ଟ୍ରମ୍ପଙ୍କ ଧମକ ପରେ... ପଛକୁ ହଟିଲା ଇସ୍ରାଏଲ ବିମାନ
ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ନେଇ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ । ଏମିତିକି ଆକ୍ରମଣ ପାଇଁ ଇରାନ ଯାଉଥିବା ବିମାନ ଟ୍ରମ୍ପଙ୍କ ଧମକରେ ଡରି ପଛକୁ ଫେରିଆସିଛି । ଇସ୍ରାଏଲ ଆଉ ଇରାନ୍ ଉପରେ ଆକ୍ରମଣ କରିବ ନାହିଁ । ଇସ୍ରାଏଲ ବିମାନଗୁଡ଼ିକ ପଛକୁ ଫେରି ଆସିଛନ୍ତି ବୋଲି ଏକ୍ସ ମାଧ୍ୟମରେ ଟ୍ରମ୍ପ ଜଣାଇଛନ୍ତି । ଯଦି ଟ୍ରମ୍ପଙ୍କ କଥା ସତ ହୋଇଥାଏ ତେବେ ଦୀର୍ଘ ୧୨ ଦିନ ପରେ ଇରାନ୍ ଓ ଇସ୍ରାଏଲ ଲଢ଼େଇ ବନ୍ଦ ହେବବୋଲି ଆଶା କରାଯାଉଛି । ମଧ୍ୟପ୍ରାଚ୍ୟରେ ପୁଣି ଶାନ୍ତି ଫେରିବାର ବାଟ ଖୋଲିଛି । ସେହିପରି ଟ୍ରମ୍ପଙ୍କ ଯୁଦ୍ଧବିରତି ଆହ୍ୱାନ ସତ୍ତ୍ୱେ ଇସ୍ରାଏଲ ଆକ୍ରମଣ କରିବାକୁ ଯୋଜନା କରିଥିବାରୁ ଟ୍ରମ୍ପ ଫିଡ଼ିକି ଯାଇଥିଲେ । ଏନେଇ ସେ ଇସ୍ରାଏଲକୁ ଧମକ ବି ଦେଇଥିଲେ । ଏନେଇ ଟ୍ରମ୍ପ ଏକ୍ସରେ ଉଲ୍ଲେଖ କରିଥିଲେଯେ, ଇସ୍ରାଏଲ, ତୁମେ ବୋମା ପକାଅ ନାହିଁ । ଯଦି ସେମିତି କରିବ ତେବେ ତାହା ବଡ଼ ଉଲ୍ଳଂଘନ ହେବ । ତୁମ ପାଇଲଟମାନଙ୍କୁ ପଛକୁ ହଟାଅ ବୋଲି ଉଲ୍ଳେଖ କରିଥିଲେ । ଇରାନ୍ ଉପରେ ଆକ୍ରମଣର ୪୮ ଘଣ୍ଟା ପରେ ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ଏବେ ଚର୍ଚ୍ଚା ସୃଷ୍ଟିକରିଛି ।