ନବୀନଙ୍କ ତଣ୍ଟିରେ ‘ବିଦ୍ରୋହୀ’ କଣ୍ଟା

Naveen Pattanaik Biju Janata Dal

ନବୀନଙ୍କ ତଣ୍ଟିରେ ‘ବିଦ୍ରୋହୀ’ କଣ୍ଟା

ଏ ନାଟକର ଖଳନାୟକ ପାଣ୍ଡିଆନ୍‌ ନୁହଁନ୍ତି ତ ?

।। ପ୍ରଭାନ୍ୟୁଜ୍‌ ।। ଭୁବନେଶ୍ୱର, ୩୦ା୯ : ବାଘ ବୁଢ଼ା ହେଲେ, ଘାସ ସିନା ଖାଏନାହିଁ  । କିନ୍ତୁ ନିରେଖି ଦେଖୁଥିବା ଠେକୁଆର ବାଘପ୍ରତି ଡର ଭୟ ରହେନାହିଁ  । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଠିକ୍‌ ଏମିତି ହିଁ ଅବସ୍ଥା ହୋଇଯାଇଛି  । ନବୀନ କେତେଦିନ ଦଳ ସମ୍ଭାଳିବେ ତାହାକୁ ନେଇ ନେତାମାନେ ଦୋଛକିରେ  । ଯେଉଁଥିପାଇଁ ବିଜେଡ଼ିରେ ଗୋଷ୍ଠୀକନ୍ଦଳ, ଛକାପଞ୍ଝା, ଗୋଛିକଟା ବଢ଼ିବାରେ ଲାଗିଛି  । ସତେଯେମିତି ନବୀନଙ୍କ ତଣ୍ଟିରେ ଏବେ ବିଦ୍ରୋହୀ କଣ୍ଟା ଲାଗିଯାଇଛି  । ନା ଢେ଼ାକି ପାରୁଛନ୍ତି ନା ଖାଇ ପାରୁଛନ୍ତି  । ଟାଣୁଆ ନେତାଙ୍କୁ ଦଳରୁ ବିଦା କଲେ ଦଳ ଦୁର୍ବଳ ହେବା ସହ ବିଜେପି ମଜବୁତ୍‌ ହେବାର ବି ଆଶଙ୍କା ରହିଛି  । ହେଲେ ନବୀନଙ୍କୁ ଏମିତି ଅକଳରେ ପକାଇଥିବା ଖଳନାୟକ ପାଣ୍ଡିଆନ୍‌ ନୁହଁନ୍ତି ତ ? ଏମିତି ପ୍ରଶ୍ନ ଉଠିବା ସ୍ୱାଭାବିକ  ।

ଭୁବନେଶ୍ୱର ବିଜେଡ଼ିର ଗୋଷ୍ଠୀକନ୍ଦଳ ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟିକରିଛି  । ଅମରେଶ ଜେନା ଓ ବିରଞ୍ଚି ମହାସୁପକାର ଯୁଦ୍ଧଂଦେହୀ ଡାକରା ବି ଦେଇଛନ୍ତି  । ତେବେ ଅମରେଶ ଓ ବିରଞ୍ଚିଙ୍କୁ ବଳଶାଳୀ କରିବାରେ ଭିକେ ପାଣ୍ଡିଆନଙ୍କର ଏକ ବଡ଼ ଭୂମିକା ରହିଛି  । ଅନନ୍ତ ଜେନାଙ୍କୁ ଗତ ଦଶ ବର୍ଷ ଧରି ଅମରେଶ ଜୋରଦାର ବିରୋଧ କରୁଛନ୍ତି  । କିନ୍ତୁ ଆକ୍ସନ ନେବା ବଦଳରେ ଅମରେଶଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ତାଙ୍କୁ ବହୁ ଗୁରୁ ଦାୟିତ୍ୱ ଦେଇଥିଲା  । ସେହିପରି ଅଶୋକ ପଣ୍ଡାଙ୍କୁ ଚେକ୍‌ ଦେବା ପାଇଁ ବିରଞ୍ଚି ମହାସୁପକାରଙ୍କୁ ପାଣ୍ଡିଆନ ହିଁ ବଳବାନ କରିଥିଲେ  । ନଚେତ୍‌ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଅନନ୍ତ ଜେନାଙ୍କୁ ଅମରେଶ ଓ ଅଶୋକ ପଣ୍ଡାଙ୍କୁ ବିରଞ୍ଚି ଅକଳରେ ପକାଇଥିଲେ  ।  ସେତେବେଳେ ଯଦି କାର୍ଯ୍ୟାନୁଷ୍ଠାନ ନିଆ ଯାଇଥା’ନ୍ତା ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିନଥା’ନ୍ତା  । ଦଳ କ୍ଷମତାରେ ଥିଲା, ତେଣୁ କ୍ଷତି ଭରଣା ବି କରିପାରିଥା’ନ୍ତା  । କିନ୍ତୁ ପାଣ୍ଡିଆନ୍‌ ଚାହିଁନଥିଲେ, ବରଂ ବୁନୁ ଓ ଅଶୋକଙ୍କୁ ଅକଳରେ ପକାଇବା ପାଇଁ ବାଇଁଆ ଓ ଲିଟୁଙ୍କୁ ଅଧିକ ଶକ୍ତିଶାଳୀ କରିଥିଲେ ବୋଲି କେତେକ ବିଜେଡ଼ି ନେତା ମତବ୍ୟକ୍ତ କରୁଛନ୍ତି  ।