ମୋଦିଙ୍କ ପ୍ରଥମ ପଡ଼କାଷ୍ଟ : ମୁଁ ମଣିଷ, ଭଗବାନ ନୁହେଁ, ନିଜ ସୁବିଧା ପାଇଁ ଉଦେ୍ଦଶ୍ୟ ବଦଳାଏ ନାହିଁ

ନୂଆଦିଲ୍ଲୀ: ମୁଁ ଜଣେ ସାଧାରଣ ମଣିଷ, ଯିଏ ଭୁଲ କରିପାରେ । କିନ୍ତୁ ମୁଁ କେବେ ବି ଭୁଲ ଉଦେ୍ଦଶ୍ୟ ରଖି କିଛି ତ୍ରୁଟି କରିବି ନାହିଁ । ଏହା ମୋ ଜୀବନର ମନ୍ତ୍ର । କାରଣ ମୁଁ ଜଣେ ମଣିଷ, କୌଣସି ଭଗବାନ ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମ କରି ଏକ ପଡ଼କାଷ୍ଟରେ ଯୋଗଦେବା ଅବସରରେ ଏହା କହିଛନ୍ତି । ଏହା ସହିତ ସେ ନିଜ ସୁବିଧା ଅନୁସାରେ କେବେ ବି ତାଙ୍କ ଉଦେ୍ଦଶ୍ୟ ବଦଳାନ୍ତି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଷ୍ଟକ ବ୍ରୋକର ଜିରୋଧାର ସହପ୍ରତିଷ୍ଠାତା ନିଖିଲ କାମାଥଙ୍କ ପଡ଼କାଷ୍ଟରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ନିଖିଲ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ନିଖିଲ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ, ମୁଁ ଏଠାରେ ଆପଣଙ୍କ ସାମ୍ନାରେ ବସିଛି ଏବଂ କଥା ହେଉଛି । ମୋତେ ଅସ୍ଥିତରତା ଅନୁଭବ ହେଉଛି । ଏହା ମୋ ପାଇଁ ଏକ କଠିନ ଆଲୋଚନା । ପ୍ରଧାନମନ୍ତ୍ରୀ ନିଖିଲଙ୍କ କଥା ଶୁଣି ସ୍ମିତହାସ୍ୟ ଦେଇ ଉତ୍ତର ଦେଇଥିଲେ, ଏହା ମୋର ପ୍ରଥମ ପଡ଼କାଷ୍ଟ । ମୋତେ ଜଣା ନାହିଁ ଏହା ଆପଣଙ୍କ ଦର୍ଶକମାନଙ୍କୁ କିପରି ଲାଗିବ । କିନ୍ତୁ ତାଙ୍କ ଜୀବନର ଗୋଟିଏ ମନ୍ତ୍ର ରହିଛି, ତାହା ହେଉଛି ସେ କଦାପି ମନ୍ଦ ଉଦେ୍ଦଶ୍ୟ ରଖି କୌଣସି ଭୁଲ କାର୍ଯ୍ୟ କରିବେ ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ହେଲେ, ସେତେବେଳେ ଏକ ଭାଷଣ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ, ସେ କଠିନ ପରିଶ୍ରମ କରିବାରେ ପଛକୁ ହଟିବେ ନାହିଁ । ସେ ନିଜ ପାଇଁ କିଛି କରିବେ ନାହିଁ । ସେ ଜଣେ ମଣିଷ, ଯିଏ ଭୁଲ କରିପାରେ । କିନ୍ତୁ କେବେ ଖରାପ ଉଦେ୍ଦଶ୍ୟ ରଖି ଭୁଲ କରିବେ ନାହିଁ ।
ପ୍ରଧାନମନ୍ତ୍ରୀ ଆଲୋଚନା ବେଳେ କହିଥିଲେ, ଗାନ୍ଧିଜୀ ଏବଂ ସାବରକରଙ୍କ ରାସ୍ତା ଭିନ୍ନ ଭିନ୍ନ ଥିଲା । କିନ୍ତୁ ସେମାନଙ୍କ ବିଚାରଧାରା ଥିଲା ‘ସ୍ୱାଧୀନତା’ । ଆଦର୍ଶବାଦ ବିଚାରଧାରାଠରୁ ବହୁତ ଅଧିକ ମହତ୍ୱପୂର୍ଣ୍ଣ । ବିଚାରଧାରା ବିନା ରାଜନୀତି ହୋଇପାରିବ ନାହିଁ । ତେବେ ଆଦର୍ଶବାଦ ବହୁତ ଜରୁରୀ । ସ୍ୱାଧୀନତା ପୂର୍ବରୁ ସ୍ୱାଧୀତନା ସଂଗ୍ରାମୀମାନଙ୍କ ବିଚାରଧାରା ସ୍ୱାଧୀନତା ଥିଲା । ଗାନ୍ଧିଜୀଙ୍କ ରାସ୍ତା ଅଲଗା ଥିଲା । କିନ୍ତୁ ବିଚାରଧାରା ସ୍ୱାଧୀନତା ଥିଲା । ସାବରକର ନିଜ ରାସ୍ତା ନିଜେ ବାଛିଲେ । କିନ୍ତୁ ତାଙ୍କ ବିଚାରଧାରା ବି ସ୍ୱାଧୀନତା ଥିଲା । ପ୍ରଧାନମନ୍ତ୍ରୀ ନିଜ ବିଚାରଧାରା ବିଷୟରେ କହିଥିଲେ ଯେ, ସର୍ବଦା ରାଷ୍ଟ୍ରକୁ ସବୁଠୁ ଆଗରେ ରଖିବା ଆବଶ୍ୟକ ।ସେ ଆହୁରି କହିଥିଲେ, ମୁଁ ଏପରି ବ୍ୟକ୍ତି ନୁହେଁ, ଯିଏ ନିଜ ସୁବିଧା ଅନୁସାରେ ନିଜ ଉଦେ୍ଦଶ୍ୟ ବଦଳାଇଦେବ । ମୁଁ ସବୁବେଳେ ଗୋଟିଏ ବିଚାରଧାରାରେ ବିଶ୍ୱାସ କରି ବଡ଼ ହୋଇଛି । ଯଦି କେହି ମୋତେ ନିଜ ବିଚାରଧାରାକୁ କିଛି ଶବ୍ଦରେ କହିବାକୁ କୁହେ, ତେବେ ମୁଁ କହିବି ନେସନ ଫାଷ୍ଟ ଅର୍ଥାତ ଦେଶ ଆଗ । ରାଷ୍ଟ୍ର ହେଉଛି ସର୍ବପ୍ରଥମ, ତା’ ପାଇଁ ଯାହା ବି କରିବାକୁ ପଡ଼େ ତାହା କରିବି । ବାଟରେ ଯଦି ବିଚାରଧାରା ଓ ପରମ୍ପରା ଆସେ ତେବେ ମୋତେ ମୋ କର୍ତ୍ତବ୍ୟ କରିବାକୁ ରୋକିପାରିବ ନାହିଁ ।