ମୃତଦେହକୁ ୫୯ ଖଣ୍ଡ କରି କାଟିଥିବା ଅଭିଯୁକ୍ତର ଆତ୍ମହତ୍ୟା

ମୃତଦେହକୁ ୫୯ ଖଣ୍ଡ କରି କାଟିଥିବା ଅଭିଯୁକ୍ତର ଆତ୍ମହତ୍ୟା

ଭଦ୍ରକ: ମହିଳାଙ୍କୁ ହତ୍ୟା କରି ମୃତଦେହକୁ ୫୯ ଖଣ୍ଡ କରି କାଟିଥିଲା ଅଭିଯୁକ୍ତ । ପ୍ରମାଣ ନଷ୍ଟ କରିବା ଏବଂ ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଖଣ୍ଡ ବିଖଣ୍ଡିତ ମୃତେଦହକୁ ଫ୍ରିଜରେ ଲୁଚାଇ ରଖିଥିଲା । ବେଙ୍ଗାଲୁରୁରେ ହତ୍ୟାକାଣ୍ଡ ଭିଆଇବା ପରେ ଓଡିଶା ଚାଲି ଆସିଥିଲା । ବେଙ୍ଗାଲୁରୁ ପୋଲିସ ଅଭିଯୁକ୍ତର ମୋବାଇଲ ଫୋନ ଟ୍ରାକ କରି, ଓଡ଼ିଶା ଆସିଥିବା ବେଳେ, ଆତ୍ମହତ୍ୟା କରି ଜୀବନ ହାରିଛି ଅଭିଯୁକ୍ତ ।
ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରରୁ ଆସିଛି ବଡ଼ ଖବର । ପୋଲିସ ପାଖରେ ଖବର ପହଞ୍ଚିଲା ଭୂଇଁପୁରର ମୁକ୍ତିରଞ୍ଜନ ପ୍ରତାପ ରାୟ ଜୀବନ ହାରିଛନ୍ତି । ମୃତଦେହ ଉଦ୍ଧାର ହେବା ସହ ତା’ ନିକଟରୁ ଏକ ଡାଏରୀ ପୋଲିସ ଜବତ କରିଛି । ଏଥିରେ ସେ ମହାଲଷ୍ମୀଙ୍କୁ ହାଣି ହତ୍ୟା କରିଥିବା ଉଲ୍ଲେଖ କରିଥିବା ଜଣାପଡିଛି ।'


ଚଳିତମାସ  ୨୧ ତାରିଖରେ ବେଙ୍ଗାଲୁରୁରେ ମହାଲକ୍ଷ୍ନୀ ନାମ୍ନୀ ଜଣେ ମହିଳାଙ୍କୁ ବୀଭତ୍ସ କରାଯାଇଥିବା ଜଣାପଡିଥିଲା । ସେ ରହୁଥିବା ଭଡାଘରୁ ଫ୍ରିଜ ଭିତରୁ ମହାଲକ୍ଷ୍ନୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହର ଅଂଶ ବିଶେଷ ଗଳିତ ଅବସ୍ଥାରେ ଠାବ କରାଯାଇଥିବାରୁ କିଛି ଦିନ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ସନ୍ଦେହରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତର ଘଟଣାକ୍ରମରେ ସ୍ଥାନୀୟ ପୋଲିସ ଓଡିଶା ଲିଙ୍କ୍ ପାଇବା ସହ ମୁକ୍ତିରଞ୍ଜନଙ୍କ ସମ୍ପୃକ୍ତି ମଧ୍ୟ ଜାଣିବାକୁ ପାଇଥିଲା । ବାଲେଶ୍ୱର ଏବଂ ଭଦ୍ରକ ପୋଲିସ ସହାୟତାରେ ବେଙ୍ଗାଲୁରୁ ପୋଲିସ ଟିମ୍‌ ତାକୁ ଗିରଫ କରିବାକୁ ପ୍ରୟାସ କରୁଥିଲା । ଏପରିକି ବେଙ୍ଗାଲୁରୁର ଏକ ପୋଲିସ ଟିମ, ଅଭିଯୁକ୍ତର ମୋବାଇଲ ଫୋନ ଟ୍ରାକ କରି ଓଡ଼ିଶା ଆସିଥିଲା । କିନ୍ତୁ ଗିରଫ ପୂର୍ବରୁ ଅଭିଯୁକ୍ତ ଜୀବନ ହାରିଛି । ମୃତକର ଘର ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ଅଧିନସ୍ଥ ଭୂଇଁପୁର । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।


ମୃତ ଯୁବକ ଜଣକ ମୁକ୍ତିରଞ୍ଜନ ପ୍ରତାପ ରାୟ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲା । ସେ ମଙ୍ଗଳବାର ରାତିରେ ଘରକୁ ଫେରିଥିଲା । ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ଘରୁ ପଳାଇଥିଲା । ୨୫ ତାରିଖ ଭୋର ପ୍ରାୟ ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବ ବୋଲି କହି ଘରୁ ଆସିଥିଲା । ପରେ କୁଳେଇପଦା ନିକଟରେ ଗାଡି ରଖି ଜୀବନ ହାରିଥିଲା । ଏନେଇ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।