ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବିରେ ଆନେ୍ଦାଳନ

 ଭବାନୀପାଟଣା  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ୧୭ଖଣ୍ଡ ଗାଁର ଲୋକେ ରାସ୍ତା ପାଇଁ ରାସ୍ତାରୋକ କରିଛନ୍ତି । ଭବାନୀପାଟଣାରୁ ରାୟଗଡା ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧ ଛକରେ ରାସ୍ତା ଅବରୋଧ ଯୋଗୁଁ ଅଖ ଚକ ଜାମ ହୋଇଛି । ମୁକୁନ୍ଦପୁର ଭାୟା କନେର ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବିରେ ଲୋକେ ରାସ୍ତାରୋକ କରିଥିବାବେଳେ ଦୀର୍ଘ ୮ ଘଣ୍ଟା ଯାଏଁ ରାସ୍ତା ଅବରୋଧ ହୋଇ ରହିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା । ଲୋକେ ନାହିଁନଥିବା ହଇରାଣ ହୋଇଥିଲେ । ଘଟଣାସ୍ଥଳରେ ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେର, ଅତିରିକ୍ତ ତହସିଲଦାର ସନ୍ଦୀପ ତିର୍କୀ, ବିଶ୍ୱନାଥପୁର ପୁଲିସ ପକ୍ଷରୁ ଥାନାଧିକାରୀ ତୁଳସୀରାମ ଶବର, ଏସ୍ଆଇ ବୁଦ୍ଧିଶ୍ୟାମ ମାଝୀଙ୍କ ନେତୃତ୍ୱରେ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରିଥିଲେ । ତେବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଲିଖିତ ପ୍ରତିଶ୍ରୁତି ନଦେବାଯାଏଁ ଲୋକେ ଉଠିବୁ ନାହିଁ ବୋଲି ଜିଦରେ ଅଡ଼ି ବସିଥିଲେ । ଶେଷରେ ଘଟଣାସ୍ଥଳରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ପି. ଏକ୍କା, ସହକାରୀ ଯନ୍ତ୍ରୀ ଭଗବାନ ଗଉଡ଼ ପ୍ରମୁଖ ପହଞ୍ଚିବା ପରେ ଲୋକଙ୍କ ଆକ୍ରୋଶ ଦେଖି ରାସ୍ତାକୁ ବୁଲି ଦେଖିବାକୁ ଯାଇଥିଲେ । ସେହିପରି ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ମଧ୍ୟ ରାସ୍ତା ପରିଦର୍ଶନ କରିବା ପରେ ଆସି ଲୋକଙ୍କୁ ବୁଝାସୁଝା କରିବାକୁ ପହଞ୍ଚିଥିଲେ । ସେହିପରି କେସିଙ୍ଗା ଏସଡିପିଓ ଲୋକନାଥ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ୧୫ ଦିନ ମଧ୍ୟରେ ରାସ୍ତା ମରାମତି ଓ ଆସନ୍ତା ମାର୍ଚ୍ଚ ସୁଦ୍ଧା ରାସ୍ତା ଓ ପୋଲ ନିର୍ମାଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ଥିଲେ ।