ଦୁଇ ସାହି ମୁହାଁମୁହିଁ, ୫୪ ଅଟକ
ତାଳଚେର : ଶାନ୍ତ ତାଳଚେର ଏବେ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ଏଥିପାଇଁ ଦାୟୀ ବିଧି ବ୍ୟବସ୍ଥା ନା’ ପୁଲିସ୍ର ସ୍ଥାଣୁତା ନା’ ଦଲାଲଙ୍କ ପ୍ରାର୍ଦୁଭାବ ବୃଦ୍ଧି । ଏହାକୁ ନେଇ ଏବେ ତାଳଚେରବାସୀ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଘଟଣାରୁ ପ୍ରକାଶ, ଗତକାଲି ପୌରପରିଷଦ ୧୧ ନମ୍ବର ୱାର୍ଡ଼ ବାପୁଜୀନଗର ସାହିରେ ସାମନ୍ୟ ଘଟଣାକୁ କେନ୍ଦ୍ରକରି ଦୁଇ ସାହି ମଧ୍ୟରେ ଗଣ୍ଡଗୋଳର ଉଗ୍ରରୂପ ଧାରଣ କରିଥିଲା । ଦୁଇସାହି ମଧ୍ୟରେ ଟେକା ପଥର ମାଡ଼ ହେବାଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ଖବର ପାଇବାପରେ ଟାଉନଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚô ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଥିଲା ଓ ଅବସ୍ଥା ଅସମ୍ଭାଳ ହେବାରୁ ପୁଲିସ୍ ବାଟାଲିଅନ୍ର ସହାୟତା ନେଇ ପରିସ୍ଥିତିକୁ ଆୟତ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଉଭୟ ସାହିର ୫୪ଜଣଙ୍କୁ ଥାନାକୁ ଅଣାଯାଇ ଅଟକ ରଖି ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି । ଏସମ୍ପର୍କ ପୁଲିସ୍ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । ତେବେ ତାଳଚେର ଏକ ଭାଇଚାରା ସହର ରୂପେ ପରିଚିତ, ପର୍ବପର୍ବାଣୀରେ ସମସ୍ତେ ଏକତି୍ରତ ହୋଇ ଜାତି, ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ପାଳନ କରି ଆସିଥିବା ଏକ ଉଦାହରଣ ରହି ଆସିଛି । ତେବେ ଏହାର ଏବେ ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । କାହିଁକି ନା ତାଳଚେର ଟାଉନରେ ରାଜନୈତିକ ପାଣିପାଗ ପ୍ରତିକୂଳ ପରିସ୍ଥିତି ବିଗାଡ଼ିବା ସହିତ ତାଳଚେର ଥାନାରେ କୁଆଡ଼େ ଜଗା, ବଳିଆ ନାମକ ଦୁଇବ୍ୟକ୍ତି ଥାନା ପରିସରରେ ସଦାସର୍ବଦା ଘୂରିବୁଲି ମୂଝାମି ହୋଇ ବ୍ୟକ୍ତିଗତ ଫାଇଦା ହାସଲ କରୁଥିବା ଓ ଦୀର୍ଘବର୍ଷ ହେବ କିଛି ପୁଲିସ ବାବୁମାନେ ଏଠାରେ ନିଜର ଗାଦି ମାଡ଼ି ବସିଥିବାରୁ ଏପରି ଘଟଣା ଘଟୁଛି ବୋଲି ଚର୍ଚ୍ଚା ପରିସରକୁ ଆସୁଥିବା ନେଇ ସହରର ମଧ୍ୟରେ ଟୁପୁରୁ ଟାପର ଚାଲିଛି । ତେଣୁ ଏଥିପ୍ରତି ଜିଲ୍ଳା ଏସପି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।