ତ୍ୱଚା ପାଇଁ ତୁଳସୀ ପତ୍ରର ଉପକାରୀତା
Tulsi Leaves

ସୁନ୍ଦର ଉଜ୍ୱଳ ଓ ଦାଗ ନଥିବା ତ୍ୱଚା ପାଇବା ପ୍ରାୟ ସମସ୍ତଙ୍କର ଆଶା । ଯାହା ପାଇବା ପାଇଁ କିଏ କଣ ନକରିଥାନ୍ତି । ବଜାରରୁ ଭିନ୍ନ ଭିନ୍ନ ପ୍ରକାର ମହଙ୍ଗା ସ୍କିନ କେୟାର ପ୍ରଡକ୍ଟ ସବୁ କିଣି ବ୍ୟବହାର କରୁଛନ୍ତି । ଏହି ମହଙ୍ଗା ମହଙ୍ଗା ପ୍ରଡକ୍ଟସ୍ ସବୁ କିଣିବା ସମସ୍ତଙ୍କ ପାଇଁ ସମ୍ଭବ ମଧ୍ୟ ହୋଇନଥାଏ । ଘରୋଇ ଉପଚାରରେ ମଧ୍ୟ ଆମେ ଦାଗହୀନ ଉଜ୍ଜ୍ୱଳ ଚେହେରା ପାଇପାରିବା । ଥଣ୍ଡା, ଜ୍ୱର ଓ କାଶରେ ତୁଳସୀର ବ୍ୟବହାର ତ ଆପଣ ନିହାତି ଜାଣିଥିବେ । ଆଜ୍ଞା ହଁ ଆପଣଙ୍କ ବାଡ଼ିରେ ଥିବା ତୁଳସୀ ଗଛ ଆପଣଙ୍କର ଉଜ୍ଜ୍ୱଳ ତ୍ୱଚାର ସ୍ୱପ୍ନକୁ ପୁରଣ କରିଦେବ । ଛୋଟ ତୁଳସୀ ପତ୍ର ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ରକୁ କିପରି ବ୍ୟବହାର କରିବା ଓ ଏହାକୁ ବ୍ୟବହାର କରିବାର ଫାଇଦା କଣ ସବୁ ରହିଛି ।
ତୁଳସୀର ପତ୍ର ଆପଣଙ୍କୁ ସୁନ୍ଦର ତ୍ୱଚା ପାଇବାରେ ସାହାର୍ଯ୍ୟ କରିବ । ତୁଳସୀରେ ଥିବା ଆଣ୍ଟିବାକ୍ଟେରିଆଲ ଓ ଆଣ୍ଟିଫଙ୍ଗଲ୍ ଗୁଣ ବ୍ରଣ କମାଇବାରେ ସାହାୟକ ହୋଇଥାଏ । ତୁଳସୀରେ ଭରି ରହିଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ତ୍ୱଚାରେ ଚମକ ଆଣିଥାଏ । ଆସନ୍ତୁ ଜାଣିବା କିପରି ବ୍ୟବହାର କଲେ ତୁଳସୀର ଭରପୁର ଫାଇଦା ଆମକୁ ମିଳିପାରିବ....
ବ୍ରାଇଟନିଙ୍ଗ୍ ଫେସ୍ ପ୍ୟାକ :- ତୁଳସୀ ପତ୍ରରୁ ଆପଣ ନିଜ ପାଇଁ ବ୍ରାଇଟନିଙ୍ଗ୍ ଫେସ୍ ପ୍ୟାକ ତିଆରି କରି ବ୍ୟବହାର କରିପାରିବେ । ଏଥିପାଇଁ ଆପଣ ତୁଳସୀ ପତ୍ରର ପାଉଡର ପ୍ରସ୍ତୁତ କରନ୍ତୁ । ଫେସ୍ ପ୍ୟାକ ପ୍ରସ୍ତୁତ କରିବା ପାଇଁ ୧-ଚାମଚ ତୁଳସୀ ପାଉଡରରେ ଚିମୁଟାଏ ହଳଦୀ, କିଛି ଦହି, ଗୋଲାପ ଜଳ ଓ ମହୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।ଏହାକୁ ସପ୍ତାହକୁ ଦୁଇଥର ଲଗାନ୍ତୁ ଆପଣ ଆପଣଙ୍କ ଚେହେରାରେ ପରିବର୍ତ୍ତନ ଲକ୍ଷ୍ୟ କରିବେ ।
