ସେପ୍ଟେମ୍ବରରେ ହେବ ଛାତ୍ର ସଂସଦ ନିର୍ବାଚନ
ଆସନ୍ତା ସେପ୍ଟେମ୍ବରରେ ହେବ ଛାତ୍ର ସଂସଦ ନିର୍ବାଚନ । ୭ ବର୍ଷ ପରେ କଲେଜ ନିର୍ବାଚନ ହେଉଥିବାରୁ ଚଳଚଞ୍ଚଳ କଲେଜ କ୍ୟାମ୍ପସ । ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲେ ବି ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି । ସେପ୍ଟେମ୍ବର ୧୫ କିମ୍ବା ୧୬ ତାରିଖରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ସେହିଦିନ ଅପରାହ୍ନ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ । ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ସେପ୍ଟେମ୍ବର ୨୪ କିମ୍ବା ୨୫ ତାରିଖରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭା ଅନୁଷ୍ଠିତ ହେବ । ଏଥର ମଧ୍ୟ ଗୋଟିଏ ସମୟରେ ସାରା ରାଜ୍ୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି । ସମ୍ଭବତଃ ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ । ସେପ୍ଟେମ୍ବର ୨୬, ନହେଲେ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହାପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦଶହରା ଛୁଟି ଘୋଷଣା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।