ଦିନେ ଟିକେଟ ମିଳିନଥିଲା, ଆଜି ବାଚସ୍ପତି
Odisha Speaker

ଭୁବନେଶ୍ୱର : ରଣପୁର ବିଧାୟିକା ସୁରମା ପାଢ଼ୀ ବିଧାନସଭାର ବାଚସ୍ପତି ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ସୁରମା ବାଚସ୍ପତି ଭାବେ ନିର୍ବାଚିତ ହେବା ସହ ସମସ୍ତଙ୍କ ସହଯୋଗରେ ଗୃହର ମର୍ଯ୍ୟାଦା ଓ ଗରିମା ରକ୍ଷା କରିବେ ବୋଲି କହିଛନ୍ତି ।
ଆଜି ବାଚସ୍ପତି ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଦିନ ୧୧ଟାରେ ଗୃହକୁ ପ୍ରବେଶ କରିଥିଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାର ସଦସ୍ୟା ସୁରମା ପାଢ଼ୀଙ୍କୁ ବାଚସ୍ପତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । କାମଚଳା ବାଚସ୍ପତି ଗୃହର ମତାମତ ଲୋଡ଼ିବା ସହ ସୁରମା ବାଚସ୍ପତି ହେଲେ ବୋଲି ଘୋଷଣା କରିଥିଲେ । ସେ କହିଥିଲେଯେ, ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ ହୋଇଥିବାରୁ ମୁଁ ବହୁତ ଆନନ୍ଦିତ । ସେ ରଣପୁରରୁ ୨୦୦୪ରେ ନିର୍ବାଚିତ ହୋଇଥିଲେ । ସେ ଦକ୍ଷତାର ସହ କାମ କରି ଗୃହର ପଦମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବେ ବୋଲି ଆଶା ବ୍ୟକ୍ତ କରିଥିଲେ ।
ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ସୁରମାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ବିଜେଡ଼ି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି, ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ବାଚସ୍ପତିଙ୍କ ଚଉକି ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।
ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ଶ୍ରୀମତୀ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ଡାକିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେଯେ, ବାଚସ୍ପତି ଭାବେ ସୁରମା ପାଢ଼ୀଙ୍କୁ ସର୍ବସମ୍ମତକ୍ରମେ ମନୋନୀତ କରାଯାଇଥିବାରୁ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି । ପବିତ୍ର ଗୃହର ଗରିମା ଓ ପଦମର୍ଯ୍ୟାଦା ରକ୍ଷା କରିବା ପାଇଁ ସେ କାର୍ଯ୍ୟ କରିବେ । ଓଡ଼ିଶାବାସୀଙ୍କ ସେବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ । ବାଚସ୍ପତିଙ୍କୁ ଗୃହ ସୁପରିଚାଳନାରେ ଆମେ ସହଯୋଗ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓ ଶ୍ରୀମତୀ ପରିଡ଼ା ଅଭିନନ୍ଦନ ଜଣାଇଥିଲେ ।
ବିଜେଡ଼ି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେଯେ, ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ବିଧାନସଭାର ସଦସ୍ୟା ଓ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା କଥା ମୁଁ ମନେ ପକାଉଛି । ସେ ଗୃହର ଗରିମା ରକ୍ଷା କରିବେ ବୋଲି ଆଶା ପ୍ରକାଶ କରୁଛନ୍ତି । ଗୃହ ପରିଚାଳନାରେ ସମସ୍ତ ସଭ୍ୟ ସହଯୋଗ କରିବେ ବୋଲି ସେ କହିଥିଲେ ।
କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଥିଲେଯେ, ରାଜ୍ୟର ଦ୍ୱିତୀୟ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ସେ ଆନନ୍ଦିତ । ରାଜନୀତିରୁ ଉଦ୍ଧ୍ୱର୍ରେ ରହି କାମ କରିବେ ବୋଲି ଆଶା ବ୍ୟକ୍ତ କରୁଛନ୍ତି । ସେହିପରି ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।
ଶେଷରେ ବାଚସ୍ପତି କହିଥିଲେଯେ, ବିଧାନସଭା ଏକ ପବିତ୍ର ଗୃହ । ଗଣତନ୍ତ୍ରର ମନ୍ଦିର । ଏହି ଗୃହରେ ଅନେକ ମହାନ ବ୍ୟକ୍ତି ବାଚସ୍ପତି ଭାବେ ଗୃହର ଗରିମା ରକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମସ୍ତେ ସମର୍ଥନ କରିଥିବାରୁ ସେ ହୃଦୟରୁ ଶ୍ରଦ୍ଧା ଜ୍ଞାପନ କରୁଛନ୍ତି । ମୁଁ ସାଧାରଣ ଘରର ପିଲା । ଏମିତି ସ୍ଥାନରେ ବସିବାର ସୁଯୋଗ ମିଳିବ ବୋଲି ଭାବିନଥିଲି । ପଦମର୍ଯ୍ୟାଦା ଓ ଗରିମା ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ସମସ୍ତେ ସହଯୋଗ କରିବେ ବୋଲି ଆଶା । ଦଳମତ ନିର୍ବିଶେଷରେ ଓଡ଼ିଶାର ଅସ୍ମିତା ଓ ବିକାଶ ପାଇଁ ଆମେ ସମସ୍ତେ ନୀତି ନିର୍ଦ୍ଧାରଣ କରିବା । ସମସ୍ତଙ୍କ ସହଯୋଗରେ ଗୃହ ପରିଚାଳନାରେ ସଫଳ ହେବିବୋଲି ସେ କହିଥିଲେ ।