ଶ୍ୱାସରୁଦ୍ଧ ହୋଇ ପରିବାରର ୫ ମୃତ

 ଶ୍ରୀନଗର:  ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରେ ଏକ ଦୁଃଖଦ ଘଟଣା ଘଟିଛି । ଶ୍ରୀନଗରର ପନ୍ଦ୍ରେଥନ ଅଞ୍ଚଳରେ ବନ୍ଦ ଥିବା ଗୋଟିଏ ଘରୁ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ହେଲେ ଏଜାଜ ଅହମ୍ମଦ ଭଟ୍ଟ (୩୮), ତାଙ୍କ ପନôୀ ସଲୀମା (୩୨) ଏବଂ ତାଙ୍କ ତିନି ପିଲା ଅରିବ (୩), ହମଜା (୧୮) ଏବଂ ୧ ମାସର ଶିଶୁ । ସପରିବାର ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୁଲିସ ସୂଚନାନୁସାରେ ମୃତକ ପରିବାର ସଦସ୍ୟ ବାରାମୂଳାର ବାସିନ୍ଦା ହୋଇଥିବା ବେଳେ ପନ୍ଦ୍ରେଥନ ଅଞ୍ଚଳରେ ଭଡ଼ାରେ ରହୁଥିଲେ । ଗତ କିଛିଦିନ ଧରି ଏ ଅଞ୍ଚଳରେ ଅଧିକ ଥଣ୍ଡା ଜାରି ରହିଥିବାରୁ ଘରେ ସମସ୍ତେ କବାଟ ବନ୍ଦ କରି ନିଅାଁ ଜାଳି ଶୋଇଥିଲେ । ଲଗାଯାଇଥିବା ନିଅାଁରୁ ଧୂଆଁ ବାହାରି ଏଥିରେ ସପରିବାର ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ସଙ୍ଗେ ସଙ୍ଗେ ସପରିବାରଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯିବା ସହ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ପୁଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଉପ-ରାଜ୍ୟପାଳ ମନୋଜ ସିହ୍ନା ଘଟଣାକୁ ନେଇ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।