କବୀରପୁର ଉପଡାକଘର ଅଚଳ
କୁଆଖିଆ : ଦେଢଶହ ବର୍ଷର ଭାରତୀୟ ଡାକସେବାରେ ନୂଆ ସଫ୍ଟଓୟାର ଅପଡେଟ୍ ନେଇ ସାଧାରଣ ଜନତା ଜରୁରୀକାଳୀନ ଡାକସେବାରୁ ବଞ୍ଚିିତ ହେଇଥିବା ଦେଖାଦେଇଛି । ଯାହାକୁ ନେଇବିଭାଗ ଉପରେ ନିର୍ଭର କରୁଥିବା ହଜାର ହଜାର ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ଡାକସେବାରେ କେତେକ ନୀୟମ ପରିବର୍ତ୍ତନକୁ ନେଇ ନୂଆ ସଫ୍ଟଓୟାର ଅପଡେଟ୍ ହେଉଥିବା ବେଳେ ଆପ୍ଗୁଡିକ କାର୍ଯ୍ୟକ୍ଷମ ନହେବା ଯୋଗୁଁ ଡାକଘର ଗୁଡିକରେ ଅଚଳାବସ୍ଥା ଦେଖାଦେଇଛି । ଯାଜପୁର ସଦର ଅନ୍ତର୍ଗତ କବିରପୁର ଉପଡାକଘରଟି ଆଜିକୁ ୧୦ଦିନ ହେଲା ବନ୍ଦ ରହିଛି । ଯାହାଫଳରେ ଏହା ଉପରେ ନିର୍ଭରଶୀଳ ଶହ ଶହ ଗ୍ରାହକ ସେମାନଙ୍କ ଟଙ୍କା ପଇସା ନେଣଦେଣ ନକରି ପାରିବା ସହିତ ସଂଚୟ ଜମା, ମାସିକ ଡିପୋଜିଟ୍, ଫିକ୍ସି ଡିପୋଜିଟ୍, ମ୍ୟାଚୁରିଟ୍ ମନି, ରେଜଷ୍ଟ୍ରି, ପାର୍ସଲ, ସ୍ପିଡ୍ପୋଷ୍ଟ ପରି ଗୁରୁତ୍ୱପୂର୍ଣ୍ଣ ସେବାରୁ ବଞ୍ଚିତ ହେଇଛନ୍ତି । ଏଥିସହିତ ଏହା ଅଧୀନରେ ଥିବା ହରିପୁର, କଚେରୀ ଗାଁ, ରେକାବି ବଜାର, ବଡ଼ବନ୍ତ, ରାଜେନ୍ଦ୍ରପୁର, ମଙ୍ଗରାଜପୁର, ବାହାଦଲାପୁର, ମୁଗୁପାଳ, ସାମନ୍ତରାପୁର ପ୍ରଭୃତି ୯ଗୋଟି ଗ୍ରାମୀଣ ଡାକଘର ଗୁଡିକ ଅଚଳ ହୋଇପଡିଛି । ଯାହା ଫଳରେ ଗ୍ରାମାଞ୍ଚଳର ହଜାର ହଜାର ଲୋକଙ୍କ ଦୁର୍ଦ୍ଦଶା ବଢି ଯାଇଛି । ପ୍ରତ୍ୟେକ ଦିନ ଗ୍ରାହକ ମାନେ ଡାକ କାର୍ଯ୍ୟାଳୟକୁ ଯାଇ ନିରାଶ ଫେରିବା ଦେଖିବାକୁ ମିଳୁଥିବା ବେଳେ ଏ ଅବ୍ୟବସ୍ଥା ସମ୍ପର୍କରେ ଗ୍ରାହକ ପ୍ରଶ୍ନ କରିବାରୁ ସିଷ୍ଟମ୍ ଅଧିକାରୀ ସେମାନଙ୍କ କାର୍ଯ୍ୟରେ ଅବହେଳା କରୁଥିବା ନେଇ କାର୍ଯ୍ୟାଳୟ ଅଧିକାରୀ ଉତର ଦେଉଥିବା ଗ୍ରାହକଙ୍କ ଠାରୁ ଶୁଣିବାକୁ ମିଳୁଛି । ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ ଜନସାଧାରଣଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି ।