ସମ୍ବିଧାନର ପ୍ରସ୍ତାବନାକୁ ନେଇ ଚର୍ଚ୍ଚା
ଗୋପାଳ ମହାପାତ୍ର :
ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ କହିଛନ୍ତି ଯେ ସମ୍ବିଧାନର ପ୍ରସ୍ତାବନାରେ ଯୋଡ଼ାଯାଇଥିବା “ସମାଜବାଦୀ” ଏବଂ “ପନ୍ଥ ନିରପେକ୍ଷ” ଶବ୍ଦର ସମୀକ୍ଷା କରାଯିବା ଉଚିତ୍ । ତାଙ୍କ ମତରେ ଏ ଦୁଇଟି ଶବ୍ଦ ସମ୍ବିଧାନର ମୂଳ ପ୍ରସ୍ତାବନାରେ ନଥିଲା ଏବଂ ପରେ ଦିବଂଗତା ଇନ୍ଦିରାଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଜାରିକରିବା ସମୟରେ ୧୯୭୬ ମସିହାରେ ସମ୍ବିଧାନର ୪୨ତମ ସଂଶୋଧନ କରି ଏ ଦୁଇ ଶବ୍ଦକୁ ଯୋଡିଥିଲେ । ଏ ଦୁଇ ଶବ୍ଦକୁ ସେତେବେଳେ ଯୋଡ଼ା ଯାଇଥିଲା ଯେତେବେଳେ ମୂଳ ଅଧିକାରକୁ ଛଡାଇ ନିଆଯାଇଥିଲା ଏବଂ ନ୍ୟାୟପାଳିକା ପଙ୍ଗୁ ହୋଇ ଯାଇଥିଲା ଏବଂ ସଂସଦ ଅଚଳ ହୋଇଯାଇଥିଲା । ଦତ୍ତାତ୍ରେୟ ହୋସବାଲେଙ୍କ ଏଭଳି ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ ଓ କହିଛି ବିଜେପି ଆମ୍ବେଦକରଙ୍କ ସମ୍ବିଧାନ ନୁହେଁ ମନୁ ସ୍ମତି ଚାହୁଁଛି । ପ୍ରଶ୍ନ ଉଠିବା ସ୍ୱାଭାବିକ୍ ଯେ କ’ଣ ପ୍ରକୃତରେ ସମ୍ବିଧାନରେ ପରିବର୍ତ୍ତନ କରାଯିବା ପାଇଁ ଉଦ୍ୟମ ହେଉଛି? ହୋସବାଲେ ଯାହା କହିଲେ ତାହା ଚର୍ଚ୍ଚାର ବିଷୟ ନିଶ୍ଚୟ ଏବଂ ଏଭଳି ମନ୍ତବ୍ୟ ଦେବାର ଉଦେଶ୍ୟ ହେଉଛି ଲୋକେ ଏହା ଉପରେ କ’ଣ ସବୁ ମନ୍ତବ୍ୟ ଦେଉଛନ୍ତି । ବିଜେପିର ବରିଷ୍ଠ ନେତାମାନେ ହୋସବାଲେଙ୍କ ମନ୍ତବ୍ୟ ଏବଂ କଂଗ୍ରେସର ପ୍ରତିକ୍ରିୟାକୁ ନେଇ ଚୁପ୍ କିନ୍ତୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ବିଜେପି ସମ୍ବିଧାନର ପ୍ରସ୍ତାବନାରୁ ‘ସିକୁଲାର’ ଏବଂ ‘ସୋସାଲିଷ୍ଟ’ ଶବ୍ଦକୁ ହଟାଇଦେବା ପାଇଁ ଚାହୁଁଛି । ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ସମ୍ବିଧାନରୁ ଏ ଦୁଇ ଶବ୍ଦକୁ ହଟାଇବା ପାଇଁ ବିଚାର କରାଯିବା ଉଚିତ୍ । କିନ୍ତୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏ ପ୍ରସଙ୍ଗରେ କହିଛନ୍ତି ଯେ “ସମ୍ବିଧାନର ପ୍ରସ୍ତାବନା ଅତ୍ୟନ୍ତ ପବିତ୍ର ଅଟେ । କିନ୍ତୁ ଏଥିରେ ଧର୍ମ ନିରପେକ୍ଷ ଏବଂ ସମାଜବାଦ ଶବ୍ଦକୁ ଯୋଡ଼ାଯାଇଛି ... ଏଭଳି ପରିବର୍ତ୍ତନ ଯାହା ଅସ୍ତିତ୍ୱଗତ ସଙ୍କଟ ସୃଷ୍ଟି କରୁଛି । ଏହି ଦୁଇ ଶବ୍ଦ ସ୍ୱୀକାର୍ଯ୍ୟ ନୁହେଁ । ଏ ଦୁଇଶବ୍ଦ ସନାତନର ଆତ୍ମାକୁ ଅପବିତ୍ର ତଥା ଅନାଦର କରୁଛି ।”
ଇନ୍ଦିରା ଗାନ୍ଧୀ ଯେଉଁ ଜରୁରୀ କାଳୀନ ପରିସ୍ଥିତି ଜାରି କରିଥିଲେ ତାହା ଏକ ମସ୍ତବଡ଼ ଭୁଲ ଥିଲା । ଅଭିବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମର ସ୍ୱାଧୀନତା ସବୁକୁ ସେ ସମୟରେ ଛଡାଇ ନିଆଯାଇଥିଲା । ଲକ୍ଷେରୁ ଅଧିକ ଲୋକଙ୍କୁ ଜେଲରେ ପୁରାଇ ଦିଆଯାଇଥିଲା । ଇନ୍ଦିରା ଗାନ୍ଧୀ ଜରୁରୀ କାଳୀନ ପରିସ୍ଥିତି ଜାରି କରିଥିଲେ କାହିଁକି? ୧୯୭୧ରେ ସେ ପାକିସ୍ଥାନକୁ ଦୁଇ ଫାଳ କରି ବଙ୍ଗଳାଦେଶର ଗଠନ କରାଇଥିଲେ । ତାଙ୍କର ଲୋକପ୍ରିୟତା ମଧ୍ୟ ଥିଲା । କିନ୍ତୁ ସଙ୍କଟ ପରେ ସଙ୍କଟ ଆସିଥିଲା । ଯୁଦ୍ଧର ଖର୍ଚ୍ଚ, ମରୁଡି ପରିସ୍ଥିତି ଏବଂ ତୈଳ ସଙ୍କଟ ପାଇଁ ଲୋକେ ଅସନ୍ତୁଷ୍ଟ ହୋଇଯାଇଥିଲେ । ପୁର୍ବତନ ପ୍ରଦାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲ ସେତେବେଳେ ସୂଚନା ପ୍ରସାରଣ ମନ୍ତ୍ରୀ ଥିଲେ କିନ୍ତୁ ସଞ୍ଜୟ ଗାନ୍ଧୀଙ୍କ ପରାମର୍ଶ ଅନୁସାରେ ତାଙ୍କୁ ହଟାଇ ଦିଆଯାଇଥିଲା । ଗୁଜରାଲ ସେତେବେଳେ କହିଥିଲେ ଯେ ଲୋକଙ୍କ ଅସନ୍ତୋଷକୁ ଇନ୍ଦିରା କେମିତି ସାମନା କରିବେ ତାହା ତାଙ୍କୁ ଜଣାନାହିଁ । ଇନ୍ଦିରା ଗାନ୍ଧୀଙ୍କ ଦୁର୍ଭାଗ୍ୟ ଯେ ସେ ସମୟରେ ଇଲାହାବାଦ ହାଇକୋର୍ଟର ବିଚାରପତି ଜଗମୋହନ ସିହ୍ନା ନିର୍ବାଚନରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ରାୟବରେଲିର ନିର୍ବାଚନକୁ ରଦ୍ଦ କରି ଦେଇଥିଲେ । ୧୯୭୫ ମସିହା ଜୁନ ୧୨ ତାରିଖରେ ଇଲାହାବାଦ ହାଇକୋର୍ଟ ରାୟ ଦେବାର ୧୩ ଦିନ ପରେ ଜୁନ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ପରେ ଅଚାନକ ଜରୁରୀ ପରିସ୍ଥିତି ହଟାଯାଇ ନିର୍ବାଚନ ଘୋଷଣା କରାଯାଇଥିଲା । ନିର୍ବାଚନ ଘୋଷଣା କରିବାର କାରଣ ହେଉଛି