ସଟ୍ଟା ବଜାର ଆକଳନ : ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଜେପି
assembly polls

ଭୁବନେଶ୍ୱର : ଗୁଜୁରାଟ ଓ ରାଜସ୍ଥାନର ସଟ୍ଟା ବଜାରରେ ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭାର ଫଳାଫଳ ନେଇ ପୂର୍ବାନୁମାନ କରାଯାଇଛି । ଉଭୟ ରାଜ୍ୟରେ ବିଜେପି ହିଁ ସର୍ବାଧିକ ଆସନ ପାଇବ ବୋଲି ଆକଳନ କରାଯାଇଛି । ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ୧୩୮ରୁ ୧୪୧ ଆସନ ପାଇବାର ଥିବାବେଳେ ସେଠାରେ କିଏ ସରକାର ଗଢ଼ିବ ତାହା କହିବା ମୁସ୍କିଲ୍ ହୋଇପଡ଼ିଛି । ମହାରାଷ୍ଟ୍ରରେ ଦୁଇ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେଉଛି । ଝାରଖଣ୍ଡରେ ବିଜେପି ମେଣ୍ଟକୁ ୪୫ରୁ ୪୭ ଆସନ ମିଳିବାର ସମ୍ଭାବନା ରହିଛି । ସେଠାରେ ୮୧ ଆସନ ଥିବାବେଳେ ବିଜେପିକୁ ସରକାର ଗଢ଼ିବାର ସୁଯୋଗ ମିଳିବ ।
ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ଶେଷ ହୋଇଛି । ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବୁଥ୍ ବାହୁଡ଼ା ମତ ନେଇ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ବି ପ୍ରକାଶ ପାଇଛି । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ଥିବାବେଳେ ଝାରଖଣ୍ଡରେ ରହିଛି ୮୧ ଆସନ । ଉଭୟ ମହାରାଷ୍ଟ୍ର ଓ ଝାରଖଣ୍ଡ ଇଣ୍ଡି ମେଣ୍ଟ ଓ ଏନଡ଼ିଏ ମେଣ୍ଟ ପାଇଁ ସମ୍ମାନର ପ୍ରଶ୍ନ । ଗତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ଏନଡ଼ିଏ ଜିତିଥିଲେବି ପରେ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଢ଼ିଥିଲା । କିନ୍ତୁ ଅମିତ ଶାହାଙ୍କ ଗୋଟି ଚାଳନାରେ ଶିବସେନା ଓ ଏନସିପି ଭାଙ୍ଗିଯିବା ସହ ନୂଆ ରାଜନୀତିକ ମେଣ୍ଟ ସୃଷ୍ଟି ହୋଇଥିଲା । ସେହିପରି ଝାରଖଣ୍ଡରେ ହେମନ୍ତ ସୋରେନଙ୍କ ସରକାର ଥିବାବେଳେ ବିଜେପି ସରକାରକୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା । ହେମନ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ଜେଲ୍ ଯିବାକୁ ମଧ୍ୟ ପଡ଼ିଥିଲା ।