ଛାତ୍ରୀ ମୃତୁ୍ୟ ଘଟଣା ନେଇ ଦାବିପତ୍ର
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କାଠିଆପଡ଼ା ଗ୍ରାମ ବାସିନ୍ଦା ବଡ଼ପଡ଼ା କଲେଜରେ ପଢ଼ୁଥିବା +୩ ଶେଷ ବର୍ଷର ଛାତ୍ରୀ ପି.ଡ଼ି. ସଙ୍ଗୀତାଙ୍କର ଅପମୃତୁ୍ୟ ପାଇଁ ପୁଲିସ ପ୍ରଶାସନ ଓ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ । ଛାତ୍ରୀଙ୍କର ଜଣେ ପୁରୁଷ ବନ୍ଧୁ ତାଙ୍କର ନଗ୍ନ ଚିତ୍ର ଭାଇରାଲ କରିବା ଘଟଣାକୁ ନେଇ ସୁଶ୍ରୀ ସଙ୍ଗୀତା ଗତ ୬ମାସ ପୂର୍ବେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ଆଣିବା ସତ୍ତ୍ୱେ ସେଥିପ୍ରତି ପୁଲିସ କିମ୍ବା ପ୍ରଶାସନ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ବରଂ ତାଙ୍କୁ ନିରୁସôାହିତ ଓ ଅପମାନ ଦେଲା ଭଳି କାର୍ଯ୍ୟ କଲେ । ଏଥିରେ ଛାତ୍ରୀ ଜଣକ ନିରାଶ ହୋଇ ପ୍ରାଣ ହରାଇଲା । ଏହି ଅପମୃତୁ୍ୟ ଘଟଣାକୁ ଜଣେ ମହିଳା ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରି ଦୋଷୀମାନଙ୍କୁ ଏବଂ ଏଥିସହ ସଂପୃକ୍ତ ଅଧିକାରୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ ସହ ପୀଡ଼ିତା ପରିବାରକୁ କ୍ଷତିପୂରଣ ଦେବା ପାଇଁ ସି.ପି.ଆଇ.(ଏମ୍) କେନ୍ଦ୍ରାପଡା ଜିଲ୍ଲା କମିଟି ଦୃଢ ଦାବି କରିଛି । ସି.ପି.ଆଇ.(ଏମ୍) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ସମ୍ପାଦକ ଗୟାଧର ଧଳ,ବରିଷ୍ଠ ନେତା ଜଗତଜିବନ ଦାଶ, ନରୋତ୍ତମ ପାର୍ଥସାରଥୀ, କାଳୀପ୍ରସଦ ନାୟକ, ମାଧବ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଦାବିପତ୍ର ଗ୍ରହଣ କରିଥିଲେ ।