ଆଜିକା ଦିନରେ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଇରନ୍ ମ୍ୟାନ୍ ବୋଲି କୁହନ୍ତି । ମୋଦିଙ୍କର ଆଗ୍ରେସିଭ ରଣନୀତି ପାଇଁ ଅନେକ ତାଙ୍କୁ ନେଇ ଗର୍ବ ବି କରନ୍ତି । ପହେଲଗାମ ଆତଙ୍କୀ ଆକ୍ରମଣ ପରେ ସମସ୍ତେ ଭାବୁଥିଲେ ମୋଦି ବଡ଼ ପଦକ୍ଷେପ ନେବେ । ପୁଲୱାମା ଆକ୍ରମଣ ବେଳେ ସେନା ବାହିନୀ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଦେଶବାସୀ ମୋଦିଜୀ ଓ ସେନାଙ୍କୁ ବାହାବା ବି ଦେଇଥିଲେ । ଏବେ ସେମିତି ରାତି ଅଧରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ସେନାଙ୍କ ଆକ୍ରମଣ ବି ମୋଦିଙ୍କ କ୍ରେଜ ବଢ଼ାଇ ଦେଇଥିଲା । ଦେଶର ଅନେକ ସହରରେ ଅପରେସନ ସିନ୍ଦୁର ଓ ମୋଦିଙ୍କୁ ନେଇ ହୋଡର଼୍ିଂ ବି ଲାଗିଥିଲା । କିଏ କହିଲା ଟାଇଗର ତ କିଏ କହିଲା ଲାୟନ୍ । କିନ୍ତୁ ପାକିସ୍ତାନ ବାରମ୍ବାର ଆକ୍ରମଣ କରୁଥିଲେବି ଭାରତ କେବଳ ଡିଫେନ୍ସରେ ହିଁ ସୀମିତ ରହିଥିଲା । ଏହା ଏକ ରଣନୀତି ବୋଲି ଅନେକ ମନେ କରୁଥିଲେ । କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ସିଜଫାୟାର ନେଇ ଘୋଷଣା ପରେ, ଭାରତ ବି ସିଜଫାୟାର କରିଥିଲା ।
ଏହି ଅସ୍ତ୍ରବିରତି ଏବେ ମୋଦିଙ୍କ ଆଗ୍ରେସିଭ୍ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି । ଆଉ ସବୁଠାରୁ ବଡ଼ କଥା ହେଉଛି, ସିଜ ଫାୟାର ପରେପରେ ଦେଶବାସୀ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଉଛନ୍ତି । ସେତେବେଳେ ଆମେରିକା ଓ ଚୀନ ଭଳି ଅନେକ ଦେଶ ଭାରତକୁ ଧମକାଇଥିଲେବି ଇନ୍ଦିରା କିନ୍ତୁ ଜିଦ୍ରେ ଅଟଳ ଥିଲେ । ପାକିସ୍ତାନ ସହ ଯୁଦ୍ଧ କରି ବାଂଲାଦେଶକୁ ଅଲଗା କରିଦେଇଥିଲେ । ସେ ସିଧାସିଧା କହିଥିଲେ, ଭାରତୀୟଙ୍କ ଭବିଷ୍ୟତ ଅନ୍ୟ ଦେଶ ହାତରେ ରହିବନି । ସେହି ଯୁଦ୍ଧ ପରେପରେ ଇନ୍ଦିରା ବନିଯାଇଥିଲେ ଆଇରନ୍ ଲେଡ଼ି । ଅଟଳ ବିହାରୀ ବାଜପେୟୀ ତାଙ୍କୁ ଦେବୀ ଦୁର୍ଗା ଭାବେ ଅଭିହିତ କରିବାକୁ ପଛାଇନଥିଲେ । ସମ୍ପ୍ରତି ସୋସିଆଲ ମିଡ଼ିଆରେ ଇନ୍ଦିରା ଗାନ୍ଧୀଙ୍କ ଭାଷଣ ସବୁ ଭାଇରାଲ୍ ହେବାରେ ଲାଗିଛି । ମୋଦି ଓ ଇନ୍ଦିରାଙ୍କ ମଧ୍ୟରେ ଏବେ ତୁଳନା ଆରମ୍ଭ ହୋଇଯାଇଛି ।