ଓଡ଼ିଶାରେ ସ୍ଥାପନ ହେବ ଦୁଇଟି ସେମିକଣ୍ଡକ୍ଟର ପ୍ଲାଣ୍ଟ

ଓଡ଼ିଶାରେ ସ୍ଥାପନ ହେବ ଦୁଇଟି ସେମିକଣ୍ଡକ୍ଟର ପ୍ଲାଣ୍ଟ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ରେ ମଙ୍ଗଳବାର ତିନି ବଡ଼ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୧୮,୫୪୧ କୋଟି ଟଙ୍କା ଯୋଜନାକୁ ମଞ୍ଜୁରି ମିଳିଛି । ଦେଶରେ ଚାରୋଟି ନୂଆ ସେମିକଣ୍ଡକ୍ଟର ପରିଯୋଜନାକୁ ମଞ୍ଜୁରି ଦିଆଯାଇଛି । ଏହି ଯୋଜନା ବାବଦରେ ପ୍ରାୟ ୪୫୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ନୂତନ ସେମିକଣ୍ଡକ୍ଟର ପ୍ଲାଣ୍ଟ ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ସ୍ଥାପନ କରାଯିବ । କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।କେନ୍ଦ୍ର ମନ୍ତ୍ରିମଣ୍ଡଳ ଭାରତ ସେମିକଣ୍ଡକ୍ଟର ମିଶନ ଅଧିନରେ ଆଉ ଚାରୋଟି ସେମିକଣ୍ଡକ୍ଟର ପରିଯୋଜନାକୁ ମଞ୍ଜୁରି ଦେଇଛି । ଆଜି ମନୁମୋଦିତ ପ୍ରସ୍ତାବ SiCSem, କଣ୍ଟିନେଣ୍ଟାଲ୍ ଡିଭାଇଲ୍ ପ୍ରାଇଭେଟ୍ ଲିମିଟେଡ୍, 3D ଗ୍ଲାସ୍ ସଲ୍ୟୁସନ ଇଙ୍କ୍ ଓ ଆଡଭାନ୍ସଡ ସିଷ୍ଟମ୍ ଇନ୍ ପ୍ୟାକେଜ (ASIP) ଟେକ୍ନୋଲୋଜିକ୍ ସହ ଜଡ଼ିତ । ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ପ୍ଲାଣ୍ଟ ସ୍ଥାପନ କରାଯିବ । SiCSem ଓ 3D ଗ୍ଲାସ୍ ସଲ୍ୟୁସନ୍ ଇଙ୍କ୍ ଓଡ଼ିଶାରେ ସ୍ଥାପନା କରାଯିବ । ସେହିପରି CDIL ପଞ୍ଜାବ ଓ ASIP ଆନ୍ଧ୍ର ପ୍ରଦେଶରେ ସ୍ଥାପନ କରାଯିବ । ଏହି ଯୋଜନାରେ ୨୦୩୪ ଜଣ କୁଶଳୀଙ୍କୁ ନିଯୁକ୍ତି ମିଳିବ । ଏହା ବ୍ୟତୀତ ପରୋକ୍ଷରେ ବି ଅନେକ ନିଯୁକ୍ତି ସୃଷ୍ଟି ହେବ । ଦେଶରେ ଆଇଏସଏମ୍ ଅଧିନରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦ଟି ପରିଯୋଜନା ରହିଛି । ପୂର୍ବ ପ୍ରକଳ୍ପ ଅଧିନରେ ୬ ରାଜ୍ୟରେ ପ୍ରାୟ ୧.୬୦ ଲକ୍ଷ କୋଟି ଟଙ୍କାର ନିବେଶ କରାଯାଇଛି । 

SiCsem Private Limited, ଭୁବନେଶ୍ୱର ଇନଫୋ ଭ୍ୟାଲିରେ ବ୍ରିଟେନ ସ୍ଥିତ Class-SiC Wafer Fab Limited ସହିତ ମିଳିତ ଭାବରେ ଏକ ସମନ୍ୱିତ ସିଲିକନ୍ କାର୍ବାଇଡ୍ (SiC) ଆଧାରିତ କମ୍ପାଉଣ୍ଡ ସେମିକଣ୍ଡକ୍ଟର୍ ପ୍ଲାଣ୍ଟ ସ୍ଥାପନ କରିବ । ଏହା ଦେଶର ପ୍ରଥମ ବାଣିଜ୍ୟିକ କମ୍ପାଉଣ୍ଡ ଫେବ୍ରିକେସନ୍ ୟୁନିଟ୍ ହେବ । ଏହି ପ୍ରକଳ୍ପରେ ସିଲିକନ୍ କାର୍ବାଇଡ୍ ଉପକରଣ ନିର୍ମାଣ କରିବାର ପ୍ରସ୍ତାବ ରହିଛି । ଏହି କମ୍ପାଉଣ୍ଡ ସେମିକଣ୍ଡକ୍ଟର୍ ଫାବ୍ ୟୁନିଟ୍‌ର ବାର୍ଷିକ କ୍ଷମତା ୬୦,୦୦୦ ୱାଫେର୍ ଏବଂ ପ୍ୟାକେଜିଂ କ୍ଷମତା ୯୬ ନିୟୁତ ୟୁନିଟ୍ ରହିବ । ପ୍ରସ୍ତାବିତ ଉତ୍ପାଦଗୁଡ଼ିକ କ୍ଷେପଣାସ୍ତ୍ର, ପ୍ରତିରକ୍ଷା ଉପକରଣ, ବୈଦ୍ୟୁତିକ ଯାନ (EV) , ରେଳବାଇ, ଫାଷ୍ଟ ଚାର୍ଜର, ଡାଟା ସେଣ୍ଟର ରାକ୍ସ, ଖାଉଟି ଉପକରଣ ଏବଂ ସୌରଶକ୍ତି ଇନଭର୍ଟରରେ ବ୍ୟବହୃତ ହେବ । 3D ଗ୍ଲାସ୍ ସଲ୍ୟୁସନ୍ସ ଇନକର୍ପୋରେଟେଡ୍ ମଧ୍ୟ ଭୁବନେଶ୍ୱରର ଇନଫୋ ଭ୍ୟାଲିରେ ଏକ ଭର୍ଟିକାଲ୍ ଇଣ୍ଟିଗ୍ରେଟେଡ୍ ଉନ୍ନତ ପ୍ୟାକେଜିଂ ଏବଂ ଏମ୍ବେଡେଡ୍ ଗ୍ଲାସ୍ ସବଷ୍ଟ୍ରେଟ୍ ୟୁନିଟ୍ ସ୍ଥାପନ କରିବ । ଏହା ବିଶ୍ୱର ସବୁଠାରୁ ଉନ୍ନତ ପ୍ୟାକେଜିଂ ପ୍ରଯୁକ୍ତିବିଦ୍ୟାକୁ ଭାରତକୁ ଆଣିବ, ଯାହା ଉନ୍ନତ ପ୍ୟାକେଜିଂ ସେମିକଣ୍ଡକ୍ଟର ଶିଳ୍ପରେ ପରବର୍ତ୍ତୀ ପିଢ଼ିର କ୍ଷମତାକୁ ସକ୍ଷମ କରିବ ।