ଭାରତର ପ୍ରଥମ ମହିଳା ଡାକ୍ତର
ଡା.ଉମେଶ ଚନ୍ଦ୍ର ପାତ୍ର : ତକ୍ରାଳୀନ ସମୟରେ ବାଲ୍ୟ ବିବାହର ଜନଶ୍ରୋତ ଓ ନାରୀ ଶିକ୍ଷାର ବିରୋଧାଭାସ ଭିତରେ ପରିବାର ଓ ସମାଜର ସମସ୍ତ ପ୍ରତିକୂଳତାକୁ ଅତିକ୍ରମ କରି ଭାରତର ପ୍ରଥମ ମହିଳା ଡାକ୍ତରାଣୀ ଭାବେ ଯେ ଇତିହାସର ସ୍ୱର୍ଣ୍ଣାକ୍ଷରରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି ସେ ହେଉଛନ୍ତି ଡାକ୍ତର ଆନନ୍ଦୀବାଈ ଯୋଶୀ । ପିଲାବେଳୁ ସେ ଥିଲେ କଠିନ ଅଧ୍ୟବସାୟ ସମ୍ପନ୍ନ । ମୁମ୍ବାଇର କଲ୍ୟାଣରେ ୧୮୬୫ ମସିହା ମାର୍ଚ୍ଚ ୩୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳୁ ତାଙ୍କ ଡାକ ନାମ ଥିଲା ଯମୁନା । ମାତ୍ର ନଅ ବର୍ଷ ବୟସରେ ସେ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ ଗୋପାଳ ରାଓ ଯୋଶୀଙ୍କ ସହ । ଜଣେ ସମାଜ ସଂସ୍କାରକ ତଥା ସମାଜସେବୀ ଭାବରେ ଗୋପାଳ ରାଓଙ୍କର ପରିଚିତି ଥିଲା । ସେ ଥିଲେ ନାରୀଶିକ୍ଷା, ବିଧବା ବିବାହର ଜଣେ ପ୍ରମୁଖ ସମର୍ଥକ । ବିବାହ ପରେ ସେ ଯମୁନା ନାମକୁ ପରିବର୍ତ୍ତନ କରିଥିଲେ ଆନନ୍ଦୀ ନାମରେ । ସ୍ୱାମୀସ୍ତ୍ରୀ ଦୁଇଜଣ ସମାଜ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେବା ପରେ ସମାଜର ଦୃଢ଼ ବିରୋଧଭାସ ହେବାରୁ ଦୁଇଜଣ କଲ୍ୟାଣ ଜାଗା ଛାଡ଼ି ଆଲିବାଗ ପରେ କୋହ୍ଲାପୁର ଓ ସେଠାରୁ କୋଲକାତାରେ ତାଙ୍କୁ ପହଞ୍ଚôବାକୁ ପଡ଼ିଲା । ତକ୍ରାଳୀନ ସମୟରେ ଭାରତରେ ମହିଳା ଡାକ୍ତର ନଥିବାରୁ ଏବଂ ପୁରୁଷ ଡାକ୍ତରମାନଙ୍କ ପାଖକୁ ମହିଳାମାନେ ଯିବାକୁ ଅନିଚ୍ଛୁକ ଥିବାରୁ ଆନନ୍ଦୀବାଇ ଜଣେ ମହିଳା ଡାକ୍ତର ହେବା ପାଇଁ ସ୍ୱପ୍ନ ଦେଖିଥିଲେ । ଭାରତ ବାହାରେ ଡାକ୍ତରୀ ପାଠ ପଢ଼ିବା ପାଇଁ ତାଙ୍କୁ ଆମେରିକାର ନୁ୍ୟଜର୍ସିରେ ରହୁଥିବା ଶ୍ରୀମତୀ କାର୍ପେଣ୍ଟରଙ୍କ ସହଯୋଗରେ ୧୮୮୩ ଜୁନ୍ରେ ସେଠାର ଫିଲାଡେଲଫିଆର ମହିଳା କଲେଜରେ ତାଙ୍କ ନାମ ଲେଖା ହେଲା । ସ୍ଥାନୀୟ କଲେଜର କର୍ତ୍ତୃପକ୍ଷ ଆନନ୍ଦୀବାଇଙ୍କ ପାଇଁ ଦୟାପରବଶ ହୋଇ ତିନିବର୍ଷ ପାଇଁ ଛଅ ଶହ ଡଲାର ଲେଖାଏଁ ବୃତ୍ତି ଅନୁମୋଦନ କରିଥିଲେ ।
