପ୍ରତିଭା ସେତୁ ପୋର୍ଟାଲ୍‌ ଉପରେ ଆଲୋକପାତ କରିଥିଲେ, ଯାହା ଚୂଡ଼ାନ୍ତ ପରୀକ୍ଷା ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରତିଭାଶାଳୀ ପ୍ରାର୍ଥୀମାନଙ୍କୁ ଜାତୀୟ କ୍ୟାରିଅର ସେବା ସହ ଯୋଡି ହୋଇଥିବା ସମ୍ଭାବ୍ୟ ନିଯୁକ୍ତିଦାତାଙ୍କ ସହ ସୁରକ୍ଷିତ ଭାବରେ ସଂଯୋଗ କରିଥାଏ  । ଡକ୍ଟର ମିଶ୍ର କହିଥିଲେ, ଭାରତ ୨୦୪୭ ମସିହା ସୁଦ୍ଧା ବିକଶିତ ରାଷ୍ଟ୍ରର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ଠିଆ ହୋଇଛି ବୋଲି କହିଥିଲେ ।