ଆମେରିକାରୁ ଫାଇଟର ଜେଟ୍‌ କିଣିବ ଭାରତ

ନୂଆଦିଲ୍ଲୀ : ରୁଷରୁ ଶସ୍ତାରେ ତେଲ କିଣୁଥିବାରୁ ଭାରତ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖପ୍ପା ହୋଇଛନ୍ତି । ଫଳରେ ଭାରତ ଉପରେ ଦଣ୍ଡ ସ୍ୱରୂପ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଏହାସତ୍ତେ୍ୱ ଭାରତ    ଆମେରିକାରୁ ଫାଇଟର ଜେଟ ଆଣିବାକୁ ଯାଉଛି । ଖୁବଶୀଘ୍ର ୧୧୩ ଜିଇ-୪୦୪ ଇଞ୍ଜିନ୍‌ ଯୋଗାଣ ପାଇଁ ଆମେରିକୀୟ କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ୍‌ (ଜିଇ) ସହିତ ପ୍ରାୟ ୮୩୦୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି ଭାରତ । ଏଥିପାଇଁ ଆଲୋଚନା ଚାଲିଛି ଓ ଏହା ସେପ୍ଟେମ୍ବର ସୁଦ୍ଧା ଚୂଡ଼ାନ୍ତ ହେବାର ଆଶା କରାଯାଉଛି ।  ଏହି ଚୁକ୍ତି ଅନୁଯାୟୀ ଭାରତୀୟ ବାୟୁସେନାର ସ୍ୱଦେଶୀ ଲାଇଟ୍‌ କମ୍ବାଟ୍‌ ଏୟାରକ୍ରାଫ୍ଟ (ଏଲସିଏ) ତେଜସ୍‌ ମାର୍କ ୧ଏ ଯୁଦ୍ଧବିମାନକୁ ଦ୍ଭ ଶକ୍ତି ଯୋଗାଇବା ପାଇଁ ଆମେରିକୀୟ କମ୍ପାନୀ ଜେନେରାଲ୍‌ ଇଲେକ୍ଟ୍ରିକ୍‌ (ଜିଇ) ଠାରୁ ୧୧୩ଟି ଜିଇ-ଏଫ ୪୦୪ ଇଞ୍ଜିନ୍‌ କିଣିବାକୁ ଯୋଜନା କରୁଛି । ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୧ ବିଲିୟନ ଡଲାର (ପ୍ରାୟ ୮,୩୦୦ କୋଟି ଟଙ୍କା) ହେବ ବୋଲି ଜଣାପଡିଛି । ଏହା ପୂର୍ବରୁ ହିନ୍ଦୁସ୍ତାନ ଏୟାରୋନଟିକ୍ସ ଲିମିଟେଡ୍‌ (ଏଚଏଏଲ) ୮୩ଟି ତେଜସ୍‌ ମାର୍କ ୧ଏ ଯୁଦ୍ଧବିମାନ ପାଇଁ ୯୯ଟି ଜିଇ-ଏଫ୪୦୪ ଇଞ୍ଜିନ୍‌ କିଣିବା ପାଇଁ ଜିଇ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିସାରିଛି ।  ନୂଆ ଅର୍ଡର ଅନୁଯାୟୀ, ଅତିରିକ୍ତ ୯୭ଟି ତେଜସ୍‌ ମାର୍କ ୧ଏ ଯୁଦ୍ଧବିମାନ ପାଇଁ ୧୧୩ଟି ଇଞ୍ଜିନ୍‌ ଯୋଗାଇ ଦିଆଯିବ, ଯାହା ଏଚଏଏଲର ମୋଟ ୨୧୨ଟି ଜିଇ-ଏଫ୪୦୪ ଇଞ୍ଜିନ୍‌ ଆବଶ୍ୟକତାକୁ ପୂରଣ କରିବ । ଏହି ଚୁକ୍ତି ସେପ୍‌ଟେମ୍ବର ମାସ ସୁଦ୍ଧା ଚୂଡାନ୍ତ ହେବାର ସମ୍ଭାବନା ରହିଛି । ଜିଇ ପ୍ରତି ମାସରେ ଦୁଇଟି ଇଞ୍ଜିନ୍‌ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି, ଯାହା ଏଚଏଏଲକୁ ଉତ୍ପାଦନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ଏଚଏଏଲ ପ୍ରଥମ ୮୩ଟି ତେଜସ୍‌ ମାର୍କ ୧ଏ ଯୁଦ୍ଧବିମାନ ୨୦୨୯-୩୦ ସୁଦ୍ଧା ଏବଂ ପରବର୍ତ୍ତୀ ୯୭ଟି ୨୦୩୩-୩୪ ସୁଦ୍ଧା ଯୋଗାଇ ଦେବାକୁ ଯୋଜନା କରିଛି । ଏହି ଚୁକ୍ତି ଭାରତର ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍‌ ଇନ୍‌ ଇଣ୍ଡିଆ’ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବ । ଏହା ସ୍ୱଦେଶୀ ଯୁଦ୍ଧବିମାନ ଉତ୍ପାଦନକୁ ବୃଦ୍ଧି କରିବା ସହିତ ଦେଶର ଛୋଟ ଏବଂ ମଧ୍ୟମ ଉଦ୍ୟୋଗଗୁଡିକୁ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ପ୍ରଦାନ କରିବ । ଏହା ଭାରତୀୟ ବାୟୁସେନାର ପୁରୁଣା ମିଗ-୨୧ ଯୁଦ୍ଧବିମାନକୁ ବଦଳାଇବାରେ ମଧ୍ୟ ସହାୟକ ହେବ, ଯାହା ଆଗାମୀ ସପ୍ତାହରେ ସେବାରୁ ବିଦାୟ ନେବାକୁ ଯାଉଛି ।  ଏହା ସହିତ, ଭାରତ ଏବଂ ଜିଇ ମଧ୍ୟରେ ଏଲସିଏ ମାର୍କ ୨ ଏବଂ ଆଡଭାନ୍ସଡ୍‌ ମିଡିୟମ କମ୍ବାଟ୍‌ ଏୟାରକ୍ରାଫ୍ଟ (ଏଏମସିଏ) ପାଇଁ ୨୦୦ଟି ଜିଇ-ଏଫ୪୧୪ ଇଞ୍ଜିନ୍‌ କିଣିବା ପାଇଁ ଆଲୋଚନା ଚାଲିଛି, ଯେଉଁଥିରେ ୮୦ ପ୍ରତିଶତ ଟେକ୍ନୋଲୋଜି ଟ୍ରାନ୍ସଫର ଅନ୍ତର୍ଭୁକ୍ତ ରହିଛି । ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୧.୫ ବିଲିୟନ ଡଲାର ହେବ ଏବଂ ଆଗାମୀ କିଛି ମାସ ମଧ୍ୟରେ ଏହା ଚୂଡାନ୍ତ ହେବାର ସମ୍ଭାବନା ରହିଛି । ଏହି ପ୍ରତିରକ୍ଷା ଚୁକ୍ତି ଭାରତର ବାୟୁସେନାର ଆଧୁନିକୀକରଣ ଏବଂ ସ୍ୱଦେଶୀ ଉତ୍ପାଦନ କ୍ଷମତାକୁ ଆହୁରି ମଜଭୁତ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଚୁକ୍ତି ଅନୁଯାୟୀ ଆମେରିକୀୟ କମ୍ପାନୀ ଜିଇ ଏବେ ପ୍ରତି ମାସରେ ଭାରତକୁ ଦୁଇଟି ଇଞ୍ଜିନ୍‌ ଯୋଗାଇବ । ଟାରିଫ୍‌ ମାଡ଼ ପରେ ଭାରତ ଏବଂ ଆମେରିକା ମଧ୍ୟରେ ଏହା ଦ୍ୱିତୀୟ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ବୋଲି କୁହାଯାଇଛି । ପ୍ରଥମ ଚୁକ୍ତି ୬୨,୦୦୦ କୋଟି ଟଙ୍କାର ଥିଲା, ଯାହା ଅଧୀନରେ ଭାରତ ୯୭ ଏଲସିଏ  ମାର୍କ ୧ଏ ଲଢ଼ୁଆ ବିମାନ କିଣିବାକୁ ନିଷ୍ପତ୍ତି ନେଇଥିଲା ।