ଏ ଦିଗରେ ଦୃଷ୍ଟି ଦିଅନ୍ତୁ ସରକାର


ରାଜ୍ୟର ବିଭିନ୍ନ ଜଙ୍ଗଲ ମଧ୍ୟରେ ଶହ ଶହ ଗାଁ ରହିଛି । ସେହିସବୁ ଗାଁ ଗୁଡ଼ିକ ଶହ ଶହ ବର୍ଷର ପୁରୁଣା ଏବଂ ଗାଁଗୁଡ଼ିକରେ ରହୁଥିବା ଲୋକମାନେ ଜଙ୍ଗଲର ଜନ୍ତୁମାନଙ୍କ ସହିତ ଚଳିବା ଭଳି ଅଭ୍ୟାସରେ ଅଭ୍ୟସ୍ତ । ପ୍ରାୟତଃ ଦେଖିବାକୁ ଗଲେ ବିଭିନ୍ନ ଜଙ୍ଗଲରେ ଥିବା ଜଙ୍ଗଲ ଅଧିବାସୀମାନଙ୍କ ସହିତ ବନ୍ୟଜନ୍ତୁମାନଙ୍କର ପ୍ରାୟତଃ କୌଣସି ପ୍ରକାରର ସଂଘର୍ଷ ହୁଏ ନାହିଁ । ତେବେ ଅଳ୍ପ କିଛି ବର୍ଷ ହେଲା ଜଙ୍ଗଲ ଅଞ୍ଚଳଗୁଡ଼ିକରେ ନୂଆ ନୂଆ ଜନବସତି ସୃଷ୍ଟି ହେବା, ଜଙ୍ଗଲ ଧ୍ୱଂସ ହେବା ଏବଂ ଜଙ୍ଗଲର ପଶୁପକ୍ଷୀମାନଙ୍କୁ ଅବାଧରେ ଶିକାର କରାଯିବା ଦ୍ୱାରା ମନୁଷ୍ୟ ଏବଂ ଜଙ୍ଗଲୀ ପଶୁମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ଘଟିଛି । ଏହା ଫଳରେ ବେଆଇନ୍ ଭାବରେ ଜଙ୍ଗଲୀ ଜନ୍ତୁଙ୍କ ଶିକାର ମଧ୍ୟ ବଢୁଛି । ଜଙ୍ଗଲୀ ଜନ୍ତୁମାନେ ମଧ୍ୟ ଖାଦ୍ୟ ଅନ୍ୱେଷଣରେ ଏଭଳି ଜଙ୍ଗଲ ଭିତରକୁ ପଶିଆସି ଲୋକଙ୍କୁ ଆକ୍ରମଣ କରୁଥିବା ଏବଂ ଏଭଳି ଆକ୍ରମଣରେ ଲୋକଙ୍କର ମୃତୁ୍ୟ ଘଟୁଥିବା ଦେଖାଯାଉଛି । ବିଗତ ବର୍ଷଗୁଡ଼ିକରେ ଜଙ୍ଗଲୀ ଜନ୍ତୁମାନଙ୍କୁ ହତ୍ୟା ନକରିବା ପାଇଁ ଜଙ୍ଗଲ ଅଞ୍ଚଳରେ ଏବଂ ଜଙ୍ଗଲ ନିକଟରେ ରହୁଥିବା ଲୋକମାନଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ବୁଝାସୁଝା କରାଯାଉଛି । ସରକାର ମଧ୍ୟ ବିଭିନ୍ନ ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣରେ ଆହତ ହେଲେ କିମ୍ବା ମୃତୁ୍ୟବରଣ କରିଲେ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ଦେଉଛନ୍ତି । ଫସଲ ନଷ୍ଟ, ବାସଗୃହ ନଷ୍ଟ ଆଦି କ୍ଷେତ୍ରରେ ମଧ୍ୟ ସରକାର ସହାୟତା ଦେଉଛନ୍ତି । ଏସବୁ ସହାୟତା ଦିଆଯିବାର ମୁଖ୍ୟ ଉଦେ୍ଦଶ୍ୟ ହେଲା ଜଙ୍ଗଲର ସୁରକ୍ଷା ନିମିତ୍ତ ଜଙ୍ଗଲରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ, ସରୀସୃପ, ପକ୍ଷୀ ଆଦିଙ୍କର ଉପସ୍ଥିତି ନିହାତି ଜରୁରୀ । 
ତେବେ ରାଜ୍ୟ ସରକାର ଏଇ ଅଳ୍ପଦିନ ତଳେ ବନ୍ୟଜନ୍ତୁ ଆକ୍ରମଣଜନିତ କ୍ଷତିପୂରଣ ପରିମାଣକୁ ବୃଦ୍ଧି କରିଛନ୍ତି । ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୃତୁ୍ୟବରଣ କରିଲେ ଏଣିକି ଅନୁକମ୍ପାମୂଳକ ଭାବରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  କ୍ଷତିପୂରଣ ଦିଆଯିବ । ଆଂଶିକ କ୍ଷତିଗ୍ରସ୍ତ ବାସଗୃହ ପାଇଁ ୧୦ ହଜାର ଟଙ୍କା, କ୍ଷତିଗ୍ରସ୍ତ ଗୁହାଳ, ଗୋଦାମ ଘର ପାଇଁ ୩ ହଜାର ଟଙ୍କା, କ୍ଷତିଗ୍ରସ୍ତ ପାଚେରୀ ପାଇଁ ମିଟର ପିଛା ୫ ହଜାର ଏବଂ ସର୍ବାଧିକ ୨୫ ହଜାର ଟଙ୍କା, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ପାଇଁ ଅନ୍ତୋଦୟ ଯୋଜନାରେ ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଭଳି ଏକ ପରିବର୍ଦ୍ଧିତ ସହାୟତା ଅର୍ଥ ଘୋଷଣାର ମୂଳ ଲକ୍ଷ୍ୟ ହେଲା ବନ୍ୟଜନ୍ତୁମାନଙ୍କ ସୁରକ୍ଷା ଏବଂ ବନ୍ୟଜନ୍ତୁ ସୁରକ୍ଷା ମାଧ୍ୟମରେ ଜଙ୍ଗଲର ପରିସୀମା ବୃଦ୍ଧି କରିବା । ଏହା ବାଦ୍ ବିଭିନ୍ନ ସମୟରେ ସର୍ପାଘାତରେ ମୃତୁ୍ୟବରଣ କରୁଥିବା ଲୋକଙ୍କ ପାଇଁ ୪ ଲକ୍ଷ ଟଙ୍କାର ସହାୟତା ସରକାର ଦେଉଛନ୍ତି । କୁମ୍ଭୀର ଅଭୟାରଣ୍ୟଗୁଡ଼ିକରେ କୁମ୍ଭୀର ଆକ୍ରମଣରେ ମୃତୁ୍ୟ ଏବଂ କ୍ଷତିଗ୍ରସ୍ତ ହେଲେ ମଧ୍ୟ ସରକାର କ୍ଷତିପୂରଣ ଦେବା ବ୍ୟବସ୍ଥା ରଖିଛନ୍ତି । ହାତୀମାନଙ୍କ ଦ୍ୱାରା ଫସଲ ନଷ୍ଟ ଏବଂ ବିଭିନ୍ନ ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟ ହେଲେ ସେଥିପାଇଁ ସରକାରୀ ସହାୟତାର ବ୍ୟବସ୍ଥା ରହିଛି । ଏସବୁ ସତ୍ତ୍ୱେ ବିଭିନ୍ନ ସମୟରେ ନୂଆ ନୂଆ ପ୍ରଜାତିର ବନ୍ୟଜନ୍ତୁଙ୍କର ଦୌରାତ୍ମ୍ୟରେ ଚାଷୀମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ୨/୪ ବର୍ଷ ହେଲା ନୟାଗଡ଼, କଟକ, ବୌଦ୍ଦ, ଖୋର୍ଦ୍ଧା ଆଦି ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅରଣା ମଇଁଷିଙ୍କ ଉତ୍ପାତ ବଢ଼ି ଚାଲିଛି । ପୂର୍ବରୁ ଓଡ଼ିଶାରେ ଅରଣା ମଇଁଷୀଙ୍କ ସଂଖ୍ୟା ବହୁତ କମ୍ ଥିଲା । ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ବର୍ବରା ବନଖଣ୍ଡରେ ଅରଣା ମଇଁଷି, କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ବାରାହା ଆଦି ବିପୁଳ ପରିମାଣରେ ଫସଲ ନଷ୍ଟ କରୁଥିବା ଦେଖାଗଲାଣି । ରାଜ୍ୟ ସରକାର ବନ୍ୟଜନ୍ତୁ ଆକ୍ରମଣରେ ମୃତୁ୍ୟ ପାଇଁ ସହାୟତା ଅର୍ଥ ବୃଦ୍ଧି କରିଥିବା ଆହତ ଏବଂ ଫସଲ ନଷ୍ଟ କ୍ଷେତ୍ରରେ ମଧ୍ୟ ସହାୟତା ଅର୍ଥକୁ ବୃଦ୍ଧି କରିବା ଆବଶ୍ୟକ । ଗତବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୁଗ ଚାଷ ହେଉଥିବା ଅଞ୍ଚଳରେ ପଲ ପଲ ଅରଣା ମଇଁଷି ବିପୁଳ ପରିମାଣର ଫସଲ ନଷ୍ଟ କରିଛନ୍ତି । ଏ ବାବଦରେ ଚାଷୀମାନଙ୍କୁ କୌଣସି ପ୍ରକାରର ସହାୟତା ଦିଆଯାଇନାହିଁ । ଏ ଦିଗରେ ସରକାର ଦୃଷ୍ଟି ଦେଲେ ବନ୍ୟଜନ୍ତୁଙ୍କର ସୁରକ୍ଷା ଏବଂ ଜଙ୍ଗଲ ଅଞ୍ଚଳ ବୃଦ୍ଧି ଭଳି ଉଦେ୍ଦଶ୍ୟ ସଫଳ ହେବ ।