ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା , ୫ ଜଣ ମୃତ

ରାଜଧାନୀ ଦିଲ୍ଲୀରେ  ପ୍ରବଳ ବର୍ଷା , ୫ ଜଣ ମୃତ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଛି । ଫଳରେ ରାସ୍ତାଘାଟ ବୁଡ଼ିଯିବା ସହିତ ବିଭିନ୍ନ ସମସ୍ୟା ଉପୁଜିଛି । ଦୀର୍ଘ ୮୮ ବର୍ଷ ପରେ ରାଜଧାନୀରେ ଜୁନ୍‌ ମାସର ଗୋଟିଏ ଦିନରେ ସର୍ବାଧିକ ବର୍ଷା ହୋଇଛି । ମୌସୁମୀ ପ୍ରଭାବରୁ ଦିଲ୍ଲୀରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆନୁମାନ କରିଛି ପାଣିପାଗ ବିଭାଗ । ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।


ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଛନ୍ତି । ଶନିବାର ଦିଲ୍ଲୀ ଏନ୍‌ସିଆର, ଦ଼୍ବାରକା, ପାଲାମ, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରଗାଁଓ, ଫରିଦାବାଦ, ମନେସାର ଆଦି ଅଞ୍ଚଳରେ ବର୍ଷା ପବନ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଶୁକ୍ରବାର ବର୍ଷାରେ ଦିଲ୍ଲୀ AIIMSର ଅପରେସନ ଥିଏଟରରେ ପାଣି ପଶିଯିବାରୁ ହେବାକୁ ଥିବା ଅପରେସନ୍‌ ହୋଇପାରିନାହିଁ । ଦିଲ୍ଲୀ AIIMS ର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ନଅଟି ଅପରେସନ ଥିଏଟର ବନ୍ଦ ରହିଛି । ଅପରେସନ ଥିଏଟର ବନ୍ଦ ଥିବାରୁ ୧୨ରୁ ଅଧିକ ଅସ୍ତ୍ରୋପଚାର ହୋଇପାରିନାହିଁ । 

ଫଳରେ ଗୁରୁତର ରୋଗୀମାନଙ୍କର ଅସ୍ତ୍ରୋପଚାର କରିବାକୁ ଥିବା ବେଳେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । କୁହାଯାଉଛି ଯେ ଡାକ୍ତରଖାନାର ଷ୍ଟୋର ରୁମରେ ମଧ୍ୟ ବର୍ଷା ପାଣି ଭରି ରହିଛି ।