କଲେଜ ନିର୍ବାଚନ ପାଇଁ ଡରୁଛନ୍ତି ସରକାର : ଇପ୍ସୀତା
ଭୁବନେଶ୍ୱର : ବିଜେପି ସରକାରକୁ ଆସିବାର ୧୫ ମାସ ବିତିଯାଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନ କରିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ଥିବା ଅନ୍ତଃକନ୍ଦଳ ଲାଗି କଲେଜ କ୍ୟାମ୍ପସ ଅଶାନ୍ତ ହୋଇଛି ବୋଲି ଅଭିଯୋଗ କରିଛି ବିଜୁ ଛାତ୍ର ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ ଯେ, ଚଳିତ ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୧୯ ଜଣ ଛାତ୍ରୀ ଯୌନ ଓ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି । ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଠୁ ଆରମ୍ଭ କରି ବଳଙ୍ଗା, ପଟ୍ଟାମୁଣ୍ଡାଇ, ମାହାଙ୍ଗା, ଗୋପାଳପୁର ଓ ବାଲିହରଚଣ୍ଡୀ ଘଟଣା ଦର୍ଶାଉଛି ଯେ ଏହି ସରକାରରେ ଛାତ୍ରୀମାନେ କିଭଳି ଅସୁରକ୍ଷିତ । ଗତ ୧୫ ମାସରେ ୨୨ ଜଣ ଛାତ୍ରୀ ଆତ୍ମହତ୍ୟା କରିବା ବିଜେପି ସରକାରର ଲଜ୍ଜାଜନକ ଉପଲବ୍ଧି । କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଭୁଶୁଡି ପଡିଛି । ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାର ସକାରାତ୍ମକ ଥିବା କଥା ଉଚ୍ଚÿଶିକ୍ଷା ମନ୍ତ୍ରୀ ବାରମ୍ବାର ମିଡିଆରେ କହୁଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି । ଯଦି ସତସାହାସ ଅଛି, ସରକାର ଆଗାମୀ ଏକ ସପ୍ତାହ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଇପ୍ସୀତା ସାହୁ ଆହ୍ୱାନ ଦେଇଛନ୍ତି ।