ଅପରାଧିଙ୍କୁ ଏମିତି କହିଲେ ସିପି
bbsr ctc cP

।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର : ଅପରାଧିଙ୍କ ପ୍ରତି କଠୋର ଓ ସାଧାରଣ ଜନତାଙ୍କ ପ୍ରତି ନରମ ଆଭିମୁଖ୍ୟ ରଖି କମିଶନରେଟ୍ ପୁଲିସ୍ କାର୍ଯ୍ୟ କରିବ । ଆଜି ଦାୟିତ୍ୱ ନେବାପରେ ଏହା କହିଛନ୍ତି ନବନିଯୁକ୍ତ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଶ୍ରୀ ସିଂ କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ପହଞ୍ଚି ବିଦାୟୀ କମିଶନର ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।
କାର୍ଯ୍ୟରେ ଯୋଗଦେବା ପରେ ଶ୍ରୀ ସିଂହ କହିଛନ୍ତିଯେ, ପୁଲିସ ଦୁଇଟି ଆଭିମୁଖ୍ୟ ରଖି କାମ କରିବା କଥା । ଅପରାଧିଙ୍କ ପ୍ରତି ପୁଲିସ କଠୋର ଆଭିମୁଖ୍ୟ ପୋଷଣ କରିବାର ଆବଶ୍ୟକତା ଥିବା ବେଳେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରି କାର୍ଯ୍ୟ କରିବା କଥା । ପୁଲିସ୍ ଏହି ଆଭିମୁଖ୍ୟ ରଖିଲେ ଲୋକମାନଙ୍କୁ ଉଚିତ ସେବା ପ୍ରଦାନ କରିପାରିବ । ଅପରାଧୀଙ୍କ ପ୍ରତି ପୁଲିସ କଠୋର ହେଲେ ଯାଇ ଅପରାଧକୁ ଦମନ କରିହେବ । ଏଥିସହ ପୁଲିସକୁ ଅପରାଧୀମାନେ ଭୟ କରିବେ । ସେହିପରି ଥାନାକୁ ନ୍ୟାୟ ଆଶାରେ ଆସୁଥିବା ଅଭିଯୋଗକାରୀଙ୍କ ପ୍ରତି ନରମ ମନୋଭାବ ରଖି କଥାବାର୍ତ୍ତା କରିବା ସହ ସେମାନଙ୍କର କ’ଣ ସମସ୍ୟା ରହିଛି ତାହା ବୁଝିଲେ ହିଁ ପୁଲିସ ପ୍ରତି ଲୋକଙ୍କ ସମ୍ମାନ ବଢ଼ିବ । ଏହାକୁ କରିବାକୁ ହେଲେ ନିଜ ଭିତରେ ଦୃଢ଼ ଇଚ୍ଛା ଶକ୍ତି ସୃଷ୍ଟି କରିବାକୁ ପଡ଼ିବ ବୋଲି ଶ୍ରୀ ସିଂ କହିଛନ୍ତି ।
ଏହି ଅବସରରେ ଶ୍ରୀ ସିଂ ଆହୁରି ମଧ୍ୟ କହିଥିଲେକି, ସେ ଆଜି କଟକ ଭୁବନେଶ୍ୱର ପୁଲିସ ମୁଖିଆ ଭାବେ ଦାୟିତ୍ୱ ନେଇଛନ୍ତି । ଉଭୟ ସହରରେ କ’ଣ ସବୁ ସମସ୍ୟା ରହିଛି, ସେନେଇ ସେ ନିଜ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ପୁଲିସର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ଆଗାମୀ ଦିନରେ ଗଣମାଧ୍ୟମକୁ ସୂଚନା ଦେବେ ।
ସୂଚନାଯୋଗ୍ୟଯେ, ଆଜି ପ୍ରାୟ ଦିନ ପ୍ରାୟ ୧ଟା ବେଳେ ନୂତନ ପୁଲିସ କମିଶନର ଶ୍ରୀ ସିଂ ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ସହ ପ୍ରଥମେ ବିଦାୟୀ କମିଶନର ସଞ୍ଜୀବ ପଣ୍ଡାଙ୍କ ପାଖରେ ପହଞ୍ଚି ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ନୂତନ ପୁଲିସ କମିଶନରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ବିଦାୟୀ କମିଶନର ଶ୍ରୀ ପଣ୍ଡା ନିଜ ସହଯୋଗୀମାନଙ୍କୁ ନୂତନ କମିଶନରଙ୍କ ସହ ପରିଚିତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅର୍ବାନ ପୁଲିସ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ଅତିରିକ୍ତ ଡିସିପିଙ୍କ ଠାରୁ ଆରମ୍ଭ କରି ଜୋନ ଏସିପି ଓ ଥାନାଧିକାରୀମାନେ ଉପସ୍ଥିତ ଥିଲେ ।