ଛତିଶଗଡ଼ର ନୂଆ ବିଧାନସଭା କୋଠା ଉଦ୍ଘାଟିତ, ମାଓ ମୁକ୍ତ ହେଉଛି ଛତିଶଗଡ଼ : ମୋଦି
ରାୟପୁର : ଛତିଶଗଡ ନୂଆ ରାୟପୁର ଅଟଳନଗରରେ ନିର୍ମିତ ନୂଆ ବିଧାନସଭା କୋଠାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭ ଉଦଘାଟନ କରିଛନ୍ତି । ଗତ ୨୫ ବର୍ଷ ମଧ୍ୟରେ ଛତିଶଗଡର ଯାତ୍ରା ପ୍ରେରଣାଦାୟକ ହୋଇଛି । ପୂର୍ବରୁ ନକ୍ସଲ ହିଂସା ଓ ପଛୁଆ ରାଜ୍ୟ ଭାବେ ଚିହ୍ନଟ ହୋଇଥିବା ଛତିଶଗଡ ବର୍ତ୍ତମାନ ସମୃଦ୍ଧି, ସୁରକ୍ଷା ଓ ସ୍ଥିରତାର ପ୍ରତୀକ ଭାବରେ ଉଭା ହୋଇଛି ବୋଲି କହିଛନ୍ତି ମୋଦି । ବିଧାନସଭା କେବଳ ଆଇନ ପ୍ରଣୟନ ପାଇଁ ନୁହେଁ ବରଂ ରାଜ୍ୟର ଭାଗ୍ୟ ଗଠନ ପାଇଁ ଏକ ପ୍ରାଣବନ୍ତ କେନ୍ଦ୍ର ଅଟେ ବୋଲି ସେ କହିଛନ୍ତି ।
ସେ କହିଛନ୍ତିଯେ, ଆମକୁ ନୂଆ ଭାରତ ନିର୍ମାଣ କରିବାକୁ ପଡିବ । ଛତିଶଗଡ଼ର ମୂଳଦୁଆ ସ୍ଥାପନ କରିବାକୁ ପଡିବ ଯାହା ଏହାର ଐତିହ୍ୟ ସହିତ ଜଡିତ ରହି ବିକାଶ ପଥରେ ଆଗକ ବଢିପାରିବ । ଆମର ସୁଶାସନର ମନ୍ତ୍ର ହେଉଛି ‘ନାଗରିକ ଦେବୋ ଭବଃ’ । ମୋଦି ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଲଢିବାରେ ଭାରତର ସଫଳତା ଉପରେ ମଧ୍ୟ ଆଲୋକପାତ କରି କହିଛନ୍ତି, ଭାରତ ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏବେ ଛତିଶଗଡ଼ ମଧ୍ୟ ମାଓ ହିଂସା ମୁକ୍ତ ହେବା ଆଡ଼କୁ ଆଗକୁ ବଢ଼ୁଛି । ଦୀର୍ଘ ୨୫ ବର୍ଷ ପରେ ନକ୍ସଲ ପ୍ରଭାବିତ ଅଞ୍ଚଳ ଗୁଡିକରେ ବିକାଶର ଲହରି ଓ ଖୁସି ପହଞ୍ôଚଛି । ସେ ଏହାର ଶ୍ରେୟ ଛତିଶଗଡ ଲୋକଙ୍କ କଠିନ ପରିଶ୍ରମ ଓ ପରବର୍ତ୍ତୀ ବିଜେପି ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଶ୍ରେୟ ଦେଇଛନ୍ତି । ଛତିଶଗଡ଼ର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଏକ ବୃହତ ଲକ୍ଷ୍ୟର ଆରମ୍ଭ । ୨୦୪୭ ସୁଦ୍ଧା ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ, ଛତିଶଗଡ଼ ଏକ ବିକଶିତ ଭାରତର ସ୍ୱପ୍ନ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୋଦି କହିଛନ୍ତି । ପୂର୍ବରୁ ସେ ନବନିର୍ମିତ ବିଧାନସଭା ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।