ପୋପ୍ ଫ୍ରାନ୍ସିସ୍ଙ୍କ ବିୟୋଗରେ ରାଜ୍ୟ ପାଳିବ ୩ ଦିନିଆ ଶୋକ

ଭୁବନେଶ୍ୱର: ରୋମାନ କାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କର ବିୟୋଗରେ ରାଜ୍ୟ ୩ ଦିନିଆ ଶୋକ ପାଳିବ। ଏପ୍ରିଲ ୨୨ (ମଙ୍ଗଳବାର) ଏବଂ ଏପ୍ରିଲ ୨୩ (ବୁଧବାର) ରାଜ୍ୟ ସରକାର ଶୋକ ଦିବସ ପାଳନ କରିବେ। ସେହିଭଳି ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ ବୋଲି ସୂଚନା ଦିଆଯାଇଛି। ସୂଚନା ଥାଉ କି, ପୋପ୍ ଫ୍ରାନ୍ସିସ୍ଙ୍କର ଦେହାନ୍ତରେ ଭାରତ ସରକାର ସୋମବାର ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ତାଙ୍କ ସମ୍ମାନାର୍ଥେ ସାରା ଭାରତରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ।
ଏପ୍ରିଲ ୨୨ (ମଙ୍ଗଳବାର) ଏବଂ ଏପ୍ରିଲ ୨୩ (ବୁଧବାର) ଦୁଇ ଦିନ ପାଇଁ ରାଷ୍ଟ୍ର ଶୋକ ପାଳନ କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି। ଏହା ବ୍ୟତୀତ, ଶେଷକୃତ୍ୟ ଦିନ ଗୋଟିଏ ଦିନ ପାଇଁ ରାଜ୍ୟ ଶୋକ ପାଳନ କରାଯିବ। ବିବୃତ୍ତିରେ କୁହାଯାଇଛି ଯେ ରାଷ୍ଟ୍ରୀୟ ଶୋକ ସମୟରେ, ସାରା ଭାରତରେ ଯେଉଁଠାରେ ନିୟମିତ ଭାବରେ ଜାତୀୟ ପତାକା ଉଡ଼ାଯାଏ, ସେହି ସମସ୍ତ କୋଠାରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଶୋକ ସମୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ। ସୂଚନା ଥାଉ କି, ପୋପ୍ ଫ୍ରାନ୍ସିସ୍ଙ୍କର ସୋମବାର ସକାଳେ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଇତିହାସରେ ପ୍ରଥମ ଥର ପାଇଁ ଦକ୍ଷିଣ ଆମେରିକାରୁ ଖ୍ରୀଷ୍ଟିଆନ୍ ଧର୍ମର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବା ଫ୍ରାନ୍ସିସ୍ ଦୀର୍ଘବର୍ଷ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ ନିକଟରେ ଡବଲ ନିମୋନିଆରୁ ସୁସ୍ଥ ହୋଇଥିଲେ। ଇଷ୍ଟର ରବିବାର ପାଳନର ଗୋଟିଏ ଦିନ ପରେ ତାଙ୍କର ଦେହାନ୍ତ ସାରା ବିଶ୍ୱରେ ଶୋକର ଛାୟା ଖେଳାଇଦେଇଛି। ତାଙ୍କର ବିନମ୍ର ଶୈଳୀ ଏବଂ ଗରିବଙ୍କ ପରି ଚିନ୍ତା ସାରା ବିଶ୍ୱକୁ ପ୍ରଭାବିତ କରିଥିଲା।