ତୁଳସୀ ଟୋନର:- ତ୍ୱଚାକୁ ସୁସ୍ଥ ଓ ତ୍ୱଚାରେ ଚମକ ବଜାୟ ରଖିବାପାଇଁ ମୁହଁକୁ ଧୋଇବା ପରେ ଟୋନର ଲଗାଇବା ଜରୁରୀ ହୋଇଥାଏ । ବଜାରରୁ କେମିକାଲରେ ପ୍ରସ୍ତୁତ ଟୋନର ଆଣିବା ବଦଳରେ ଆପଣ ଘରେ ତୁଳସୀରୁ ଏକ ବହୁତ ଭଲ ଟୋନର ତିଆରି କରିପାରିବେ । ଏହାକୁ ପ୍ରସ୍ତୁତ କରିବାପାଇଁ ଗୋଟେ ଗ୍ଲାସ ପାଣିରେ ୧୦ ରୁ ୧୨ଟି ସତେଜ ତୁଳସୀ ପତ୍ର ପକାଇ ସିଝାନ୍ତୁ । ପାଣି ଅଧା ହୋଇଗଲା ପରେ ତାକୁ ସ୍ପ୍ରେବଟଲରେ ଷ୍ଟୋର କରି ରଖନ୍ତୁ । ପ୍ରତିଦିନ ମୁହଁ ଧୋଇସାରିବା ପରେ ଏହାକୁ ବ୍ୟବହାର କରନ୍ତୁ । ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ଏହା ବେଶ୍ ଲାଭକାରୀ ହୋଇଥାଏ ।
ସ୍ପଟ୍ ରିଡକ୍ସନ ପ୍ୟାଚ:- ଯଦି ଆପଣଙ୍କ ଚେହେରାରେ ବ୍ରଣ ବା ଦାଗ ହୋଇଛି ଆଉ ଆପଣ ତାକୁ ଶିଘ୍ର ହଟାଇବାକୁ ଚାହୁଁଛନ୍ତି ତେବେ ଆପଣ ତୁଳସୀ ପତ୍ରର ବ୍ୟବହାର କରିପାରିବେ । ଏଥିପାଇଁ ଆପଣ କିଛି ସତେଜ ତୁଳସୀ ପତ୍ର ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏଥିରେ ଚିମୁଟାଏ ହଳଦୀ ମିଶାଇ ବ୍ରଣ ବା ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ । ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ଲାଭ ମିଳିବ ।
ତୁଳସୀ ଆଣ୍ଟି ଆକ୍ନି ଜେଲ:- ତୁଳସୀ ପତ୍ରରୁ ଆପଣ ନିଜ ପାଇଁ ଆଣ୍ଟି ଆକ୍ନି ଜେଲ ମଧ୍ୟ ପ୍ରସ୍ତୁତ କରିପାରିବେ । ଏଥିପାଇଁ କେବଳ ଏକ ଚାମଚ ଏଲୋଭେରା ଜେଲରେ ସତେଜ ତୁଳସୀ ପତ୍ରର ପେଷ୍ଟ ମିଶାନ୍ତୁ ।ଏହାକୁ ଆପଣ ରାତିରେ ମୁହଁ ଧୋଇସାରିବା ପରେ ବ୍ୟବହାର କରିପାରିବେ, ଯାହା ଆପଣଙ୍କୁ ଦାଗହୀନ ସୁନ୍ଦର ତ୍ୱଚା ପାଇବାରେ ସାହାଯ୍ୟ କରିବ ।
ଯଦି ଆପଣ ଏତେ ଝିନ୍ଝଟ୍ କରିବାକୁ ଚାହୁଁନାହାନ୍ତି ତେବେ ପ୍ରତିଦିନ ସକାଳୁ ଚେହେରାରେ ତୁଳସୀର ପତ୍ରକୁ ଧରି ଘସିପାରିବେ । ଏହା ସବୁଠାରୁ ସହଜ ଓ ଲାଭକାରୀ ଉପାୟ ଅଟେ । ପ୍ରତିଦିନ ଏପରି କରିବା ଦ୍ୱାରା ଆପଣଙ୍କୁ ସଫା ଓ ଉଜ୍ଜ୍ୱଳ ତ୍ୱଚା ମିଳିପାରିବ । ଏହାସହ ପ୍ରତିଦିନ ସକାଳୁ କିଛି ତୁଳସୀ ପତ୍ର ଚୋବାଇ ଖାଆନ୍ତୁ ଯାହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଓ ତ୍ୱଚା ଦୁଇଟାଯାକକୁ ଫାଇଦା ମିଳିବ ।