ଲାଗୁନି ଲାଇଟ୍ କି ଗଢ଼ାହେଉନି ଡିଭାଇଡ଼ର; ପ୍ରତିଦିନ ଘଟୁଛି ଦୁର୍ଘଟଣା

ଲାଗୁନି ଲାଇଟ୍ କି ଗଢ଼ାହେଉନି ଡିଭାଇଡ଼ର; ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜାରକା:- ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଭାଲୁଖାଇରୁ ଶଙ୍ଖାରିଡିହ ମଧ୍ୟରେ ରହିଛି ୪ଟା ପ୍ଲାଏ ଓଭରବ୍ରିଜ୍ । ତନ୍ମଧ୍ୟରୁ ଜାରକା ଠାରେ ରହିଛି ଏକ ବଡ ଓଭରବ୍ରିଜ୍ । ଏହି ପ୍ଲାଏ ଓଭର ତଳ ରାସ୍ତାରେ ଲାଇଟ୍ ଲାଗିନି କି ଡିଭାଇଡର ନିର୍ମାଣ ହେଉନାହିଁ । ପୋଲ ତଳ ଏବେ ଗାଡ଼ି ପାର୍କି ଜୋନ୍ ପାଲଟିଛି । ବାଇକ୍, କାର, ବସ୍ ଓ ଟ୍ରକ୍ ଆଦି ବ୍ରିଜ ତଳେ ବହୁ ସମୟ ଧରି ଛିଡ଼ା ହୋଇ ରହୁଥିବାରୁ ଜନସାଧାରଣଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଏସବୁ ବାଦ୍ ଏହା ଅଟୋ, ମିନି ଟ୍ରକ, ରିକ୍ସା ଓ ଟ୍ରଲି ଆଦିର ସବୁଦିନିଆ ଷ୍ଟାଣ୍ଡ ପାଲଟି ଗଲାଣି । ପୋଲ ତଳେ ଦହିବରା, ପରିବା ଓ ଅନ୍ୟାନ୍ୟ ଅସ୍ଥାୟୀ ଦୋକାନୀଙ୍କ ବ୍ୟବସାୟ ଯୋଗୁ ଲୋକମାନଙ୍କ ଗହଳି ଜମୁଛି । ଏପରିକି କିଏ ଦୂରଦୂରାନ୍ତକୁ ବସ୍ରେ ଗଲେ ଏଠାରେ ନିଜର ବାଇକ୍ ଓ କାର୍ ସକାଳୁ ରାତି ଯାଏ ରଖି ଦେଇ ନିର୍ଭୟରେ ଚାଲିଯାଉଛି । ବୁଲା ଗାଈ ଗୋରୁଙ୍କ ସବୁଦିନିଆ ଆଶ୍ରୟ ସ୍ଥଳ ଏହି ପୋଲ ତଳ ପାଲଟିଛି । ସେହିପରି ବ୍ରିଜ ପାର୍ଶ୍ୱରେ ଯାତ୍ରୀବାହୀ ବସ୍ ରହୁଥିବାର ବସ୍କୁ ଅପେକ୍ଷାରତ ଯାତ୍ରୀଙ୍କ ପୋଲ ତଳେ ଭିଡ଼ ଜମୁଛି ଓ ବସ୍ଷ୍ଟାଣ୍ଡ ଅଭାବରୁ ବ୍ରିଜ ତଳ ସ୍ଥାନଟି ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଯାତ୍ରୀଙ୍କ ଆଶ୍ରୟ ନିମନ୍ତେ ଏକମାତ୍ର ସୁରକ୍ଷିତ ସ୍ଥାନ ପାଲଟିଛି । ଯାନବାହନ ଗହଳି ଯୋଗୁ ପୋଲ ତଳ ରାସ୍ତା ପାର ହୋଇ ଅପରପାର୍ଶ୍ୱକୁ ଯିବା ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । କହିବାକୁ ଗଲେ ଏହି ପୋଲ ଧର୍ମଶାଳା ବ୍ଲକର ଜୀବନ ରେଖା ସଦୃଶ । ଦୁଇଟି ପ୍ରମୁଖ ବାଇପାସ୍ ରାସ୍ତାର ସଂଯୋଗିକରଣ ହେଉଛି ଏହି ପୋଲ । ଗୋଟିଏ ରାସ୍ତା ବ୍ଲକ ଅଫିସ ଓ ଷ୍ଟାଡିୟମ ଆଡେ ଯାଇଥିବା ବେଳେ ଅନ୍ୟଟି ଶାନ୍ତି ବଜାର ଦେଇ ଧର୍ମଶାଳା ଓ କାଏମା ଆଡ଼େ ଲମ୍ବିଛି । ଗୋଟିଏ ପାର୍ଶ୍ୱରେ ସ୍କୁଲ, କଲେଜ, ବ୍ଲକ ସରକାରୀ କାର୍ଯ୍ୟାଳୟ ଅପର ପାର୍ଶ୍ୱରେ ଥାନା, ତହସିଲ ମେଡିକାଲ କାର୍ଯ୍ୟାଳୟ । ଏହି ପ୍ଲାଏ ଓଭର ତଳେ ପ୍ରତିଦିନ ହଜାର ହଜାର ଲୋକ ମାନେ ଯିବାଆସିବା କରନ୍ତି । ପ୍ଲାଏ ଓଭର ପାଖରେ ଜାରକା ବିଟ୍ ହାଉସ ବାବୁ ମାନେ ମଧ୍ୟ ପୋଲ ତଳର ଦୈନନ୍ଦିନର ଏମିତି ଟ୍ରାଫିକ ସମସ୍ୟା ପ୍ରତି ଆଦୌ ଦୃଷ୍ଟି ନଥୁବା ପରି ମନେ ହେଉଛି । ଦୁଇ ବର୍ଷରୁ ଅଧିକ ଦିନ ହେବ କାରକା ପ୍ଲାଏ ଓଭର କାର୍ଯ୍ୟକ୍ଷମ ହୋଇଥିଲେ ବି ପୋଲ ତଳେ ଆଲୋକୀକରଣ ବ୍ୟବସ୍ଥା ହୋଇ ପାରିଲା ନାହିଁ କି ଡିଭାଇଡର ନିର୍ମାଣ ହେଲା ନାହିଁ ଓ ବର୍ଷବର୍ଷ ଧରି ଲୋକେ ଏହି ରାସ୍ତାରେ ଘୋର ଅନ୍ଧାରରେ ଯତାୟତ କରୁଛନ୍ତି । ଏହି ରାସ୍ତାର ଚଉଡ଼ା ୨୪ମିଟରରୁ ଅଧିକ ଥିବା ବେଳେ ମଝିରେ ଏକ ଡିଭାଇଡରର ଆବଶ୍ୟକତା ରହିଛି । ଡିଭାଇଡର ନଥୁବାରୁ ମନଇଚ୍ଛା ଯାନବାହାନ ଚଳାଚଳ ଯୋଗୁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି ଓ ରାଜପଥ ସମ୍ପ୍ରସାରଣ ଦାୟିତ୍ୱ ନେଇଥୁବା ଡିବିଏଲ ଠିକା ସଂସ୍ଥାର ଖାମଖିଆଲି ମନବୃଦ୍ଧି ଯୋଗୁ ଏହି ଦୁଇଟି ମୁଖ୍ୟ ସମସ୍ୟା ସମାଧାନ ହୋଇ ପାରିନାହିଁ । ରାଜପଥ କର୍ତ୍ତୃପକ୍ଷ ଜାରକାର ଏଭଳି ପ୍ରମୁଖ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।