କାର୍ତ୍ତିକ ମାସର ମାହାତ୍ମ୍ୟ 

କାର୍ତ୍ତିକ ମାସର ମାହାତ୍ମ୍ୟ 

ସର୍ବଶ୍ରେଷ୍ଠ ମାସ ଭାବରେ କାର୍ତ୍ତିକ ମାସର ବିଶେଷ ମହାତ୍ମ୍ୟ ରହିଛି । ଏହି କାର୍ତ୍ତିକ ମାସକୁ ଧର୍ମ ମାସ ଭାବରେ ବିବେଚନା କରାଯାଇଛି । ଏହି ମାସରେ ଅନେକ ଧର୍ମ ପରମ୍ପରାମାନ ପାଳନ କରାଯଇଥାଏ ।  ଧର୍ମମାସ ହୋଇଥିବାରୁ ଏହିମାସରେ ପ୍ରତିଦିନ ଧର୍ମ ଅନୁଷ୍ଠାନମାନଙ୍କରେ ଶ୍ରଦ୍ଧାଳୁଙ୍କର ଭିଡ ଜମିଥାଏ ଯାହା ଗାଁ ଗହଳିଠୁ ନେଇ ସହର ଯାଏଁ ଭକ୍ତିର ପରିବେଶ ଆଣିଦିଏ ।  ହିନ୍ଦୁମାନଙ୍କ ପାଇଁ କାର୍ତ୍ତିକ ମାସ ହେଉଛି ସର୍ବଶ୍ରେଷ୍ଠ ମାସ । ସବୁଠୁ ଅଧିକ ପୁଣ୍ୟ ଏହିମାସରେ ହୋିଥିବାରୁ ମାସସାରା ପୂଜାର୍ଚ୍ଚନା କରାଯିବାର ବିଧି ରହିଛି । ଏହି ପବିତ୍ର ମାସରେ ବିଭିନ୍ନ ସ୍ଥାନରେ ବାଲୁଙ୍କା ପୂଜା, ପଞ୍ଚୁକ, କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଆଦି ପାଳିତ ହୋଇଥାଏ । ଏହିମାସରେ ହବିଷ କରିବାର ମଧ୍ୟ ବିଧି ରହିଛି । ଯେଉଁ ବିଧି ଅନୁସାରେ ହବିଷ୍ୟାଳୀମାନେ ରାଇଦାମୋଦରଙ୍କୁ ତୁଳସୀ ଚଉରା ମୂଳେ ପୂଜା କରନ୍ତି । 
ଲୋକ ବିଶ୍ୱାସ ଅନୁସାରେ କାର୍ତ୍ତିକ ମାସରେ ବ୍ରତ ପାଳନ କଲେ ଜୀବନ ସୁଖମୟ ଓ ନିରାମୟ ହୋଇଥାଏ । ଏଥିସହିତ ମୋକ୍ଷ ମଧ୍ୟ ପ୍ରାପ୍ତ ହୋଇଥାଏ । ଏହି ପବିତ୍ର କାର୍ତ୍ତିକ ମାସକୁ ଭଗବାନ ଶିବଙ୍କର ପ୍ରିୟର ମାସ ବୋଲି କୁହାଯାଏ । କୁମାର ପୂର୍ଣ୍ଣିମା ପରଠାରୁ ଆରମ୍ଭ ହୋଇଥାଏ କାର୍ତ୍ତିକ ମାସ ।  ସଠିକ୍ ରୀତିନୀତି ସହ ଏହାକୁ ସମସ୍ତ ଶ୍ରଦ୍ଧାଳୁମାନେ ପାଳନ କରିଥାନ୍ତି । ଏହି ମାସକୁ ରାଇଦାମୋଦାର ମାସ ବୋଲି ମଧ୍ୟ କୁହାଯାଏ । କାରଣ ପୁରାଣର ବର୍ଣ୍ଣନା ଅନୁସାରେ ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀ ଦିନ ନିଦ୍ରା ଯାଇ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଜାଗ୍ରତ ହୋଇଥାଆନ୍ତି ।  ଏହିମାସର ମହତ୍ତ୍ୱ ଅନେକ । ଏହି ମାସରେ ସୂର୍ଯେ୍ୟାଦୟ ପୂର୍ବରୁ ସ୍ନାନ କରିବା ଖୁବ୍ ଶୁଭ ବୋଲି ବିଶ୍ୱାସ ରହିଛି । ଏହିଦିନମାନଙ୍କରେ ବିଶେଷ ଭାବରେ ବିଧବାମାନେ ହବିଷ ପାଳିବାର ବିଧି ରହିଛି । ସକାଳୁ ଉଠି ସ୍ନାନ ସାରି ଚଉରା ମୂଳେ ଜଗନ୍ନାଥଙ୍କ ଛବି ଅଙ୍କନ କରି ରାଇଦାମୋଦରଙ୍କୁ ପୂଜା କରିଥାଆନ୍ତି  । ଏହାଛଡା ହବିଷ୍ୟାଳିମାନେ ହବିଷ ପ୍ରସ୍ତୁତ କରି ଖାଇଥାଆନ୍ତି ଓ ଆମିଷକୁ ଏହିମାସରେ ବିଶେଷ ବାରଣ କରାଯାଇଛି ।  ହବିଷ୍ୟାଳିମାନେ କଦଳୀ,ସାରୁ, ମୁଗଡାଲି ଓ ନଡିଆରୁ ଅଣଫୁଟା ଓ ଅଣହଳଦିଆ ଡାଲମା ପ୍ରସ୍ତୁତ କରି ହବିଷ ସେବନ କରିଥାଆନ୍ତି । ଏହିଦିନେ ହବିଷ୍ୟାଳିମାନେ କେବଳ ଅଗସ୍ତି ଶାଗ ଖାଇବାର ବିଧି ରହିଛି । ଅନ୍ୟ ଶାଗ ଖାଇବା ମନା । ଏଡାଛଡା ରାତ୍ରି ଭୋଜନରେ ଫଳ ଖାଇବାର ନିୟମ ରହିଛି । ଏହିଦିନରେ କାର୍ତ୍ତିକ ବ୍ରତର ବହି ପଢାଯାଇଥାଏ ।