କେଉଁ ସମୟରେ ଚା’ ପିଇବା ଶରୀର ପାଇଁ ଭଲ ?

ଚା’.. ଅନେକ ଭାରତୀୟଙ୍କ ସକାଳର ଆରମ୍ଭ । ଶୁଭସକାଳର ସନ୍ଦେଶ ନେଇ ଆସୁଥିବା ଏହି ଚା’ ନ ପିଇଲେ ସକାଳଟା ଯେମିତି ମାନ୍ଦା ମାନ୍ଦା ଲାଗେ । ଖଟିରୁ ଆରମ୍ଭ କରି ବେଡରୁମ୍ ଖଟ ପର୍ଯ୍ୟନ୍ତ ସବୁଠି ଛାପ ଛାଡୁଥିବା ଗରମ ଚା’ର ଚର୍ଚ୍ଚା ଯେତେ କଲେ ବି କମ୍ । କିନ୍ତୁ ବେଳେବେଳେ ଚା’ର ମାତ୍ରା ଜୀବନରେ ଏତେ ଅଧିକ ହୋଇଯାଏ ଯେ ଅଖା ଧୋଉଥିବ ଗୁଣ ଗାଉଥିବ ଭଳି ସମସ୍ୟା ଉପୁଜେ । ଚା’ରେ ଥିବା କେଫିନ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଡାକ୍ତର ମଧ୍ୟ ଉପଦେଶ ଦିଅନ୍ତି । କିନ୍ତୁ ଚା’ଅଭ୍ୟାସରେ ପଡ଼ିଥିବା ଲୋକ ଦୈନିକ ୧୦ ରୁ ୧୫ ଥର ଚା’ ନ ପିଇଲେ ତାଙ୍କ ମନ ଶାନ୍ତି ହୁଏନାହିଁ । ଏହି ଅଭ୍ୟାସ ମଣିଷର ସ୍ବାସ୍ଥ୍ୟ ପାଇଁ କେତେ ଠିକ୍?
ପ୍ରତିଟି ଭାରତୀୟଙ୍କ ଦୁର୍ବଳତା ହେଉଛି ଉଷୁମ ଉଷୁମ ଚା’ । ଘରକୁ କୁଣିଆ ଆସିଲେ ଚା’ କରି ବଢାଇଦିଅ , ନିଦୁଆ ନିଦୁଆ ଲାଗୁଥିଲେ ଉଷୁମ ଚା’ ଟିକେ ପିଇଦେଲେ ଓଃ କି ଶାନ୍ତି । କହିବାକୁ ଗଲେ , ସକାଳ ଏବଂ ସଂନ୍ଧ୍ୟା ଏହି ଦୁଇଟି ସମୟ ପ୍ରାୟତଃ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ସଂନ୍ଧ୍ୟା ସମୟର ଚା’ ଆପଣଙ୍କ ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ ଏବଂ ଆପଣଙ୍କ ମେଟାବୋଲିକ୍ ରେଟକୁ ମଧ୍ୟ ପ୍ରଭାବିତ କରିଥାଏ । ଏଥିରେ କ’ଣ ହୁଏ ନା ଶରୀରରେ ବେଳେବେଳେ ରିଆକ୍ସନ୍ ବି କରେ ଏବଂ ଗ୍ୟାସ୍ , ବାନ୍ତି ହେଲା ଭଳି ସମସ୍ୟା ଉପୁଜେ । ଏଭଳି ସମୟରେ ଆପଣଙ୍କୁ ଜାଣିରଖିବା ଉଚିତ୍ ଯେ ସଂନ୍ଧ୍ୟା ସମୟରେ କେଉଁ ଚା’ ପିଇବା ଦରକାର ।
ସଂନ୍ଧ୍ୟା ସମୟରେ କ୍ଷୀର ଚା’ ପିଇବା ଅପେକ୍ଷା ଲେମ୍ବୁ ଚା’ ପିଇବା ସ୍ବାସ୍ଥ୍ୟ ପାଇଁ ଭାରି ଭଲ । ଲେମନ୍ ଟି ପିଇବା ଦ୍ବାରା ପେଟର ମେଟାବୋଲିକ୍ ରେଟ୍ ବଢିଥାଏ । ଏହାପରେ ଯାହା ବି ଆପଣ ଖାଉଛନ୍ତି ପେଟରେ ହଜମ କରିବାର ଶକ୍ତି ବଢିଥାଏ । ଏହାଛଡ଼ା ଲେମ୍ବୁ ଚା’ ଡାଇଜେଷ୍ଟିଭ୍ ଏନ୍ଜାଇମ୍ କୁ ମଧ୍ୟ ବଢାଇଥାଏ ଯାହା ଓଜନ କମାଇବାରେ ସହାୟକ ହୁଏ । ଲେମ୍ବୁପାଣି ହଜମ ପ୍ରକ୍ରିୟାରେ ସହାୟକ ହେବା ସହ ତ୍ବଚାର ସୁସ୍ଥତା ଦିଗରେ ମଧ୍ୟ କାମ କରେ । କେଫିନ୍ ଯୁକ୍ତ ଚା’ରୁ ଶରୀରକୁ କ୍ଷତି ପହଁଞ୍ଚୁଥିବା ବେଳେ ଲେମ୍ବୁ ଚା’ ପିଇଲେ ଶରୀରରେ ଫୁର୍ତ୍ତିପଣ ଆସିଥାଏ । ଏହାଛଡ଼ା ହାଇଡ୍ରେଟିଙ୍ଗ୍ ଏବଂ କ୍ଷାରୀୟ ପ୍ରଭାବ ଆପଣଙ୍କ ଶରୀରର ପିଏଚ୍ ସ୍ତରକୁ ସନ୍ତୁଳିତ କରିଥାଏ । ଯାହାଦ୍ବାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହାଛଡ଼ା ୱେଟ୍ ଲସ୍ ପାଇଁ ମଧ୍ୟ ଲେମ୍ବୁ ଚା’ ଖୁବ୍ ଭଲ ହୋଇଥାଏ । ଏହା ଶରୀରକୁ ଡିଟକ୍ସ କରିଥାଏ ।