ଭକ୍ତ ନା ମୋକିମ୍, କିଏ ହେବେ ପିସିସି ସଭାପତି ?
odishac congress

ଭୁବନେଶ୍ୱର : କିଏ ସମ୍ଭାଳିବେ ଓଡ଼ିଶା କଂଗ୍ରେସ ? ଭକ୍ତ ଚରଣ ଦାସ ନା ମହମ୍ମଦ ମୋକିମ୍ । ତାହାକୁ ନେଇ କଂଗ୍ରେସରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ନାମରେ ହିଁ ମୋହର ଲାଗିବ । ଉଭୟଙ୍କ ପାଇଁ ଅନ୍ୟ ନେତାମାନେ ଲବି ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏଆଇସିସି ପର୍ଯ୍ୟବେକ୍ଷକ ରାଜ୍ୟ ନେତାଙ୍କ ମତାମତ ନେଇ ଦିଲ୍ଳୀ ଯାଇଥିବାବେଳେ ରାହୁଲ କାହାମୁଣ୍ଡରେ ପାଗ ଭିଡ଼ିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନେକ ସମୟରେ ଡାର୍କ ହର୍ସ ଭାବେ କିଛି ନେତା ପିସିସି ସଭାପତି ପଦ ହାତେଇ ନେଇଛନ୍ତି । ଏଥର ଏମିତି ହେଲେ ଆଶ୍ଚର୍ଯ୍ୟ ହେବାର ବି ନାହିଁ ।
ଭକ୍ତ ଚରଣ ଦାସ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା । ଅନେକ ବାର ବିଧାୟକ ଓ ସାଂସଦ ବି ହୋଇଛନ୍ତି । ଅନ୍ୟ ରାଜ୍ୟର ପ୍ରଭାରୀ ଭାବେ ନିର୍ବାଚନ ଓ ସଂଗଠନ ପରିଚାଳନା ବି କରିଛନ୍ତି । ଭକ୍ତଙ୍କ ପୁଅ ସାଗର ଦାସ ଏବେ ବିଧାୟକ ଅଛନ୍ତି । ଯୁବ କଂଗ୍ରେସ ସଭାପତି ଦୌଡ଼ରେ ବି ସାଗର ରହିଥିଲେ । ଆଦିବାସୀ ନେତା ହୋଇଥିବାରୁ କଂଗ୍ରେସରେ ତାଙ୍କର କ୍ରେଜ୍ ବି ରହିଛି । କିନ୍ତୁ ଭକ୍ତଙ୍କ ପାଖରେ ଭିଟାମିନ୍ ଏମର ଅଭାବ ରହିଛି । ବିଜେଡ଼ି ଓ ବିଜେପିକୁ ଟକ୍କର ଦେବାକୁ ହେଲେ ଟଙ୍କା ବାଲା ନେତାଙ୍କର ଆବଶ୍ୟକତା ଅଛି । କାହିଁକିନା ସମାବେଶ, ରାଲି, ଶୋଭାଯାତ୍ରା, ଆନ୍ଦୋଳନ କରିବା ପାଇଁ ଆଜିକାଲି ଲକ୍ଷ ଲକ୍ଷ ଟଙ୍କା ହିଁ ଦରକାର । ସେକାଳ ଭଳି ଆଉ ନେତା କି କର୍ମୀ ହାତରୁ ଖର୍ଚ୍ଚ କରି ଦଳୀୟ କାମରେ ବି ଯୋଗ ଦେଉନାହାନ୍ତି । ଗାଏମୋଟ୍ କହିଲେ ଭକ୍ତଙ୍କ ପାଖରେ ସାଙ୍ଗଠନିକ ଦକ୍ଷତା ଥିଲେବି ଅର୍ଥର ଅଭାବ ରହିଛି ।
ସେପଟେ ମହମ୍ମଦ ମୋକିମ୍ ଗତ ଦଶ ବର୍ଷ ଧରି ପିସିିସି ସଭାପତି ରେସ୍ରେ ଅଛନ୍ତି । କୋଟି କୋଟି ଟଙ୍କା ଥିବାରୁ ସେ ନିଜର ଫ୍ୟାନ୍ କ୍ଳବ ବି ସୃଷ୍ଟି କରିପାରିଛନ୍ତି । ଉପକୂଳ ଓଡ଼ିଶାରେ ମୋକିମ ହିଁ ଏକମାତ୍ର ନେତା ଭାବେ ଦଳର ଟେକ ରଖିଛନ୍ତି । ଏଥର ସେ ମାମଲା କାରଣରୁ ନିର୍ବାଚନ ଲଢ଼ିପାରିନଥିଲେ । କିନ୍ତୁ ତାଙ୍କ ଝିଅଙ୍କୁ ପ୍ରଥମ ଥର ପାଇଁ ବିଧାନସଭା ପଠାଇବାରେ ସେ ସମର୍ଥ ହୋଇଛନ୍ତି । ତେବେ କଟକକୁ ଛାଡ଼ିଦେଲେ ବାକି ସ୍ଥାନ ପାଇଁ ମୋକିମ୍ ଅଜଣା ବୋଲି କହିଲେ ଭୁଲ୍ ହେବ ନାହିଁ । ସାଂଗଠନିକ ଦକ୍ଷତା କମ୍ ଥିଲେବି ବିପୁଳ ଅର୍ଥ ତାଙ୍କୁ ପିସିସି ଶିରିପା ପିନ୍ଧାଇପାରେ ।
ଏସବୁ ଭିତରେ କଂଗ୍ରେସ ଅନେକ ସମୟରେ ଡାର୍କ ହର୍ସଙ୍କୁ ବି ଚୟନ କରିଥାଏ । ମାନେ ସେମାନେ ଦୌଡ଼ରେ ନଥିବେ ହେଲେ ପିସିସି ସଭାପତି ହୋଇଥିବାର ନଜିର ରହିଛି । ଉଦାହରଣ ଭାବେ ପ୍ରସାଦ ହରିଚନ୍ଦନଙ୍କୁ ନିଆଯାଇପାରେ । ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଲୁଲୁ ମହାପାତ୍ରଙ୍କ ଭଳି ନେତା ପିସିସି ସଭାପତି ପାଇଁ ଅଣ୍ଟା ଭିଡ଼ିଥିବାବେଳେ ରାହୁଲ କିନ୍ତୁ ପ୍ରସାଦଙ୍କୁ ଚୟନ କରି ଚକିତ କରିଦେଇଥିଲେ ।