ଆମେ ସବୁବେଳେ ବିଜେଡି ସହ ରହିଛୁ:ମାନସ ମଙ୍ଗରାଜ

ଆମେ ସବୁବେଳେ ବିଜେଡି ସହ ରହିଛୁ:ମାନସ ମଙ୍ଗରାଜ

ଭୁବନେଶ୍ବର: ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଦଳ ଡିଆଁ ନୀତି ନେଇ ଚାରିଆଡେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ଏହାରି ଭିତରେ ସୋସିଆଲ ମିଡିଆ ‘ଏକ୍ସ’ରେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ସୁଜିତଙ୍କୁ ବିଶ୍ୱାସ ଘାତକ କହିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଯେଉଁ ଦଳ ଆପଣଙ୍କୁ ସବୁବେଳେ ସମ୍ମାନ ଓ ପୁରସ୍କୃତ କଲା ସେହି ଦଳ ପ୍ରତି ଆପଣଙ୍କ ବିଶ୍ୱାସ ଘାତକ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମାନସ ମଙ୍ଗରାଜ। ଆପଣଙ୍କ ଏଭଳି ନିଷ୍ପତି କଳାହାଣ୍ଡିବାସୀଙ୍କୁ ମର୍ମାହତ କରିଛି। ଏକ୍ସରେ ସୁଜିତଙ୍କୁ କଟାକ୍ଷ କରିବା ସହ ଆମେ ସବୁବେଳେ ନବୀନ ଓ ବିଜେଡି ସହ ରହିଛୁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ଦଳ ବିରୋଧୀ କାମ ପାଇଁ ଶୁକ୍ରବାର ବିଜେଡିରୁ ବହିଷ୍କାର ହେବାର କିଛି ଘଣ୍ଟା ଭିତରେ ବିଜେପିରେ ମିଶିଛନ୍ତି ସୁଜିତ କୁମାର।

ବିଜେଡିରୁ ଇସ୍ତଫା ଦେଉ ଦେଉ ବିଜେପିରେ ମିଶିଥିବା ସୁଜିତ କୁମାର ବିସ୍ଫୋରକ ବୟାନ ଦେଇଛନ୍ତି । ବିଜେଡିରେ ଜଣେ ଦୁଇ ଜଣଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା ବୋଲି ସୁଜିତ କୁମାର କହିଛନ୍ତି । ସେ କହିଛନ୍ତିଯେ ପ୍ରାୟ ଦେଢ଼ ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା । କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା । ଜଣେ ଦୁଇ ଜଣ ବଡ଼ ନେତାଙ୍କ ଗୋଲାମୀ ପାଇଁ ମୋତେ କୁହାଯାଉଥିଲା । ସମ୍ପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବା ପାଇଁ କିଛି ନେତା କହୁଥିଲେ । ସେମାନଙ୍କ ଗୋଲାମୀ ଓ ଚାମଚାଗିରି କରିବାକୁ କୁହାଯାଉଥିଲା । ମୁଁ ବିଦେଶରୁ ପଢ଼ି ଆସିଛି । ଏହା ମୋ ସ୍ୱାଭିମାନକୁ ବାଧିଥିଲା । କାହା ଗୋଲାମୀ କରିବା ମୋ ଦ୍ୱାରା ସମ୍ଭବ ନୁହେଁ ବୋଲି ସୁଜିତ କୁମାର କହିଛନ୍ତି । 
ବିଜେପିରେ ମିଶିବା ପରେ ସୁଜିତ କୁମାର ବିଜେଡି ଛାଡ଼ିବାର କାରଣ କହିଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହେଉଥିଲା । କିନ୍ତୁ ମୁଁ ଏକଥା କହିଆସୁଥିଲେ ହେଁ କେହି ଶୁଣୁନଥିଲେ । ନେତା ନଶୁଣିବାରୁ ମୁଁ ଦଳ ଛାଡ଼ିଲି । ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଥିଲା । ଜମି, ଛତୁଆ,  ଟେଣ୍ଡର ଫିକ୍ସିରେ ହଜାର ହଜାର କୋଟି ଦୁର୍ନୀତି ହୋଇଛି । ଅନେକ ନେତା ଓ ଅଫିସର ଦୁର୍ନୀତିରେ ସାମିଲ ଥିଲେ । ଏ ସମ୍ପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟା କରିଛି । ବହୁବାର ଜଣାଇବାକୁ ଚେଷ୍ଟା କରି ବି ମୁଁ ବିଫଳ ହୋଇଥିଲି । ଶେଷରେ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିଲି ବୋଲି ସୁଜିତ କୁମାର କହିଛନ୍ତି ।