କିଡନୀ ଷ୍ଟୋନ୍ ସମସ୍ୟା ଦୂର କରିବ କଦଳୀ ଫୁଲ

କିଡନୀ ଷ୍ଟୋନ୍ ସମସ୍ୟା ଦୂର କରିବ କଦଳୀ ଫୁଲ

ସୁସ୍ଥ ଶରୀର ପାଇବାକୁ ହେଲେ ଆବଶ୍ୟକ ପଡ଼େ ସୁସ୍ଥ ଖାଦ୍ୟର ଆଉ ଏହି ସୁସ୍ଥ ଖାଦ୍ୟ ଜନ୍ମ ନିଏ ସବୁଜ ପରିବାରୁ । ପିଲାଟି ବେଳରୁ ଆମେ ପାଠ ବହିରେ ପଢିଆସିଛେ ତଟକା ପରିବା ଖାଇବା , ସୁସ୍ଥ ଆମେ ରହିବା । ସବୁଜ ତଟକା ପରିବା ଖାଇବାକୁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି । କୋବି , ବିନ୍ , ମଟର , କଞ୍ଚା କଦଳୀ ଆଦି ଅନେକ ପରିବା ଆମ ଶରୀରକୁ ବଳ ଯୋଗାଇବାର କାମ କରନ୍ତି । ଏହିସବୁ ପରିବା ଖାଇବା ଦ୍ବାରା ଅନେକ ରୋଗରୁ ମଧ୍ୟ ଉପସମ ମିଳିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଏହି ପରିବାର ଫୁଲ ମଧ୍ୟ ଦେହପାଇଁ କେତେ ଉପଯୋଗୀ । ଆମେ ଏଠାରେ କଞ୍ଚା କଦଳୀର କଥା କହୁଛୁ ଆଜ୍ଞା , କଦଳୀର ଉପକାରିତା ବିଷୟରେ ଆମେ ଆପଣଙ୍କୁ ଆଗରୁ କହିସାରିଛୁ । କିନ୍ତୁ କଦଳୀ ଫୁଲ ମଧ୍ୟ ଶରୀର ପାଇଁ ସଞ୍ଜୀବନୀର କାମ କରେ ଏଭଳି କହିଲେ ମଧ୍ୟ ଭୁଲ୍ ହେବନାହିଁ । 

କଦଳୀଫୁଲରେ ଫାଇବର୍ , ପ୍ରୋଟିନ୍ , ଭିଟାମିନ୍- ଏ , ଭିଟାମିନ୍-ସି , ଫସଫରସ୍ , ପୋଟାସିୟମର ମାତ୍ରା ମିଳିଥାଏ । ଯାହା ଖାଇବାଦ୍ବାରା ଡାଏବେଟିସ୍ କଣ୍ଟ୍ରୋଲରେ ରହିବା ସହ ଶରୀରରୁ ଗ୍ଲୁକୋଜ୍ ସ୍ତର ମଧ୍ୟ କମ୍ ହୋଇଥାଏ । ଏହାଦ୍ବାରା ବ୍ଲଡସୁଗାର୍ ମଧ୍ୟ କଣ୍ଟ୍ରୋଲକୁ ଆସିଥାଏ । କଦଳୀଫୁଲର କାଢା ମଧ୍ୟ ସେବନ କରାଯାଏ । କଦଳୀଫୁଲ କିଡନୀ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଏଥିରେ ଥିବା ନେଫ୍ରୋପ୍ରୋଟେକ୍ଟିଭ୍ ଗତିବିଧି କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାଦ୍ବାରା କିଡନୀ ଷ୍ଟୋନ୍ ସମସ୍ୟା ମଧ୍ୟ ଦୂର ହୁଏ । ଯଦି ଆପଣ ନିଜ ଖାଦ୍ୟରେ ନିୟମିତ କଦଳୀ ଫୁଲର ସେବନ କରୁଛନ୍ତି ତାହେଲେ ଏହା ଆପଣଙ୍କ ଓଜନ କମାଇବାରେ ମଧ୍ୟ ସହାୟକ ହେବ । ଏଥିରେ ଥିବା ଫାଇବରର ମାତ୍ରା ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ନ କରାଇବା ହେଉଛି ଓଜନ କମାଇବା ପଛର ରହସ୍ୟ । ଏଥିପାଇଁ କଦଳୀଫୁଲର କାଢା , ତରକାରୀ କିମ୍ବା ସୁପ୍ ପ୍ରସ୍ତୁତ କରି ଆପଣ ଖାଇପାରିବେ । 

କଦଳୀଫୁଲର ସେବନ ଦ୍ବାରା ଆପଣ ହାଇ-ବ୍ଲଡପ୍ରେସରକୁ ବି କଣ୍ଟ୍ରୋଲରେ ଆଣିପାରିବେ । ଏହା ଆଣ୍ଟି- ଡାଇପରଟେନ୍ସିବ୍ ଭଳି କାମ କରୁଥିବାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ମାସିକ ଋତୁଚକ୍ରରେ ମହିଳାଙ୍କୁ ହେଉଥିବା ଯନ୍ତ୍ରଣାରୁ ଉପସମ ଦେଇଥାଏ କଦଳୀଫୁଲର ସେବନ । ଏହା ପ୍ରୋଜେଷ୍ଟେରୋନ୍ ହର୍ମାନକୁ ରେଗୁଲେଟ୍ କରି ବ୍ଲିଡିଂଙ୍ଗ୍ ସମୟରେ ମହିଳାଙ୍କୁ ହେଉଥିବା ଅସହ୍ୟ ପେଟ ଯନ୍ତ୍ରଣାକୁ କମ୍ କରିଥାଏ । ହୃଦୟକୁ ସୁସ୍ଥ ରଖେ କଦଳୀଫୁଲ । ଏଥିରେ ଥିବା କାର୍ଡିୟୋ ପ୍ରୋଟେକ୍ଟିଭ୍ ଇଫେକ୍ଟ ନା କେବଳ ହୃଦୟକୁ ସୁସ୍ଥ ରଖେ ,ବିପିକୁ ମଧ୍ୟ କଣ୍ଟ୍ରୋଲରେ ଆଣିଥାଏ । କଦଳୀଫୁଲରେ ଥିବା ଗ୍ଲେକ୍ଟାଗାଗ୍ ତତ୍ତ୍ବ ଲେକ୍ଟେସନକୁ ବଢାଇଥାଏ ଯାହାଦ୍ବାରା ଶିଶୁକୁ ସ୍ତନ୍ୟପାନ କରାଉଥିବା ମା’ଙ୍କ ପାଇଁ ଏହା ଖୁବ୍ ଲାଭକାରୀ ହୋଇଥାଏ । ପ୍ରତିଟି ପରିବାରେ କିଛି ନା କିଛି ବିଶେଷତ୍ବ ଏବଂ ଔଷଧୀୟ ଗୁଣ ଥାଏ , ତେଣୁ ଖାଦ୍ୟରେ ପରିବା ସହ ନିୟମିତ ଖାଆନ୍ତୁ କଦଳୀ ଫୁଲ , ସୁସ୍ଥତା ଆପଣଙ୍କୁ କରିବ ଗେଲ ।