ଲୋକସଭାର ଅବଧି ୧୫ ମାସ ବାକି ଥିଲା । ସଞ୍ଜୟ ଗାନ୍ଧୀ ନିର୍ବାଚନକୁ ବିରୋଧ କରୁଥିଲେ ମଧ୍ୟ ଇନ୍ଦିରା ନିର୍ବାଚନ କରାଇଥିଲେ । ଐତିହାସିକ ଜ୍ଞାନ ପ୍ରକାଶ ଲେଖିଛନ୍ତି ଯେ “ଇନ୍ଦିରା ନିଜ ଶାସନର ବୈଧତା ଚାହୁଁଥିଲେ ଏବଂ ତାଙ୍କ ମତ ଥିଲା ଯେ ନିର୍ବାଚନ ତାଙ୍କ ଶାସନକୁ ବୈଧତା ଦେଇପାରିବ ।
ସମାଜବାଦ ଯାହା ସମସ୍ତେ ସମାନ କଥା କହେ ସେଇ ଶବ୍ଦକୁ ନେଇ ଆପତ୍ତି କାହିଁକି? କେତେକଙ୍କ ମତରେ ଆମର ସମ୍ବିଧାନ ନିର୍ମାତାମାନେ ଏତେ ବିଦ୍ୱାନ ଓ ଦୂରଦ୍ରଷ୍ଟା ହୋଇ ମଧ୍ୟ ଯଦି ଏ ଦୁଇଟି ଶବ୍ଦକୁ ସମ୍ବଧାନର ପ୍ରସ୍ତାବନାରେ ଯୋଡ଼ିବାକୁ ପ୍ରୟୋଜନ ମଣିନଥିଲେ ତେବେ ଜରୁରୀକାଳୀନ ପରିସ୍ଥିତି ସମୟରେ ବିପକ୍ଷ ଦଳମାନେ ଜେଲରେ ବନ୍ଦୀ ଥିବାବେଳେ ଏହାକୁ ଯୋଡ଼ିଦିଆଯିବାର କଣ ଆବଶ୍ୟକତା ଥିଲା । ସେମାନେ ଏହାକୁ ତୁଷ୍ଟୀକରଣ ଓ ବିଦେଶୀ ଶକ୍ତିମାନଙ୍କର ପ୍ରରୋଚନାର ଫଳ ଭାବେ ଦର୍ଶାଇଥାନ୍ତି । ସୋଭିଏତ ୟୁନିଅନର ବିଭାଜନ ପରେ ସମାଜବାଦ ଶବ୍ଦଟି ଏବେ ବୁଦ୍ଧିଜୀବୀଙ୍କ ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ୱରେ ମୌଳବାଦୀଙ୍କ ଉଗ୍ର ଆଭିମୁଖ୍ୟ ପରେ ସେକୁ୍ୟଲାର ଶବ୍ଦଟି ମଧ୍ୟ ଏବେ ଚର୍ଚ୍ଚାର ଘେରରେ ଅଛି । ପୁଣି ଅନ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଯେଉଁଠି ଏତେ ଗରିବ ଅଛନ୍ତି ସେଠି କୋଉ ‘ବାଦ’ ଚାଲିବ? ସରକାର ଯେକୌଣସି ଆର୍ଥôକ ନୀତି ପ୍ରଣୟନ କଲେ ମଧ୍ୟ ପ୍ରସ୍ତାବନା ଏଥିରେ ବାଧା ସୃଷ୍ଟିକରେ ନାହିଁ । ଦେଶର ୧ପ୍ରତିଶତ ଲୋକଙ୍କ ପାଖରେ ଦେଶର ୫୦ ପ୍ରତିଶତ ସମ୍ପତ୍ତି ରହିଛି ଓ ଦେଶରେ ଅସମାନତା ବଢ଼ିଛି । ସରକାରଙ୍କୁ ସନ୍ତୁଳନ କରିବା ପାଇଁ ରୋକୁଛନ୍ତି କିଏ? ଧର୍ମ ମାମଲାରେ ସରକାର ନିରପେକ୍ଷ । ଆମ ସଂସ୍କୃତି ଉଦାର ଏବଂ ସହିଷ୍ଣୁ । ଗଣତନ୍ତ୍ରରେ ଲୋକେ ହିଁ ମାଲିକ, ନେତା ନୁହଁନ୍ତି କି କୌଣସି ଦଳ ନୁହେଁ କିମ୍ବା କୌଣସି ସଂଗଠନ ନୁହେଁ । ସୁତରାଂ ଏ ବିଷୟଟିକୁ ତର୍ଜମା କରିବାର ବିଶେଷ ଅବକାଶ ରହିଛି ।
ରାମଚନ୍ଦ୍ରପୁର, ରଣପୁର,ମୋ:୯୪୩୮୪୮୫୦୯୪