"ଯୁଦ୍ଧବିରତିରେ ୟୁଏସର ଭୂମିକା ନାହିଁ'
ନୂଆଦିଲ୍ଲୀ: ଯୁଦ୍ଧବିରତିରେ ଆମେରିକାର କୌଣସି ଭୂମିକା ନାହିଁ । ଉଭୟ ପଡ଼ୋଶୀ ଦେଶ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଯୁଦ୍ଧବିରତି କରିଛନ୍ତି । ସଂସଦୀୟ କମିଟିକୁ ଏନେଇ ସ୍ପଷ୍ଟ କରିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି । ବିରୋଧୀ ଟ୍ରମ୍ପଙ୍କ ଭୂମିକାକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ଟ୍ରମ୍ପ ସର୍ବସାଧାରଣରେ ୭ ଥର ଯୁଦ୍ଧବିରତି ତାଙ୍କ ପାଇଁ ହୋଇଥିଲା ବୋଲି କହିଛନ୍ତି । ଏକ୍ଷେତ୍ରରେ ଭାରତ କାହିଁକି ନୀରବ ବୋଲି ବିରୋଧି ପ୍ରଶ୍ନ କରିଥିଲେ । ଏପରିକି ବିଦେଶ ଗସ୍ତରେ ଯାଉଥିବା ସାଂସଦମାନେ ଏମିତି ପ୍ରଶ୍ନ କରିଛନ୍ତି । ଟ୍ରମ୍ପ ଏନେଇ ଭାରତର ଅନୁମତି ବି ନେଇନାହାନ୍ତି । ସେ ନିଜ ଆଡୁ ଏମିତି କହିଥିଲେ । ସେହିପରି ପାକିସ୍ତାନ ସହ ପାରମ୍ପରିକ ଭାବେ ଯୁଦ୍ଧ ହୋଇଥିଲା । ପାକିସ୍ତାନ ଆଣବିକ ଆକ୍ରମଣ କରିବା ନେଇ କୌଣସି ପ୍ରମାଣ ବି ନାହିଁ । ସେହିପରି ଭାରତ-ପାକ୍ ଲଢ଼େଇରେ ଆମର କେତୋଟି ବିମାନ ନଷ୍ଟ ହୋଇଛି ବୋଲି ବିରୋଧୀ ସାଂସଦ ପ୍ରଶ୍ନ କରିଥିବାବେଳେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଶ୍ରୀ ମିଶ୍ର କିଛି କହିବାକୁ ମନା କରିଦେଇଥିଲେ । ସେହିପରି ଅପରେସନ୍ ସିନ୍ଦୁରର ପ୍ରଥମ ପର୍ଯ୍ୟାୟ ପରେ ପାକିସ୍ତାନକୁ ଏନେଇ ଭାରତ ସୂଚନା ଦେଇଥିଲା । ତେଣୁ କେନ୍ଦ୍ରମନ୍ତ୍ରୀ ଜୟଶଙ୍କରଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଅନୁଶୀଳନ ନକରିବାକୁ ସେ କହିଥିଲେ ।