ନିର୍ଦ୍ବନ୍ଦ୍ବରେ ଜିତିଲେ ମମତା ମହାନ୍ତ

ଭୁବନେଶ୍ବର: ବିଜେପି ପ୍ରାର୍ଥୀ ମମତା ମହାନ୍ତ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ମମତା ଏକମାତ୍ର ପ୍ରାର୍ଥୀ ହୋଇଥିଲେ। ତେଣୁ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର୍ ତାଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଏହା ପରେ ମମତା ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ଶ୍ରୀ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ମମତାଙ୍କ କାର୍ୟ୍ୟକାଳ ୨୦୨୬ ଏପ୍ରିଲ୍ରେ ଶେଷ ହେବ।
ସପ୍ତାହେ ତଳେ ବିଜେପି ମମତା ମହାନ୍ତଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଥିଲା। ଗତ ଅଗଷ୍ଟ ୨୧ ତାରିଖରେ ସେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେହିଦିନ ବିଜେପି ନେତା ଜଗନ୍ନାଥ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେପି ବିଧାୟକମାନଙ୍କ ସମର୍ଥନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା । କିନ୍ତୁ ଜଗନ୍ନାଥ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ପରେ ମମତା ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ମମତାଙ୍କୁ ରିଟର୍ଣ୍ଣିଂ ଅଫିସର ଜିତିବା ନେଇ ସାର୍ଟିଫିକେଟ୍ ପ୍ରଦାନ କରିବା ପରେ ସେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।