ଏହି ସବୁ ଜିଲାରେ ବର୍ଷା

ଭୁବନେଶ୍ୱର - ବଙ୍ଗୋପସାଗରରେ ରବିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ରର ରୂପ ନେଇଛି। ଏହା ୮ ତାରିଖ ଯାଏ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ପରବର୍ତ୍ତୀ ୪୮ ଘଣ୍ଟା ଯାଏ ସାମାନ୍ୟ ଉତ୍ତର ଆଡକୁ ମୁହଁାଇବାର ସମ୍ଭାବନା ରହିଛି।
ଏହା ପ୍ରଭାବରେ ମଙ୍ଗଳବାର ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ଏଥିସହ ୩୦ରୁ ୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଅନ୍ୟସବୁ ଜିଲାରେ ପାଗ ପ୍ରାୟତଃ ଶୁଖିଲା ରହିବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପଟେ ରାଜ୍ୟରେ ସୋମବାର ୭ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିଲା। ଅନୁଗୋଳରେ ଦିନ ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବାବେଳେ ବୌଦ୍ଧରେ ୪୧.୮, ଝାରସୁଗୁଡ଼ାରେ ୪୧.୬, ସୋନପୁରରେ ୪୧.୪, ଭବାନୀପାଟଣାରେ ୪୦.୫, ହୀରାକୁଦରେ ୪୦.୩ ଓ ସମ୍ବଲପୁରରେ ୪୦ ଡିଗ୍ରୀ ସେଲସିୟସ୍ ରହିଥିଲା। ତେବେ କାଳବୈଶାଖୀ ପ୍ରଭାବରେ ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।