ଦୂଷିତ ଜଳ ପ୍ରକଳ୍ପ ବ୍ୟାଟେରୀ ଚୋରି
ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ହରସିଂପର ପଞ୍ଚାୟତ ଅଧିନ ପୀରହାଟ ମୁସଲିମ ବସ୍ତିରେ ୱାଟରଏଡ୍ ଇଣ୍ଡିଆ ପକ୍ଷରୁ ଆବର୍ଜନା ଓ ଦୂଷିତ ଜଳର ପରିଚାଳନା ବ୍ୟବସ୍ଥା ଲାଗି ଅବସ୍ଥାପିତ ପ୍ରକଳ୍ପର ବ୍ୟାଟେରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୋଲାର ଚାଳିତ ପ୍ରକଳ୍ପର ଇନଭର୍ଟରରେ ଦୁଇଟି ବ୍ୟାଟେରୀ ଲାଗିଥିଲା । ଗତକାଲି ରାତିରେ ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ପଡିବା ପରେ ଗାଁର ମୁର୍ସିଦ୍ ସାହାଜୀ ପୀରହାଟ ଥାନାରେ ଏତଲା ହୋଇଛି । ଏହି ପ୍ରକଳ୍ପରେ ଗ୍ରାମର ୬୦ଟି ପରିବାର ବହୁଳ ଭାବେ ଉପକୃତ ହେଉଥିଲେ । ବ୍ୟାଟେରୀ ଚୋରି ପରେ ପ୍ରକଳ୍ପର ମେସିନ୍ ବନ୍ଦ ରହିଛି । ଫଳରେ ଗୃହସ୍ଥଙ୍କ ଆବର୍ଜନା ପାଣି ରାସ୍ତା ଉପରେ ମାଡିଲାଣି । ଯାହା ଫଳରେ ପୁରା ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି । ଚୋରଙ୍କୁ ଧରିବା ସହିତ ଚୋରି ବ୍ୟାଟେରୀ ଉଦ୍ଧାର କରାଗଲେ ପ୍ରକଳ୍ପ ଚାଲୁ ହୋଇ ପାରନ୍ତା ବୋଲି ସଇମଦ୍ ସାହାଜୀ, ସେକ ସମିର, ଗରିବ୍ ସାହାଜୀ, ଗୋରା ସାହାଜୀ, ପାଗଲ ସାହାଜୀ, ଝାମ୍ପୁ ସାହାଜୀ ଓ ଅପରେଟର ଇସ୍ତାର ସାହାଜୀ ପ୍ରମୁଖ ଦାବି କରିଛନ୍ତି ।ସୂଚନା ଥାଉକି, ୱାଟର ଏଡ୍ ଇଣ୍ଡିଆ ଏନଜିଓ ପକ୍ଷରୁ ଏହି ଗାଁରେ ଗତ ୧୯.୦୭.୨୩ ତାରିଖରେ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ପରିଚାଳନା ନିମନ୍ତେ ଅଳିଆ ଆବର୍ଜନାକୁ ଗୋଟିଏ ଅଳିଆ ପୃଥକ ଘର, ଖତ କୁଣ୍ଡ ଓ ଧୂଶର ଜଳର ପରିଷ୍କାର ବ୍ୟବସ୍ଥା ପାଇଁ ଜାପାନୀ ଜ୍ଞାନ କୌଶଳ ଦ୍ୱାରା ନିର୍ମିତ ଯୋକାଶୁ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଅପରିଷ୍କାର ଜଳର ଅତ୍ୟାଧୁନିକ ବିଶୋଧନ ପ୍ଲାଣ୍ଟର ନିର୍ମାଣ କରାଯାଇଛି । ଗୃହସ୍ଥଙ୍କ ଠାରୁ ପାଇପ୍ ଯୋଗେ ଅପରୁଷ୍କାର ଜଳ ଉକ୍ତ ପ୍ଲାଣ୍ଟରେ ପ୍ରବେଶ କରିବ ଏବଂ ପରେ ଉକ୍ତ ଜଳକୁ ବିଶୋଧନ କରାଯାଇ ଅନ୍ୟତ୍ର ବ୍ୟବହାର ଉପଯୋଗି କରାଯାଇ ପାରିବ । ଯାହାଦ୍ୱାରା ଗାଁ ମଧ୍ୟରେ ଦୁର୍ଗନ୍ଧ ରହିବ ନାହିଁ ବୋଲି କୁହାଯାଇଛି । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ବସ୍ତିର ମୋଟ୍ ୬୦ଟି ପରିବାରକୁ ସାମିଲ କରାଯାଇଥିଲା ।