ଆମେରିକାର ସମ୍ବିଧାନ ବଦଳାଉଛନ୍ତି ଟ୍ରମ୍ପ! ଏବେଠୁ ବଡ଼ ଯୋଜନା

ଆମେରିକାର ସମ୍ବିଧାନ ବଦଳାଉଛନ୍ତି ଟ୍ରମ୍ପ! ଏବେଠୁ ବଡ଼ ଯୋଜନା

ଓ୍ବାଶିଂଟନ : ଗତ ବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଦେଶର ସମ୍ବିଧାନ ସଂଶୋଧନ କରି ୨୦୩୬ ପର୍ଯ୍ୟନ୍ତ ପଦରେ ରହିବାର ପଥ ପରିଷ୍କାର କରିଥିଲେ। ଏବେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମାନ ରାସ୍ତାରେ ଚାଲୁଥିବା ପରି ମନେ ହେଉଛି। ଆମେରିକୀୟ ଆଇନ ଅନୁଯାୟୀ, ଆମେରିକାରେ କୌଣସି ରାଷ୍ଟ୍ରପତି ଦୁଇ ଥରରୁ ଅଧିକ ସମୟ ପାଇଁ ତାଙ୍କ ପଦବୀରେ ରହିପାରିବେ ନାହିଁ। ଦୁଇଥରର ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ। କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରାଯାଇପାରେ।

ଗୁରୁବାର ଜଣେ ରିପବ୍ଲିକାନ ପାର୍ଟି ନେତା ଆମେରିକା ସମ୍ବିଧାନ ସଂଶୋଧନ ପାଇଁ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହା ଦ୍ୱାରା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ଅନ୍ୟ ଜଣେ ରାଷ୍ଟ୍ରପତି ହ୍ବାଇଟ ହାଉସରେ ତୃତୀୟ ଥର ପାଇଁ ନିର୍ବାଚିତ ହୋଇପାରିବେ।
“ଟ୍ରମ୍ପ ନିଜକୁ ଆଧୁନିକ ଇତିହାସର ଏକମାତ୍ର ନେତା ଭାବରେ ପ୍ରମାଣିତ କରିଛନ୍ତି, ଯିଏ ଆମ ଦେଶର ଅବନତିକୁ ବଦଳାଇ ପାରିବେ ଏବଂ ଆମେରିକାକୁ ମହାନତା ଫେରାଇ ଆଣିପାରିବେ, ସେ ସକ୍ଷମ ଏବଂ ଏହି ମିଶନକୁ ସମାପ୍ତ କରିବା ପାଇଁ ତାଙ୍କୁ ଆବଶ୍ୟକ ସମୟ ଦିଆଯିବା ଉଚିତ ” ବୋଲି ପ୍ରସ୍ତାବ ଆଗତ କରିଥିବା ଏମ୍‌ପି ଆଣ୍ଡି ଓଗଲ୍ସ କହିଛନ୍ତି।

ନିର୍ବାଚନ ପ୍ରଚାର ସମୟରେ କମଳା ହାରିସ ଆମେରିକାର ଲୋକମାନଙ୍କୁ ଚେତାବନୀ ଦେଇ ଆସିଛନ୍ତି ଯେ ଯଦି ଟ୍ରମ୍ପ କ୍ଷମତାକୁ ଆସନ୍ତି, ତେବେ ସେ ଆମେରିକାର ଆଇନ ପରିବର୍ତ୍ତନ କରିବେ। ଜଣେ ରିପବ୍ଲିକାନ ହାଉସ ସଦସ୍ୟଙ୍କ ଦ୍ୱାରା ଆଗତ ଏହି ପ୍ରସ୍ତାବରୁ ଏହା ସୂଚିତ ହେଉଥିବା ପରି ମନେ ହେଉଛି ଯେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକୀୟ ଆଇନ ପରିବର୍ତ୍ତନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟ୍ରମ୍ପ ପୂର୍ବରୁ ଲିଙ୍ଗ, ନାଗରିକତା ଏବଂ ପ୍ରବାସ ଆଇନ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇସାରିଛନ୍ତି।

ଓଗଲ୍ସ ଜଣେ ରିପବ୍ଲିକାନ ପାର୍ଟି ସଦସ୍ୟ ଯିଏ ଗୃହରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ କାର୍ଯ୍ୟ କରୁଛନ୍ତି। ସେ ପ୍ରସ୍ତାବ ଉପସ୍ଥାପନ କରି କହିଥିଲେ, “ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଉପରେ ୨୨ତମ ସଂଶୋଧନ ଦ୍ୱାରା ଲାଗୁ ହୋଇଥିବା ସୀମାକୁ ସଂଶୋଧନ କରିବା ପାଇଁ ମୁଁ ସମ୍ବିଧାନରେ ଏକ ସଂଶୋଧନ ପ୍ରସ୍ତାବ ଦେଉଛି।” ତେବେ ଏ ସମ୍ପର୍କରେ ହ୍ବାଇଟ ହାଉସ ପକ୍ଷରୁ କୌଣସି ସରକାରୀ ମନ୍ତବ୍ୟ ଆସିନାହିଁ।