୩୧୪ ବ୍ଲକ୍‌ରେ ଏବେ ଉନ୍ନୟନମୂଳକ କାର୍ୟ୍ୟ ହେଉନି: ପ୍ରତାପ ଦେବ

୩୧୪ ବ୍ଲକ୍‌ରେ ଏବେ ଉନ୍ନୟନମୂଳକ କାର୍ୟ୍ୟ ହେଉନି: ପ୍ରତାପ ଦେବ

ଭୁବନେଶ୍ବର: ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ ବ୍ଲକ୍‌ଗୁଡ଼ିକରେ ଉନ୍ନୟନମୂଳକ କାର୍ୟ୍ୟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବିଜେଡି ସଭ୍ୟ ପ୍ରତାପ କେଶରୀ ଦେବ କହିଲେ, ୩୧୪ ବ୍ଲକ୍‌ରେ ଏବେ ଉନ୍ନୟନମୂଳକ କାର୍ୟ୍ୟ ହେଉନି। ଯେଉଁଠି କାମ ହୋଇଛି, ସେଠି କାମ କରିଥିବା ଲୋକ ଟଙ୍କା ପାଉନାହାନ୍ତି। ଏ ସମ୍ପର୍କରେ ମୁଲତବୀ ଆଲୋଚନା ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ବାଚସ୍ପତିଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଗଲା, ଏହା ଜନସ୍ବାର୍ଥ ସମ୍ବଳିତ ଜରୁରୀ ପ୍ରସଙ୍ଗ ନୁହେଁ। ଯେତେବେଳେ ସାରା ରାଜ୍ୟରେ କାମ ଠପ୍ ହୋଇଯାଇଛି, ତେବେ ଏହା ଜରୁରୀ ନୁହେଁ କେମିତି? ସରକାର ଯାହା ଯୋଜନା ବନ୍ଦ କରିଦେବା କଥା କରିଦିଅନ୍ତୁ। କିନ୍ତୁ ସରକାର କାହିଁକି ନୀରବଦ୍ରଷ୍ଟା ସାଜୁଛନ୍ତି? ଯଦି କେଉଁଠି ଦୁର୍ନୀତି ହୋଇଛି, ତେବେ ତଦନ୍ତ କରି ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଅନ୍ତୁ। କିନ୍ତୁ କାମ ବନ୍ଦ ନକରନ୍ତୁ। ଅନେକ ଜାଗାରେ ଟଙ୍କା ମଗାଯାଉଥିବା ଜଣାପଡ଼ିଲାଣି। ସରକାର ନିଷ୍ପତ୍ତି ନେବା ପାଇଁ କାହାକୁ ଅପେକ୍ଷା କରିଛନ୍ତି? ଦିଲ୍ଲୀର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି କି? 

ବିଜେପି ସଭ୍ୟ ମାନସ ଦତ୍ତ ଏହାର ପ୍ରତିବାଦ କରି କହିଲେ, ୫-ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ଜାଲିଆତି କରି ପ୍ରକଳ୍ପ ଦିଆଯାଇଥିଲା। ବ୍ୟକ୍ତିଗତ ଘରକୁ ରାସ୍ତା ପ୍ରକଳ୍ପ ମଞ୍ଜୁର ଦିଆଯାଇଥିଲା। ବିଜେଡି ସଭ୍ୟଙ୍କର ଅଭ୍ୟାସ ଅଛି ତାମିଲ ବାବୁଙ୍କ ନିର୍ଦ୍ଦେଶରେ କାମ କରିବା। ଆମର ସେହି ଅଭ୍ୟାସ ନାହିଁ। ଯାହା ଠିକ୍, ତାହା ମୋହନ ସରକାର କରନ୍ତି। ପିସି କିଏ ଖାଆନ୍ତି, ତାହା ଓଡ଼ିଶାବାସୀ ଜାଣିଛନ୍ତି। ୫-ଟି ନାଁରେ କିଛି ଅବାଞ୍ଝନୀୟ ପ୍ରକଳ୍ପ କରାଯାଇଥିବାରୁ ବିରୋଧୀ ଦଳ ଏବେ ବ୍ୟସ୍ତ ହୋଇପଡ଼ିଛନ୍ତି।