କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚିଠି: ସରକାରୀ ବଙ୍ଗଳାରେ ରହୁଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୁଡ଼

 ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ଅବସର ଗ୍ରହଣ କରିବା ପରେ ବି ସରକାରୀ ବଙ୍ଗଳାରେ ଅବସ୍ଥାନ କରିଛନ୍ତି । ଏଣୁ ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ଚିଠି କରାଯାଇଛି । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ଦିଲ୍ଲୀର କ୍ରିଷ୍ଣା ମେନନ୍ ମାର୍ଗ ସ୍ଥିତ ସରକାରୀ ବଙ୍ଗଳା ନଂ ୫ରେ ଅବସ୍ଥାନ କରିଛନ୍ତି । ସୁପ୍ରିମକୋର୍ଟ ବିଚାରପତିଙ୍କ ନିୟମାନୁସାରେ ଯଦି ଜଣେ ବିଚାରପତି ଅବସରଗ୍ରହଣ କରନ୍ତି, ତେବେ ତାଙ୍କୁ ସ୍ଥାନାନ୍ତର ପାଇଁ ସେହି ସମୟ ଠାରୁ ଆହୁରି ୬ ମାସ ପର୍ଯ୍ୟନ୍ତ ସେହି ବାସଭବନରେ ରହଣି ଅବଧି ବୃଦ୍ଧି କରାଯାଇଥାଏ । ସେହି ଅନୁସାରେ ଚନ୍ଦ୍ରଚୁଡ଼ଙ୍କ ରହଣି ଅବଧି ଗତ ମେ ୧୦ ତାରିଖରୁ ଶେଷ ହୋଇଛି । ଏହାସହ ସ୍ୱତନ୍ତ୍ର ଭାବେ ଏହି ଅବଧିକୁ ପୁଣି ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହାବାଦ ଜଷ୍ଟିସ୍ ଚନ୍ଦ୍ରଚୁଡ଼ ବଙ୍ଗଳାରେ ଅବସ୍ଥାନ କରିଥିବାରୁ ତାହା ସୁପ୍ରିମକୋର୍ଟ ବିଚାରପତି ଆଇନର ଧାରା ୩ବି ୨୦୨୨ର ଉଲ୍ଲଂଘନ ହେଉଛି । ଯେହେତୁ ଏହି ବଙ୍ଗଳା ସୁପ୍ରିମକୋର୍ଟଙ୍କ ଅଂଶବିଶେଷ, ତେଣୁ ଆଗାମୀ ଦିନରେ କୌଣସି ସମସ୍ୟା ପୂର୍ବରୁ ଜଷ୍ଟିସ୍ ଚନ୍ଦ୍ରଚୁଡ଼ଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ଜରୁରୀ ବୋଲି ଦର୍ଶାଯାଇଛି ।