ସୁଦୂର ଆମେରିକାର ଜଳବାୟୁ ତାଙ୍କ ସ୍ୱାସ୍ଥ୍ୟକୁ ଅବନତି କରାଇ ତିନିବର୍ଷ ବେଳକୁ ଅତିଶୟ ଖରାପ କରିଦେଇଥିଲା । ସେହି ଦୀର୍ଘ ଅସୁସ୍ଥତା ଭିତରେ ତାଙ୍କ ଡାକ୍ତରୀପାଠ ଶେଷ ହେବା ସହ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କ ସ୍ୱାମୀ ଗୋପାଳ ରାଓଙ୍କ ଉପସ୍ଥିତିରେ ଭାରତର ପ୍ରଥମ ମହିଳା ଡାକ୍ତର ଭାବେ ଆନନ୍ଦୀବାଈ ଯୋଶୀଙ୍କ ନାମ ଘୋଷଣା କରାଯାଇଥିଲା । ଭାରତର ସେବା କରିବା ପାଇଁ ବାଲ୍ୟକାଳରୁ ସ୍ୱପ୍ନ ଦେଖି ଆଉ କଠୋର ପରିସ୍ଥିତି ଭିତରେ ସ୍ୱପ୍ନକୁ ସାକାର ପାଇଁ ଯେଉଁ କୁନି ଝିଅଟି ସ୍ୱପ୍ନ ଦେଖିଥିଲା ତାହା ଧୂଳିସାତ୍ ହୋଇଗଲା । ଅତ୍ୟନ୍ତ ପ୍ରତିକୂଳ ଓ କଷ୍ଟକର ଜୀବନ ଭିତରେ ତାଙ୍କ ଡାକ୍ତରୀ ଡିଗ୍ରୀ ମଧ୍ୟ ମୂଲ୍ୟହୀନ ହୋଇଗଲା । ପୁନାରେ ତାଙ୍କର ଶବସଂସ୍କାର ପରେ ସୁଦୂର ଆମେରିକାରେ ତାଙ୍କ ପାଠପଢ଼ାକୁ ସାକାର କରିଥିବା ଶ୍ରୀମତୀ କାର୍ପେଣ୍ଟରଙ୍କ ପାଖକୁ ତାଙ୍କ ଚିତାଭସ୍ମ ପଠାଇ ଦିଆଯାଇଥିଲା । ନୁ୍ୟୟର୍କର ପାଓକିପ୍ସି ରୁରାଲ ସିମେଟେରି ଏହି ସ୍ମରଣୀୟ ସମାଧିସ୍ଥଳର ଲଟ୍ ୨୧୬-ଏ କ୍ରମିକ ନମ୍ବରଟି ସମଗ୍ର ବିଶ୍ୱ ପାଇଁ ପରିଚିତ ହେଲା ଡାକ୍ତର ଆନନ୍ଦୀବାଈ ଯୋଶୀଙ୍କ ସମାଧିସ୍ଥଳ ଭାବରେ । ଏଠାରେ ସ୍ମରଣ କରିଦିଆଯାଇପାରେ ଡାକ୍ତର ଆନନ୍ଦୀବାଈ ୧୮୮୬ରେ ଡାକ୍ତରୀ ଡିଗ୍ରୀ ପାଇଥିବାବେଳେ ସେହିବର୍ଷ କୋଲକାତାର ବେଙ୍ଗଲ ମେଡ଼ିକାଲ କଲେଜରୁ ଡାକ୍ତରୀ ପାସ କରିଥିଲେ କାଦମ୍ବିନୀ ଗାଙ୍ଗୁଲୀ । ପରେ ଡାକ୍ତର କାଦମ୍ବିନୀ ଗାଙ୍ଗୁଲୀ ଇଂଲଣ୍ଡ ଯାଇ ଚିକିତ୍ସା ବିଜ୍ଞାନର ସ୍ନାତକୋତ୍ତର ଡିଗ୍ରୀପ୍ରାପ୍ତ ହୋଇଥିଲେ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡାକ୍ତର ଆନନ୍ଦୀବାଈଯୋଶୀଙ୍କ ଦୃଢ଼ ପ୍ରତିକୂଳତା ଭିତରେ ପାଠପଢ଼ା ଓ ସମାଜର ଅଶୋଭନୀୟ ତାଡ଼ନା ଭିତରେ ଯେଉଁ ଦୃଢ଼ ମନୋବଳ ଦେଖାଇ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଭାରତର ନାମକୁ ସ୍ମରଣୀୟ କରିଛନ୍ତି ତାଙ୍କ ଅମ୍ଳାନ ଆତ୍ମା ପ୍ରତି ଆମର ଗଭୀର ଶ୍ରଦ୍ଧାଞ୍ଜଳି ।
ମୋ : ୯୪୩୭୦୫୧୯୫୭