ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ ‘ସବୁ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା’
Subhadra BJD-BJP
ଭୁବନେଶ୍ୱର : ଯେଉଁ ପରିବାର ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ, ସେହି ପରିବାରର ସବୁ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାର ଫାଇଦା ମିଳିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏନେଇ ସ୍ପଷ୍ଟ କରିଛନ୍ତି । ଗତ କିଛିଦିନ ଧରି ପରିବାରର ଜଣଙ୍କୁ ନା ସମସ୍ତଙ୍କୁ ସୁଭଦ୍ରା ଯୋଜନା ମିଳିବ ସେନେଇ ଦ୍ୱନ୍ଦ୍ୱ ରହିଥିଲା । ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଛି ।
ସେ କହିଛନ୍ତିଯେ, ଯେଉଁ ପରିବାର ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ, ଯେଉଁ ଯୋଗ୍ୟ ପରିବାରରେ ସୁଭଦ୍ରା ଯୋଜନା ପାଇଁ ଯେତେ ଯୋଗ୍ୟ ମହିଳା ଥିବେ ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ୍ କରାଯିବ । ବିଧବା ମହିଳା ଓ ଛାତ୍ରବୃତି ପାଉଥିବା ଝିଅମାନେ ମଧ୍ୟ ସୁଭଦ୍ରାରେ ଫାଇଦା ପାଇପାରିବେ ।
ସୂଚନାଯୋଗ୍ୟଯେ, ଗତକାଲି ସୁଭଦ୍ରା ଯୋଜନା ନେଇ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଥିଲା । ଏହାର ଯୋଗ୍ୟତା ମାନଦଣ୍ଡଗୁଡ଼ିକ ହେଉଛି, ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବେ । ୨୦୨୪ ଜୁଲାଇ ୧ ସୁଦ୍ଧା ୨୧ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସର ମହିଳାଙ୍କୁ ଏଥିରେ ସାମିଲ୍ କରାଯିବ । ତେବେ ବର୍ଷକୁ ୧୮ ହଜାରରୁ ଅଧିକ ପେନସନ ଓ ଛାତ୍ରବୃତି ମିଳୁଥିଲେ ଏବଂ ୱାଡର଼୍ମେମ୍ବର ଓ କାଉନସିଲରଙ୍କୁ ଛାଡ଼ି ଅନ୍ୟ ଜନ ପ୍ରତିନିଧିଙ୍କ ପରିବାର ଏଥିରେ ସାମିଲ୍ ହୋଇପାରିବେ ନାହିଁ । ଏହାଛଡ଼ା ୫ ଏକରରୁ ଅଧିକ ଜଳସେଚିତ ଜମି ଥିଲେ ଓ ୧୦ ଏକରରୁ ଅଧିକ ଅଣଜଳସେଚିତ ଜମି ଥିଲେ ମଧ୍ୟ ଯୋଜନାର ସୁବିଧା ମିଳିବ ନାହିଁ ।