ବାତ୍ୟା ପାଇଁ ଛୁଟି ବାତିଲ : ସିଏମସି ଅଧିକାରୀ କଟକ ଛାଡ଼ିବା ମନା

କଟକ: ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରିଦେଇଛନ୍ତି । ଏହି କ୍ରମରେ ସିଏମସିର କୌଣସି ଅଧିକାରୀ କଟକ ଛାଡ଼ିପାରିବେ ବୋଲି ମେୟର ସୁବାସ ସିଂ କହିଛନ୍ତି । ସିଏମସିର ଜରୁରୀ ବୈଠକ ପରେ ମେୟର ଏହା କହିଛନ୍ତି । ସେ କହିଛନ୍ତି ଯେ ସିଏମସିର କୌଣସି ଅଧିକାରୀ ମୁଖ୍ୟାଳୟ ଛାଡ଼ିପାରିବେନି । ୭୯ଟି ବସ୍ତିରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନିଆଯିବ । ତଳିଆ ଅଞ୍ଚଳର ପାଇଁ ପମ୍ପସେଟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ତେବେ କର୍ତ୍ତବ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର କହିଛନ୍ତି । ପ୍ରକାଶ ଯେ ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେ ତ୍ରସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ। ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟାଟି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟା ନାଁ 'ଦାନା' ରଖାଯାଇଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଆସନ୍ତା ୨୩ ତାରିଖ ଏବଂ ୨୪ ତାରିଖ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ପାରାଦୀପ ଏବଂ ବାଲେଶ୍ଵର ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ସହିତ ବାତ୍ୟାର ଗତିପଥ କିପରି ରହିବ ତାହା ମଧ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି। ତେବେ ଲଘୁଚାପ ଅବପାତର ରୂପ ନେବା ପରେ ଲ୍ୟାଣ୍ଡଫଲର ପ୍ରକୃତ ସ୍ଥାନ ଜଣାପଡ଼ିବ ବୋଲି କୁହାଯାଇଛି।