ମାଲିବାହୀ ଗାଡିରେ ଯାତ୍ରୀ ପରିବହନ: ୨୩ ଟି ଗାଡିରୁ ଚାଲାଣ କଟିଲା

 କେନ୍ଦୁଝର : ମାଲବାହୀ ଗାଡିରେ ବେଆଇନ ଭାବେ ଯାତ୍ରୀ ପରିବହନ ବେଳେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ୨୧ଟି ମାଲବାହୀ ଗାଡିଠାରୁ ଚାଲାଣ କଟାଯାଇଛି । ଏଭଳି ବେଆଇନ ପରିବହନ ବିରୋଧରେ କେନ୍ଦୁଝର ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସଙ୍କ ନେତୃତ୍ୱରେ ଏନ୍ଫୋର୍ସମେଣ୍ଟ ସ୍କାର୍ଡ ଗଠନ ହୋଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ୩ ଦିନ ମଧ୍ୟରେ ଯାଞ୍ଚ କରାଯାଇ ମୋଟ ୨୧ଟି ମାଲବାହୀ ଗାଡି ଠାରୁ ଚାଲାଣ କଟାଯାଇଛି । ମୋଟର ଯାନ ଆଇନ ଅନୁଯାୟୀ ମାଲବାହୀ ଗାଡିରେ ଯାତ୍ରୀ ପରିବହନ କରିବା ବେଆଇନ । ଅନେକ ସମୟରେ ଲୋକମାନଙ୍କୁ ମାଲବାହୀ ଗାଡିରେ ବିପଦପୂର୍ଣ୍ଣ ଭାବେ ନେଉଥିବାରୁ ଦୂର୍ଘଟଣା ଘଟୁଛି । ମାଲବାହୀ ଗାଡିରେ ଯାତ୍ରୀ ପରିବହନ ବେଳେ ଦୂର୍ଘଟଣା ହେଲେ ଆହତ ଏବଂ ମୃତ ଲୋକଙ୍କୁ କୌଣସି ଇନ୍ସୁରାନ୍ସ ବାବଦ କ୍ଷତିପୂରଣ ମିଳିନଥାଏ । ଲୋକଙ୍କ ସୁରକ୍ଷା ପାଇଁ ଆଗକୁ ଏଭଳି ଯାଂଚ ନିୟମିତ କରାଯିବ ବୋଲି ଆଂଚଳିକ ପରିବହନ ଅଧିକାରୀ ପ୍ରକାଶ କରିଛନ୍ତି । ଦ୍ରୁତ ଗତି,ମଦ ପିଇ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବଢୁଛି । ଆଗକୁ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ କଡାକଡି ଯାଞ୍ଚ କରାଯିବ ।