ସୌମ୍ୟଙ୍କୁ ଧୋକାଦେଲା ବିଜେପି

Soumyranjan Pattanaik, Odisha BJP, Biju Janata Dal

ସୌମ୍ୟଙ୍କୁ ଧୋକାଦେଲା ବିଜେପି

ଭୁବନେଶ୍ୱର : ବିଜେଡ଼ିରୁ ବିତାଡ଼ିତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେପି ବି ଧୋକାଦେଇଛି  । ଘସିପୁରାରୁ ଲଢ଼ିବାକୁ ବିଜେପି ପ୍ରସ୍ତାବ ଦେଇଥିଲେବି ଆଉ ଜଣଙ୍କୁ ଟିକେଟ ଦେଇଛି  । ଫଳରେ ସୌମ୍ୟଙ୍କ ଆଶା ଧୂଳିସାତ୍‌ ହୋଇଯାଇଛି  । ତେବେ ସୌମ୍ୟଙ୍କୁ ବିଜେପି କାହିଁକି ଧୋକା ଦେଲା, ଏକଥା ସେ ବୁଝିପାରୁନାହାନ୍ତି  । 

ଚବିଶରେ ସୌମ୍ୟ ଲଢ଼ିବେ କି ନାହିଁ, ସେନେଇ ରାଜନୀତିକ ଅଳିନ୍ଦରେ ଅନେକ ଚର୍ଚ୍ଚା ହେଉଥିଲା  । କେବେ ସେ ବିଜେଡ଼ିରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା ତ ଆଉ କେବେ ବିଜେପି  । ଏବେ କିନ୍ତୁ ବିଜେଡ଼ି ଓ ବିଜେପିରୁ ସେ ନିରାଶ ହୋଇଥିବାବେଳେ ଘସିପୁରାରୁ ସ୍ୱାଧୀନ ଲଢ଼ିବାକୁ ମନସ୍ଥ କରିଛନ୍ତି  ।

ନିକଟରେ ସୌମ୍ୟ କହିଥିଲେ, ବିଜେପି ପକ୍ଷରୁ ତାଙ୍କୁ ଘସିପୁରାରୁ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଛି  । ମା’ ତାରିଣୀ ତାଙ୍କୁ ସଦବୁଦ୍ଧି ଦେବେବୋଲି ମତବ୍ୟକ୍ତ କରିଥିଲେ  । କିନ୍ତୁ ବିଜେପି ଘସିପୁରାରୁ ଶମ୍ଭୁନାଥ ରାଉତଙ୍କ ପ୍ରାର୍ଥୀ କରିବା ପରେ ସୌମ୍ୟ ଚକିତ ହୋଇଯାଇଛନ୍ତି  ।

ଏନେଇ ସୌମ୍ୟ କହିଛନ୍ତି, ସେ ପ୍ରଥମ ନିର୍ବାଚନ ବିଜେପିରୁ ହିଁ ଲଢ଼ିଥିଲେ  । ବିଜୁ ବାବୁଙ୍କ ବିରୋଧରେ ସେ ଭୁବନେଶ୍ୱରରୁ ବିଜେପି ପ୍ରାର୍ଥୀ ହୋଇଥିଲେ  । ଏଥର ସେ ବିଜେପିରୁ ହିଁ ଶେଷ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ  । ବିଜୁବାବୁଙ୍କ ପୁଅଙ୍କ ସରକାର ବିରୋଧରେ ଲଢ଼ିବାକୁ ଇଚ୍ଛା ଥିଲା  । ହେଲେ ବିଜେପି କାହିଁକି ତାଙ୍କ ପ୍ରସ୍ତାବ କାର୍ଯ୍ୟକାରୀ କଲା ନାହିଁ ସେ ଜାଣନ୍ତିନି ବୋଲି କହିଛନ୍ତି  ।

ଘସିପୁରାରେ ପଟ୍ଟନାୟକ ପରିବାରଙ୍କର ଭଲ ଭୋଟ ବ୍ୟାଙ୍କ ରହିଛି  । ଗତଥର ନିରଞ୍ଜନ ପଟ୍ଟନାୟକ ଭଣ୍ଡାରୀପୋଖରୀ ସହ ଘସିପୁରାରୁ ମଧ୍ୟ ଲଢ଼ିଥିଲେ  । ଏଥର ନିରଞ୍ଜନ ଘସିପୁରାରୁ ଲଢୁଥିବାବେଳେ ତାଙ୍କର  ସମର୍ଥକମାନେ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଚାପ ପକାଇ ଆସୁଥିଲେ  । ବିଜେପି ଟିକେଟ ନପାଇବା ପରେ ସୌମ୍ୟ ଏବେ ସ୍ୱାଧୀନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି  । କିନ୍ତୁ ବିନା ଦଳୀୟ ଟିକେଟରେ ସେ କିଭଳି ଲଢେ଼ଇ କରିବେ ତାହା ଉପରେ ଏବେ ନଜର ରହିଛି  ।