ଖୋଲିଲା ୪୪ ସବ୍ରେଜିଷ୍ଟ୍ରେସନ ଅଫିସ୍ : ସବୁ ତହସିଲ୍ରେ ପ୍ରତିଷ୍ଠା ହେବ
ସାଧାରଣ ଲୋକଙ୍କୁ ସମ୍ମାନର ସହ ଉତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୩ ଜିଲ୍ଲାର ୪୪ ତହସିଲରେ ନୂଆ ସବ୍ରେଜିଷ୍ର୍ଟ୍ରେସନ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ତହସିଲରେ ସବ୍ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସରକାରୀ ସେବା ସୁବିଧାରେ ପାଇବା ହେଉଛି ଲୋକଙ୍କ ଅଧିକାର । ଲୋକଙ୍କୁ ସମ୍ମାନର ସହିତ ଉତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ନୂଆ ଉପନିବନ୍ଧନ ବା ସବରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଉଦ୍ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ରାଜସ୍ୱ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ପି ଅନ୍ୱେଷା ରେଡୀଙ୍କ ସହିତ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଭାସୀ ଜରିଆରେ ୧୩ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲଦାର ଓ ସବ୍ରେଜିଷ୍ଟ୍ରାର୍ମାନେ ଯୋଗଦେଇଥିଲେ । ସୂଚନାଯୋଗ୍ୟ, ରାଜ୍ୟର ସମୁଦାୟ ୩୧୭ ତହସିଲ ମଧ୍ୟରୁ ୨୧୭ ତହସିଲରେ ପୂର୍ବରୁ ସବ୍ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇଛି । ଅବଶିଷ୍ଟ ୧୦୦ରୁ ଆଜି ୪୪ଟି ସବରେଜିଷ୍ଟ୍ରେସନ ଅଫିସ ଖୋଲାଗଲା । ବାକି ୫୬ଟି ପର୍ଯ୍ୟାୟକ୍ରମେ ଚଳିତବର୍ଷ ଶେଷ ସୁଦ୍ଧା ଖୋଲିବାପାଇଁ ଯୋଜନା ରଖାଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ବର୍ତ୍ତମାନ ରାଜ୍ୟ ସରକାର ୩୨ ବିଭାଗର ୪୩୩ ସେବାକୁ ଅନ୍ଲାଇନ ଜରିଆରେ ଯୋଗାଇ ଦେଉଛନ୍ତି । ନିକଟରେ ଜମିଜମା ପଞ୍ଜୀକରଣ ପାଇଁ ସ୍ଲଟ୍ ବୁକିଂ ନିମନ୍ତେ ଇ-ରେଜିଷ୍ଟ୍ରେସନ ମୋବାଇଲ୍ ଆପ୍ର ମଧ୍ୟ ଶୁଭାରମ୍ଭ ହୋଇଥିଲା । ଏଥିରେ ସ୍ଲଟ ବୁକିଂ ସହିତ ଇ.ସି ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ମଧ୍ୟ ମିଳିପାରୁଛି । ସ୍ମାର୍ଟ ସର୍ଭେଲାନ୍ସ ଜରିଆରେ ସମସ୍ତ ସବରେଜିଷ୍ଟ୍ରେସନ ଅଫିସକୁ ସିସିଟିଭି ଜରିଆରେ ନୀରିକ୍ଷଣ କରାଯାଉଛି । ଏହାଦ୍ୱାରା କର୍ମଚାରୀମାନଙ୍କର ସମୟାନୁବର୍ତ୍ତିତା ଏବଂ ପାରଦର୍ଶିତାକୁ ସୁନିଶ୍ଚିତ କରାଯାଇ ପାରୁଛି । ଉପନିବନ୍ଧନ କାର୍ଯ୍ୟାଳୟକୁ ଦୁର୍ନୀତି ମୁକ୍ତ ଓ ମଧ୍ୟସ୍ଥି ମୁକ୍ତ କରିବା ଦିଗରେ ଏହି ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା ଖୁବ୍ ଉପଯୋଗୀ ହୋଇପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନୂଆ ସରକାର ଆସିବା ପରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ନେତୃତ୍ୱରେ ବିଭାଗ ପକ୍ଷରୁ ଲୋକଙ୍କୁ ସେବା ପ୍ରଦାନ କରିବାରେ ଦକ୍ଷତା ଆସିଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବିଭାଗ ଅଳ୍ପ ସମୟ ମଧ୍ୟରେ ୨ କୋଟି ୧୮ ଲକ୍ଷ ୬୧ ହଜାର ୬୩ଟି ସେବା ଅନଲାଇନ ଜରିଆରେ ଯୋଗାଇଦେଇଥିବା ବେଳେ ୨୫ ହଜାରରୁ ଅଧିକ ବାସଗୃହହୀନ ଲୋକଙ୍କୁ ଘରବାଡି ପଟ୍ଟା ଦିଆଯାଇଛି । ୨୭ ଲକ୍ଷ ଖାତାକୁ ସର୍ବେକ୍ଷଣ କରାଯାଇ ମୃତ ଲୋକଙ୍କ ଜମିବାଡିକୁ ସେମାନଙ୍କ ଉତ୍ତରାଧିକାରୀଙ୍କ ନାମରେ ରେକର୍ଡ କରାଯାଇଛି । ଏହା ସହିତ ଗତ ଏକ ବର୍ଷ ମଧ୍ୟରେ ୨୩ ହଜାର ୯୮୮ଟି ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇ ପାରିଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜସ୍ୱ ମନ୍ତ୍ରୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେଯେ, ଜମି କିଣାବିକା ସମୟରେ ସାଧାରଣତଃ ଲୋକମାନେ ବହୁତ ହନ୍ତସନ୍ତ ହୁଅନ୍ତି । ଏଥି ପାଇଁ ବିଭାଗରେ ସଂସ୍କାର ଅଣାଯାଇ ସବୁ ତହସିଲରେ ସବ୍ରେଜିଷ୍ଟ୍ରେସନ୍ ଖୋଲାଯିବା, କିଣାବିକା ପ୍ରକ୍ରିୟାକୁ ସରଳ କରିବା, ରାଜସ୍ୱ ରେକର୍ଡକୁ ସଂଶୋଧନ କରିବା, କ୍ୟାସଲେସ୍ ଅର୍ଥ ନେଣ-ଦେଣ ଏବଂ ତ୍ୱରିତ ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି । ବ୍ୟବସ୍ଥାକୁ ସହଜ, ସରଳ ଓ ସମୟୋପଯୋଗୀ କରିବା ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ରାଜସ୍ୱ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ପି ଅନ୍ୱେଷା ରେଡୀ ଧନ୍ୟବାଦ ଅର୍ପଣ କରିଥିଲେ ।