ବାଲେଶ୍ବର ଜିଲାରେ ବନ୍ୟାସ୍ଥିତି ଉଦ୍‌ବେଗଜନକ: ମୁଖ୍ୟମନ୍ତ୍ରୀ

ବାଲେଶ୍ବର ଜିଲାରେ ବନ୍ୟାସ୍ଥିତି ଉଦ୍‌ବେଗଜନକ: ମୁଖ୍ୟମନ୍ତ୍ରୀ
ବାଲେଶ୍ୱର :  ବାଲେଶ୍ବର ଜିଲାରେ ବନ୍ୟାସ୍ଥିତି ଉଦ୍‌ବେଗଜନକ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ  ଏଭଳି ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ୩ ନଦୀରେ ଜଳସ୍ତର ବଢ଼ିଛି। ବାଲେଶ୍ବର ଜିଲାର ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇପଡ଼ିଛି। ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ବେଶି ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳରୁ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷେ ଉଦ୍ଧାର କାର୍ଯ୍ୟରେ ୮ ଅଗ୍ନିଶମ, ୩ ଓଡ୍ରାଫ, ୧ ଏନ୍‌ଡିଆର୍‌ଏଫ ଟିମ ମୁତୟନ  ହୋଇଛନ୍ତି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ରୋଡମ୍ୟାପ କରିବାକୁ ଇଆଇସିଙ୍କୁ କୁହାଯାଇଛି। ଇଆଇସିଙ୍କ ରିପୋର୍ଟ ମିଳିବା ପରେ ଏ ନେଇ ପଦକ୍ଷେପ ନିଆଯିବ।  ପୂର୍ଣ୍ଣିମା ଯୋଗୁ ପାଣି ଛାଡୁନି, ଆଉ ଦିନକ ପରେ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।  ଆକାଶ ମାର୍ଗରୁ ବାଲେଶ୍ୱର ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ସକାଳ ସାଢେ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟଟର ଯୋଗେ ବାଲେଶ୍ୱର ଯାଇଥିଲେ । ଆକାଶ ମାର୍ଗରୁ ବାଲିଆପାଳ ଓ ଭୋଗରାଇର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଏରିଏଲ ସର୍ଭେ କରିବା ପରେ ଦିନ ୧୧ଟା ବେଳେ ବାଲେଶ୍ୱର ପଦ୍ମାବତୀ ପାର୍କ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ  କରି ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ସହ କନଫରେନସ ହଲରେ ବନ୍ୟା ସ୍ଥିତି ମୁକାବିଲା ନେଇ ଆଲୋଚନା  କରିବା  କାର୍ଯ୍ୟକ୍ରମ ରହିଛି।